ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ l

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ଜାତୀୟ ଶିକ୍ଷାନୀତି ସମେତ ପିଲାଙ୍କ ଭବିଷ୍ୟତ ଗଠନ ନିମନ୍ତେ ନିଜର ବହୁ ମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ କେବଳ ପାଠ ପଢି ଚାକିରୀ ଅନ୍ୱେଷଣରେ ନରହି ବରଂ ବିଭିନ୍ନ କ୍ଷେତ୍ରରେ ନିଜକୁ ନିୟୋଜିତ କରି ଏକ ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ ବିଧାୟକ । ଶିକ୍ଷାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ ରହିଛି ତାହାକୁ ସମସ୍ତେ ମିଳିମିଶି ପୁରଣ କରିବା ବୋଲି ଉପସ୍ଥିତ ଅଭିଭାବକ, ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ଶ୍ରୀ ନାୟକ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୌରୀ ଶଙ୍କର ଯାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଗୌର କିଶୋର ମହାରଣା ସଭାପତିତ୍ବ କରିଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀ ଯାନୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ନିଜ ଅଭିଭାଷଣରେ ବିଦ୍ୟାଳୟର ଶିକ୍ଷାଗତ ସଫଳତା ଛାତ୍ରଛାତ୍ରୀ ମାନଙ୍କ ସମଗ୍ର ବିକାଶ ପାଇଁ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଥିବା ମତ ବ୍ୟକ୍ତ କରିଥିଲେ । ସନମାନିତ ଅତିଥି ଭାବେ ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ଉପଦେଶ ଦେଇଥିଲେ । ଶିକ୍ଷା ହିଁ ଦେଶର ବିକାଶରେ ପ୍ରମୁଖ ମୂଳଦୁଆ ବୋଲି ବର୍ଣନା କରିଥିଲେ ଉପସ୍ଥିତ ଅତିଥି । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା,ସମିତିସଭ୍ୟା ସୁଚିତ୍ରା ମାହାନ୍ତି,ସୁମଣ୍ଡଳ କ୍ଲଷ୍ଟର ସିଆରସିସି ସିମାଞ୍ଚଳ ପରିଡା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ପାଣ୍ଡୀ,ଅଙ୍ଗାରଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ,କୋଦଳା ମଣ୍ଡଳ ସଭାପତି ସନ୍ତୋଷ ପଲେଇ, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସାନଉସ୍ତାପଡା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ,ସ୍କଲ କମିଟି ସଭାନେତ୍ରୀ ସୁମିତ୍ରା ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ବର୍ଗରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ ଉପସ୍ଥିତ ଅତିଥି । କୁନିକୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷୟିତ୍ରୀ ଅନୁପମା ସ୍ୱାଇଁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟର :ଦେବାଶିଷ ମହାରଣା

error: Content is protected !!