ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର):-ଶ୍ରୀମତୀ ଆରତୀ ମଞ୍ଜରୀ ଦାସଙ୍କ ଦ୍ଵିତୀୟ କବିତା ସଂକଳନ ‘ଉତ୍ତରଣ’ର ଲୋକାର୍ପଣ ଉତ୍ସବ ଖୋର୍ଦ୍ଧା ଶ୍ୟାମ ମାଧବ ବାସନ୍ତୀ ଦେବୀ ସ୍ମାରକୀ ପାଠାଗାର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଆଶାଚକ୍ର ପ୍ରକାଶନୀର ତତ୍ତ୍ଵାବଧାରକ କବି ଓ ପ୍ରାବନ୍ଧିକ ବୈକୁଣ୍ଠନାଥ ରାଜଗୁରୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସ୍ୱନାମ ଧନ୍ୟ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼. ଶଶାଙ୍କ ଶେଖର ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ରଥ ପୁସ୍ତକଟିର ଲୋକାର୍ପଣ କରିବା ସହିତ ସାହିତ୍ୟ କିପରି ମାନବ ସମାଜରେ ପରିବର୍ତ୍ତନ କରିବାର ଶକ୍ତି ରଖେ ସେ ବିଷୟରେ ସାରଗର୍ଭକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମୁଖ୍ୟ ଆଲୋଚକ ଶ୍ରୀ ଗୋପାଳ କୃଷ୍ଣ ଦାସ ଓ ଶ୍ରୀମତୀ ଶ୍ଵେତ ପଦ୍ମାସିନୀ ମହାନ୍ତି ‘ଉତ୍ତରଣ’ କବିତା ଗ୍ରନ୍ଥର କବିତା ଗୁଡ଼ିକର ଆଙ୍ଗିକ ଓ ଆମ୍ବିକ ବିଭବ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କବି ଶ୍ରୀମତୀ ଆରତୀ ମଞ୍ଜରୀ ଦାଶଙ୍କ ସାରସ୍ବତ କୃତିର ବିଭିନ୍ନ ଦିଗ ଉନ୍ମୋଚନ କରିଥିଲେ । ଅନ୍ୟତମ ଅତିଥି ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ମହାରଣା ଏବଂ ବିଶିଷ୍ଟ ଗବେଷକ ସତ୍ୟବାଦୀ ବଳିୟାରସିଂହ ଖୋରଧାର ସାହିତ୍ୟିକ ସମାବେଶ ଗୁଡ଼ିକରେ ଶ୍ରୀମତୀ ଦାଶଙ୍କ ପଠିତ କବିତା ଗୁଡ଼ିକର ବୈଶିଷ୍ଟ୍ୟ ପ୍ରତିପାଦନ କରିଥିଲେ । ଶ୍ରୀମତୀ ଆରତୀ ମଞ୍ଜରୀ ଦାଶ ସ୍ଵକୀୟ ଅଭିମତ ପ୍ରକାଶ କରି ଜଣେ ନାରୀ ପକ୍ଷରେ ଜୀବନ ସଂଗ୍ରାମ ଭିତରେ ସାହିତ୍ୟ ସାଧନା ଅତ୍ୟନ୍ତ ଆୟାସସାଧ୍ୟ ବୋଲି ମତ ପୋଷଣ କରିଥିଲେ । ଶେଷରେ ସୁସଂଗଠିକା ଶ୍ରୀମତୀ ଇତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଦ୍ଵିତୀୟ ପର୍ଯ୍ୟାୟରେ ସର୍ବ ଶ୍ରୀ ବିକ୍ରମ କେଶରୀ ଚମ୍ପତ୍ତି, ଡ଼. ନୀଳାଦ୍ରିନାଥ ଜଗଦ୍ଦେବ ଓ ବଂଶୀଧର ଦାସଙ୍କ ସଂଯୋଜନାରେ ଉପସ୍ଥିତ କବିମାନଙ୍କର ସ୍ୱଚରିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ପୁଣ୍ୟ ପ୍ରସାଦ ରଥ ସମସ୍ତଙ୍କୁ ସ୍ଵାଗତ ଓ ଆପ୍ୟାୟିତ କରିଥିଲେ ।
,


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫