ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃନିଯୁକ୍ତି ପ୍ରତିବାଦରେ ଗଣଧାରଣା।

କଳାହାଣ୍ଡି ଜିଲା (ଆମ ଓଡିଶା ଖବର) ତା:-୧୩/୧୦ କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଜନ ପ୍ରତିନିଧି ,ଆଦିବାସୀ ସଂଘ ଓ ବୁଦ୍ଧିଜୀବୀ ସୋମବାର ବ୍ଲକର ଦୁଇଟି ଗେଟ୍‌କୁ ତାଲା ପକାଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଧାରଣାରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଜିଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ରିଞ୍ଜା ସମିତି ସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧିର ଭୋଇ,ରାଜପୁର ସମିତି ସଭ୍ୟ ନିରୂପମା ଭୋଇ, ସାପଲହରା ସମିତି ସଭ୍ୟ ଶାନ୍ତି ଭୋଇ,ତେରେସିଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା, ରେଗଡା ସମିତି ସଭ୍ୟ ଗେଲ କମ୍ପ ଯୋଗଦାନ କରିଥିଲେ। ସେହିପରି ଆଦିବାସୀ ନେତା ଦୟା ସାଗର ମାଝୀ, ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟା ତଥା ମିଶନ ଶକ୍ତି ବ୍ଲକ ଫେଡରେଶନ ସଭାନେତ୍ରୀ ଜୟନ୍ତୀ ସାହୁ, ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ତେବେ ପୂର୍ବତନ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨/୧୦/୨୦୨୨ ରୁ ୩୧/୧/୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିବା ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଜନ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏଣୁ ସେ ସମୟରେ ତତ୍କାଳୀନ ୫ ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୁଗ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ବ୍ୟାପକ ଦୁର୍ନୀତି ହେବା ସହ ସେ ଏକଛତ୍ରବାଦ ଶାସନ କରି ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରୁଥିଲେ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି। ଧାରଣାସ୍ଥଳରେ ତହସିଲଦାର ଅରୁଣ ବର୍ଗେ, କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲ,ମ. ରାମପୁର ଥାନା ଅଧିକାରୀ ବିରବର ଭଗତ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା, ରିଷିଡା ଫାଣ୍ଡି ଅଧିକାରୀ ମନୁଆଁ ବିଡିକା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ହେଁ ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଥିବା ଦେଖିବାକୁ ମିଳିଛି । ଆଦିବାସୀମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ତଥା ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭା ଯାତ୍ରାରେ ଆସି ଧାରଣାସ୍ଥଳରେ ପହଞ୍ଚିଥିଲେ।

ରିପୋଟର- ପ୍ରସନ୍ନ କୁମାର ନାଏକ

error: Content is protected !!