କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l

କୋଦଳା, (ଆମ ଓଡିଶା ଖବର ):ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରୟାସରେ ସାରା ରାଜ୍ୟରେ ଏପ୍ରିଲ 01 ଉତ୍କଳ ଦିବସ ଠାରୁ ଏପ୍ରିଲ 14 ଓଡ଼ିଆ ନବବର୍ଷ ଯାଏଁ ‘ଓଡ଼ିଆ ପକ୍ଷ’ ପାଳିତ ହେଉଥିବାବେଳେ ଆଜି ବୁଧବାର ଦିନଠୁ କୋଦଳା ଏନ ଏ ସି ସମେତ ବ୍ଲକର ବିଭିନ୍ନ ପଂଚାୟତରେ ଉତ୍କଳ ଦିବସ ପାଳିତ ହୋଇଛି । କୋଦଳା ଏନ ଏ ସି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି ‘ଓଡ଼ିଆ ପକ୍ଷ’ର ଶୁଭାରମ୍ଭ କରିଥିଲେ । ଓଡିଶା ଏବଂ ଓଡ଼ିଆ ଭାଷା ପ୍ରତି ଉଭୟ ମହାପୁରୁଷଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ ଶ୍ରୀ ରଥ । ଉଭୟଙ୍କ ପାଇଁ ଓଡିଶା ଆଜି ଗର୍ବିତ ବୋଲି ଜିଲ୍ଲା ମିଶନ ଅଧିକାରୀ ଯୋତୀନ୍ଦ୍ର କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ମତ ରଖିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଏନ ଏ ସି କର୍ମଚାରୀ ଏବଂ କାଉଁସିଲର ମାନେ ଯୋଗଦେଇଥିଲେ ।
ସେହିପରି କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରାଙ୍କ ତତ୍ୱାବଧାନରେ ପାଳିତ ହୋଇଥିବା ଉତ୍କଳ ଦିବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଯୋଗଦେଇଥିଲେ । ଏହା ସହିତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ବିଦ୍ୟାଳୟରେ ‘ଓଡିଆ ପକ୍ଷ’ ର ଶୁଭାରମ୍ଭ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!