ଜିଲାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥଏସ୍ପି ଅଫିସ ଘେରାଉ କଲା ଜିଲା ବିଜେଡି।

କେନ୍ଦ୍ରାପଡା,(ଆମ ଓଡିଶା ଖବର )୧୬ା୧: କେନ୍ଦ୍ରାପଡ଼ା ଜିଲାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ପୁଲିସ ଏବେ ଗେରୁଆ ଗାମୁଚ୍ଛାଧାରୀଙ୍କୁ ସମ୍ମାନ ଦେଉଛି । ଗେରୁଆ ଗାମଛା ପକାଇଥିବା ଲୋକମାନେ ଯାହା ଦୋଷ କଲେ ସେମାନଙ୍କୁ ତିନିଖୁଣ ମାଫ । କିନ୍ତୁ ସାଧାରଣ ଜନତା ଟିକେ ଭୁଲ କଲେ ସେମାନଙ୍କୁ ସଙ୍ଗେ ଜେଲ । ଥାନା ଏବେ ବିଜେପି ଅଫିସରରେ ପରିଣତ ହୋଇଛି । ବିଜେଡି ବିଧାୟକମାନେ ଏହି ଅଭିଯୋଗ କରି ଶୁକ୍ରବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଗିରଫ ହୋଇଛନ୍ତି । ହଜାର ହଜାର ସଂଖ୍ୟାରେ ବିଜେଡି ବିଜେପି ସରକାର ବିରୋଧରେ ପ୍ରତିବାଦ କରି ଏସ୍ପି ଅଫିସ ନିକଟକୁ ଯାଇଥିଲେ । ସେଠାରେ ଏସ୍ପିଙ୍କ ଠାରୁ ଜିଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଥିଲେ । ଜିଲା ବିଜୁ ଜନତା ଦଳ ସଭାପତି ଶିବ ପ୍ରସାଦ ଭଳଙ୍କ ଅଧ୍ୟକ୍ଷତାରେ ଏସ୍ପିଙ୍କ ଅଫିସ ନିକଟରେ ଏକ ପ୍ରତିବାଦ ସଭା ହୋଇଥିଲା । ଏଥିରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ନେତା ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଗତ ୧୫ ବର୍ଷ ମଧ୍ୟରେ ଜିଲାରେ କୌଣସି ରାଜନୈତିକ ଦଳ ଏସ୍ପି ଅଫିସ ଘେରାଉ କରି ନଥିଲେ । ଆଜି କାହିଁକି ଏସ୍ପି ଅଫିସ ଘେରାଉ କରାଗଲା ବୋଲି ଆଳି ବିଧାୟକ ପ୍ରତାପ ଦେବ ପ୍ରଶ୍ନ କରିଥିଲେ । ବର୍ତ୍ତମାନ ରାଜ୍ୟରେ ଲୋକଙ୍କ ସରକାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ନାରା ଦେଉଛନ୍ତି ତାହା କେବଳ ବାହାସ୍ଫୋଟ । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ବେଳେ ଜିଲାରେ ଥିବା ଥାନାଗୁଡିକ ବିଜେପି କାର୍ଯ୍ୟାଳୟ ପାଲଟିଛି । ଏହି ଆନେ୍ଦାଳନ ଆଜିଠୁ ଆରମ୍ଭ ହେଲା ଆଗକୁ  ଅଧିକ ଭୟଙ୍କର ରୂପ ନେବ ବୋଲି ଆଳି ବିଧାୟକ ପ୍ରତାପ ଦେବ ଚେତାବନୀ ଦେଇଥିଲେ । ଯେତେବେଳେ ଲୋକଙ୍କ ଉପରେ ଆଞ୍ଚ ଆସିଛି ସେତେବେଳେ ବିଜେଡି ଗର୍ଜନ କରିଛି । ଯେଉଁ ପୁଲିସ ଅଧିକାରୀଙ୍କ ପକେଟ୍ ଉଚ୍ଚା ରହିବ ସେ ଥାନାରେ ନିଯୁକ୍ତି ପାଇବେ । ଜଣେ ଅଧିକାରୀ ଜଣେ ବିଜେପି ନେତାଙ୍କୁ ୭ ଲକ୍ଷ  ଦେଲେ ଜିଲାର ଏକ ଥାନାରେ ନିଯୁକ୍ତି ପାଇବା ପାଇଁ । କିନ୍ତୁ ତାଙ୍କ କଥା ଶୁଣା ଗଲାନାହିଁ । ଯେଉଁ ନେତା ୧୦ ଲକ୍ଷ ଦେଲେ ସେ ନିଯୁକ୍ତି ପାଇଲେ । ଥାନାରେ ହଳଦିଆ ଗାମୁଛା ପକାଇ ଆସିଲେ ସେମାନଙ୍କ କାମ ସଙ୍ଗେ ସଙ୍ଗେ ହେଉଥିବା ବେଳେ ଅନ୍ୟମାନଙ୍କ କଥାକୁ ପୁଲିସ ଖାତିର କରୁନାହିଁ । ଜିଲାରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଯାହାର ଉଦାହରଣ ହେଉଛି ରାଜନଗରରେ ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଆକ୍ରମଣ । ଆଜିର ଆନେ୍ଦାଳନ ହେଉଛି ଟେଲର । ଆଗାମୀ ଦିନରେ ପୁଲିସ ଫିଲ୍ମ ଦେଖିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ  କହିଥିଲେ । ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବା ପାଇଁ ଏହି ଆନେ୍ଦାଳନ କରାଯାଇଛି । ଜିଲାରେ ସ୍ୱେଚ୍ଛାଚାର ଶାସନ ଚାଲିଛି । ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି । ପୁଲିସ ଏବେ ସରକାରୀ ଦଳର ହାତବାରିସି ସାଜିଛି । କାରଣ ଆଇନ୍ କହୁଛି ଯେକୌଣସି ବ୍ୟକ୍ତି କୌଣସି ନିର୍ଯ୍ୟାତନା କିମ୍ବା ଅପରାଧ ବିରୋଧରେ ସ୍ୱର ଉତ୍ତୋଳନ କରି ଥାନାରେ ଏତଲା ଦେଲେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ କେନ୍ଦ୍ରାପଡ଼ା ପୁଲିସ ଜିଲାରେ ଆଇନ୍ର ଶାସନ ଚାଲିନାହିଁ । ଏବେ ଜେଲଭରୋ ଆନେ୍ଦାଳନ ହେଲା । ଆଗାମୀ ଦିନରେ ବିଜେଡି ଆଇନ୍ ଅମାନ୍ୟ ଆନେ୍ଦାଳନ କରିବ ବୋଲି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ବେହେରା କହିଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବୋଲି କିଛି ନାହିଁ । ଗତ ୨ ବର୍ଷ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ । ଶୁଭଦ୍ରା ଯୋଜନାରେ ଲୋକଙ୍କୁ ଟଙ୍କା ଦେଇ ଅନ୍ୟ ବାଟେ ଲୁଟୁଛନ୍ତି । ରାଜ୍ୟରେ ସରକାରୀ ଅଧିକାରୀମାନଙ୍କୁ ବିଜେପି ନେତାମାନେ କାର୍ଯ୍ୟ କରିବାକୁ ଦେଉ ନାହାଁନ୍ତି । ମହିଳାଙ୍କ ପ୍ରତି ସରକାରଙ୍କ ସମ୍ମାନ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରାଜନଗରରେ ମହିଳା ବିଡିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ । ପୁଲିସ ବିଜେପି ନେତାମାନଙ୍କ ପାଇଁ ଗୁଣ୍ଡା ସାଜିଛି । ବିଜେପି ନେତାମାନେ ବାଲି, ଗୋଡି ଓ ମାଟିକୁ ଖାଇଯିବା ପାଇଁ ହାଁ ହାଁ ହେଉଛନ୍ତି ବୋଲି ଶ୍ରୀ ଜେନା କହିଥିଲେ । ଜିଲାରେ ଆଇନ୍ ଶୃଙ୍ଖଳା ଭୁଷୁଡି ପଡିଛି । ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ କରାଗଲା । ଏ ନେଇ ବ୍ଲକର ମହିଳା ଅଧ୍ୟକ୍ଷ ବିଡିଓଙ୍କୁ କରାଯାଇଥିବା ଦୁର୍ବ୍ୟବହାର ସଂକ୍ରାନ୍ତରେ ଥାନାରେ ଏତଲା ଦେଲେ । କିନ୍ତୁ ପୁଲିସ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ୱାର୍ଡ ମେମ୍ବର ହୋଇ ନଥିବା କୁଜି ନେତାଙ୍କୁ ପୁଲିସ ସୁରକ୍ଷା ଦେଉଛି । ବ୍ଲକର ବିକାଶ ମୂଳକ କାର୍ଯ୍ୟରେ ପୁଲିସ ଅଯଥା ହସ୍ତକ୍ଷେପ କରୁଛି । ଯାହା ଫଳରେ ମହିଳା ବିଡିଓଙ୍କୁ ଦୁର୍ବ୍ୟବହାର କରିବାକୁ କୁଜି ନେତାମାନେ ପଛାଉ ନାହାଁନ୍ତି । ଜିଲାରେ ଥିବା ବାଲି ଖାଦାନ ନିଲାମ ହେଉନାହିଁ । ଏହାକୁ ବିଜେପି ନେତା ଓ ପୁଲିସ ରାଧେ ରାଧେ  କରି ଖାଇ ଯାଉଛନ୍ତି । ବାଲି ଟ୍ରିପ ୨୦ ହଜାର ହୋଇଥିବା ବେଳେ ଗୋଡି ଟି୍ରପ ୪୦ ହଜାର ହେଲାଣି । ଏହାଦ୍ୱାରା ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଲିସ ଏଥିପାଇଁ ଦାୟୀ ବୋଲି ରାଜନଗର ବିଧାୟକ ଶ୍ରୀ ସାହୁ କହିଛନ୍ତି । ଏପରି ଅନ୍ୟାୟ ଓ ଅନୀତିକୁ ବିଜେଡି ସହିବ ନାହିଁ । ଆଗାମୀ ଦିନରେ ଏହାର କଡ଼ା ଜବାବ ଦେବ ବୋଲି ସେ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ଉପସଭାପତି ଭୀଷ୍ମ ମହାନ୍ତି, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଆଇନ୍ଜୀବୀ ଭୀମସେନ ଭୂୟାଁ, ଆଳି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଜିଲା ମହିଳା ବିଜେଡି ସଭାନେତ୍ରୀ ରୋସ୍ନା ସାହୁ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ପ୍ରଦୁ୍ୟମ୍ନ ସାମନ୍ତରାୟ, ରଞ୍ଜିତ ସାହୁ, ପ୍ରଦୀପ୍ତ ମହାନ୍ତି, ଲୋହିତ ମହାନ୍ତି, ପ୍ରମୋଦ ରଥ, ଆଲୋକ ସାହୁ, ହିରଣ୍ୟ ପଣ୍ଡା, ନିରଞ୍ଜନ ରାଉତ, ରାଜେଶ ପଣ୍ଡା, ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ, ରଶ୍ମିତା ସେଠୀ, ସ୍ୱାଧୀନ ନାୟକ, ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳାକୁ ନେଇ ପୁଲିସକୁ ତୀବ୍ର ସମାଲୋଚନା କରିବା ସହିତ ବିଜେପି ସରକାର ଏଥିପାଇଁ ଦାୟୀ ବୋଲି କହିଥିଲେ । ଏହାର ଉଚିତ ଜବାବ ଦିଆଯିବ ବୋଲି କର୍ମୀମାନେ ରଣହୁଙ୍କାର ଦେଇଥିଲେ । ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ ବକ୍ତବ୍ୟ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ରଶ୍ମିରଞ୍ଜନ ପରିଡା, ପ୍ରତାପ ନାରାୟଣ ମହାପାତ୍ର, ସମ୍ବିତ ଶ୍ରୀ ଚନ୍ଦନ, ହିବଜୁର ରହେମାନ, ପ୍ରଭାତ ଉଡାନ ସିଂ, ଯଯାତି ମହାନ୍ତି, ମଣ୍ଟୁ ମହାନ୍ତି, ମଧୁଛନ୍ଦା ମହାନ୍ତି, ମୋହନ ଆଚର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବାଦ ସଭା ପରେ ପରେ ଉପରିସ୍ଥ ନେତାଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଏସ୍ପି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରି ଗିରଫ ହୋଇଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଆନେ୍ଦାଳନ ପୂର୍ବରୁ କାର୍ଯ୍ୟାଳୟ ଛାଡି ପଳାଇଥିଲେ । 

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!