ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।

ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର) ତା :-୧୩ ଫେବୃଆରୀ ୨୦୨୬: ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳ ଓ ଆଦିବାସୀ ଯୁବତୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଜେ.କେ. ପେପର୍‌ର ସାମାଜିକ ସଂଗଠନ ‘ସ୍ପର୍ଶ’ ସୋସିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ (DSDEO ଅଫିସ ଉପରେ) ଏକ ‘ଯୁବ ସମ୍ବଳ କେନ୍ଦ୍ର’ (Youth Resource Centre) ଉଦଘାଟିତ ହୋଇଯାଇଛି।
ଏହି କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ (IAS) ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ କୁମାରୀ ସ୍ୱର୍ଣ୍ଣଲତା ରାଉତ, ସ୍ୱତନ୍ତ୍ର ଅତିଥି ଭାବେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଅର୍ଚ୍ଚନା ପଟ୍ଟନାୟକ ଏବଂ ଜେ.କେ. ପେପର୍ ମିଲ୍‌ର ବାଣିଜ୍ୟିକ ବିଭାଗ ଉପ-ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ପର୍ଶ (ଜେ.କେ. ପେପର୍ ସି.ଏସ.ଆର) ର ପରିଚାଳକ ଶ୍ରୀଯୁକ୍ତ ଆଦିତ୍ୟ ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।
ଏହି ଯୁବ ସମ୍ବଳ କେନ୍ଦ୍ର ବିଶେଷ କରି ଜିଲ୍ଲାର ଅବହେଳିତ ତଥା ଆର୍ଥିକ ଅନଗ୍ରସର ପରିବାରର ୫୦ ଜଣ ଆକାଂକ୍ଷୀ ଶିକ୍ଷିତ ଯୁବତୀଙ୍କୁ ମାଗଣାରେ ବ୍ୟାଙ୍କିଙ୍ଗ୍, SSC, ରେଳବାଇ, OSSC, OSSSC ଏବଂ ପୋଲିସ୍ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବ। ୯ ମାସ ଧରି ଚାଲିବାକୁ ଥିବା ଏହି ପାଠ୍ୟକ୍ରମରେ ଗଣିତ, ସାଧାରଣ ଜ୍ଞାନ, ଇଂରାଜୀ, ଓଡ଼ିଆ ବ୍ୟାକରଣ ଏବଂ କମ୍ପ୍ୟୁଟର ଶିକ୍ଷା ସହିତ ବ୍ୟକ୍ତିତ୍ୱ ବିକାଶ (Personality Development) ଉପରେ ଗୁରୁତ୍ୱ ଦିଆଯିବ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟର କନିଷ୍ଠ ନିଯୁକ୍ତି ଅଧିକାରୀ ଶ୍ରୀ ସନ୍ତୋଷ ନନ୍ଦ, ଅଧ୍ୟାପିକା ଶାନ୍ତିଲତା ଓ ଅଧ୍ୟାପକ ରମ୍ୟ ରଞ୍ଜନ ସାହୁ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ସ୍ପର୍ଶ ସୋସିଆଲ୍ ଫାଉଣ୍ଡେସନ୍ ଟିମ୍ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କେନ୍ଦ୍ର ଆଗାମୀ ଦିନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପିଲାଙ୍କ ମଧ୍ୟରେ ଥିବା ସୁଯୋଗର ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!