ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l

କୋଦଳା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ଏବଂ କାଲିମେଘି ପଂଚାୟତର ଜାଗିଲିପଦର ଠାରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବେରୁଆଁବାଡ଼ି ଠାରେ ସୋମବାର ଦିନ ପ୍ରାତଃ ସମୟେ ଜଳାଯାତ୍ରା,ପ୍ରତିଷ୍ଠା କର୍ମ ଆରମ୍ଭ ଏବଂ ଦେବତା ଅଧିବାସ ପରେ ପାରମ୍ପରିକ ରୀତିରେ ଘୃତଯଜ୍ଞ, ନାମଯଜ୍ଞ ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଛି । ଗତକାଲି ଅର୍ଥାତ ରବିବାର ଦିନ ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ ଏବଂ ନାମଯଜ୍ଞ ଅଧିବାସ ସମ୍ପନ୍ନ ହୋଇଥିଲା । ମଙ୍ଗଳବାରେ ମଣ୍ଡଳଧି ପୂଜା, ବୁଧବାରେ ଦେବତା ମହାସ୍ନାନ,ଗୁରୁବାରେ ଦେବତା ବିଗ୍ରହ ପ୍ରାଣପ୍ରତିଷ୍ଠା, ଶୁକ୍ରବାରେ ଦେବତା ସିଂହାସନ ଆରୋହଣ, ଧ୍ବଜାରୋହନ ପରେ ଘୃତଯଜ୍ଞ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି । ଶେଷରେ ଶନିବାର ତା 04 ରିଖ ଦିନ ନାମଯଜ୍ଞ ସମାପନ, ନଗରଭ୍ରମଣ ଏବଂ ପ୍ରାସାଦ ସେବନ କାର୍ଯ୍ୟକ୍ରମ ରହିଛି । ପଣ୍ଡିତ ଶ୍ରୀ ଅଶୋକ କୁମାର ଶତପଥୀଙ୍କ ତତ୍ୱାବଧାନରେ ମହାଯଜ୍ଞ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ଚାଲିଛି । ମହିଳାଙ୍କ ହୁଳହୁଳି ଓ ଭକ୍ତଙ୍କ ହରିବୋଲ ଶବ୍ଦରେ ଯଜ୍ଞସ୍ଥଳ ପ୍ରକମ୍ପିତ ହୋଇଉଠିଛି । ଚାରିଆଡେ ଧାର୍ମିକ ବାତାବରଣ ସୃଷ୍ଟି ହୋଇ ପରିବେଶ ଉତ୍ସବମୁଖରୀତ ହୋଇଛି । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ିବାରେ ଲାଗିଛି । ଏହା ସହ କୁନି କୁନି ଛୁଆଙ୍କ ଠାରୁ ଆରମ୍ଭ କରି ଯୁବକ,ଯୁବତୀ,ମହିଳା ଓ ବୟସ୍କ ମାନେ ମଧ୍ୟ ମିନାବଜାରର ମଜା ନେଉଛନ୍ତି । ଉକ୍ତ ଧାର୍ମିକ କାର୍ଯ୍ୟରେ ବେରୁଆଁବାଡ଼ି ଗ୍ରାମ ସହ ଆଖପାଖ ଗ୍ରାମର ଜନତା ଏବଂ ସ୍ବେତ୍ସାସେବୀ ମାନେ ସହଯୋଗ କରୁଛନ୍ତି । ସେହିପରି କାଲିମେଘି ପଂଚାୟତର ଜାଗିଲିପଦର ଠାରେ ଶ୍ରୀ ଶ୍ରୀ ଶ୍ରୀ ରାଧାନାଥ ମନ୍ଦିର ବିଗ୍ରହ ପ୍ରତିଷ୍ଠା ସକାଶେ ପଣ୍ଡିତଶ୍ରୀ ହରେ ନାମ ଶତପଥୀ (ବୁଲୁ ପୁରୋହିତ)ଙ୍କ ତତ୍ୱାବଧାନରେ ମହାଯଜ୍ଞ 29 ତାରିଖରୁ ପାରମ୍ପରିକ ରୀତିରେ ଶୁଭାରମ୍ଭ ହୋଇଛି । ଉଭୟ ଯଜ୍ଞ ଆସନ୍ତା ଏପ୍ରିଲ 4 ତାରିଖରେ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ପାଇଁ ପୋଲିସ ଓ ପ୍ରଶାସନର କଡାଦୃଷ୍ଟି ରହିଛି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!