ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଦ୍ୱାରା ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜିତ

ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା :-୧୯/୧୦— ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଦ୍ୱାରା ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ଜ୍ୱଳନ ଓ ବନ୍ଦନା ସଙ୍ଗୀତ ସହ ହୋଇଥିଲା । ଏହି ଅବସରରେ ବିଭାଗୀୟ ମୁଖ୍ୟ ଟିକେଶ୍ୱର ମାଝୀ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରି ନିଜ ଅଭିଭାଷଣରେ କହିଲେ, “ଶିକ୍ଷା ହେଉଛି ମାନବତାର ଭିତ୍ତି, ଏହା ଜୀବନକୁ ଦିଗ୍ ଦର୍ଶନ କରିଥାଏ ।” ସେ ଛାତ୍ରଛାତ୍ରୀଙ୍କୁ ନିଷ୍ଠା ଓ ସମୟ ଶୃଙ୍ଖଳା ସହିତ ଶିକ୍ଷାରେ ଅଗ୍ରଗାମୀ ହେବାକୁ ପ୍ରେରିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ . ସରସ୍ଵତୀ ରାୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ନବାଗତମାନଙ୍କୁ ସୁଭେଚ୍ଛା ଜଣାଇ କହିଥିଲେ, “ସଫଳତା ପାଇଁ ଶିକ୍ଷା, ସଂସ୍କାର ଓ ପରିଶ୍ରମ ହିଁ ପ୍ରମୁଖ ମାଧ୍ୟମ।” ସେ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ସ୍ଵାସ୍ଥ୍ୟ ବିଷୟରେ ସଚେତନ କରାଇବା ସହ ଜୀବନକୁ କେମିତି ସହଜ ଓ ସରଳ ଭାବରେ ବଞ୍ଚି ପାରିବା ସେ ବିଷୟ ଆଲୋକପାତ କରିଥିଲେ। ଅଧ୍ୟାପିକା ରାଜଲକ୍ଷ୍ମୀ ଦେବୀ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ପାଇଁ ଉତ୍ସାହିତ କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଆନନ୍ଦ ଶତପଥି, ଶତାବ୍ଦୀ ରାୟ, ସୌଦାଗର ସିଆ, ଚାଗୁଲୁ ସାହୁ ମଧ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଓ ପ୍ରେରଣାଦାୟକ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆନନ୍ଦଦାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା — ଗୀତ, ନୃତ୍ୟ, କବିତା ପାଠ, ନାଟକ ଓ ଅଭିନୟ ଦ୍ୱାରା ସଭାକକ୍ଷ କରତାଳିରେ ମୁଗ୍ଧ ହୋଇଯାଇଥିଲା । ଏହାପରେ ଆୟୋଜିତ ମନୋରଞ୍ଜନାତ୍ମକ ଖେଳ ଛାତ୍ରଛାତ୍ରୀମାନଙ୍କ ଆନନ୍ଦକୁ ଦୁଇଗୁଣିତ କରିଥିଲା । କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଜ୍ଞାପନ ଓ ଭୋଜନ ବ୍ୟବସ୍ଥା ହୋଇଥିଲା । ସମଗ୍ର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଧ୍ୟାପକ -ଅଧ୍ୟାପିକା ମାନଙ୍କ ସକ୍ରିୟ ଅଂଶଗ୍ରହଣରେ ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ହୋଇଥିଲା ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!