ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ l

କୋଦଳା, (ଆମ ଓଡିଶା ଖବର):ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ କରିବା ପରେ ଏହି ଅଭିଯାନରେ ଏକ ମାସ ବ୍ୟାପୀ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜ ପରିସରରେ କୋଦଳା ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଦଳା ଥାନା ଅଧିକାରୀ ସୁବାସ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ସାଇବର ଅପରାଧ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । କଲେଜ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ବିଭାଗୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହା ସହ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଅପରାଧ ସମ୍ପର୍କିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଦତ୍ତାରାମ ବିଶୋଇ, ସିଏଫଏଲ କାଉନସିଲର ରାଜେନ୍ଦ୍ର ସେଠୀ,କୋଦଳା ଏନଏସି ଉପାଧ୍ୟକ୍ଷାଙ୍କ ସମେତ କଲେଜ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ତଥା ପୋଲିସ କର୍ମଚାରୀ ସାମିଲ ଥିଲେ । ସୂଚନା ଯୋଗ୍ୟ ଯେ ଆମ ଦେଶରେ ପ୍ରାୟ ୮୨ କୋଟି ଲୋକ ଅର୍ଥାତ ୫୫ ପ୍ରତିଶତ ଲୋକେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି । ଆମ ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇଯାଇଛୁ। ଆଜି ଇଣ୍ଟରନେଟ୍ ବ୍ୟବହାରୀକାରୀଙ୍କୁ ସାଇବର ଅପରାଧ, ଅନଲାଇନ ଠକେଇ ଭଳି ଅପରାଧର ଶୀକାର ହେବାକୁ ପଡୁଛି। ଏହି ଅପରାଧକୁ ରୋକିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସାଇବର ପୋଲିସଙ୍କୁ ଶକ୍ତିଶାଳୀ କରିବା, ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଭଳି ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!