ବିୟୁରୋ ରିପୋର୍ଟ

ଭୁବନେଶ୍ୱର (ଆମ ଓଡ଼ିଶା ଖାବର )୬ଟି ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ସିରିଡି ଓ ନାସିକ କୁ ଆରମ୍ଭ କଲେ ତୀର୍ଥଯାତ୍ରା ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକ ସିରିଡି, ନାସିକ, କୋଲକତା ଦକ୍ଷିଣ କାଳୀ, କାମାକ୍ଷା, ଅଯୋଧ୍ୟା ଓ ବାରଣାସୀକୁ କରିବେ ତୀର୍ଥଯାତ୍ରା ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ପୁଣ୍ୟ ଅର୍ଜନ କରି ଖୁସିରେ ଘରକୁ ଫେରନ୍ତୁ- ମୁଖ୍ୟମନ୍ତ୍ରୀ ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି, ସେହିଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି

।ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି । ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ, କୋଲକତା ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଓ ବାଲେଶ୍ୱର ଷ୍ଟେସନରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଚଳାଚଳ କରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ସନାତନ ପରମ୍ପରା ଅନୁଯାୟୀ, ଜୀବନକାଳ ମଧ୍ୟରେ କିଛି କିଛି ଧର୍ମସ୍ଥଳୀ ଦର୍ଶନ କରି ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସମସ୍ତଙ୍କ ଇଚ୍ଛା ଥାଏ । କୌଣସି କାରଣ ବଶତଃ ଏହା ସମ୍ଭବ ହୋଇନଥାଏ । ଖୁସିର କଥା ଆପଣମାନଙ୍କ ପାଇଁ ବାବା ଭୋଲେନାଥ ଓ ସିରିଡି ସାଇଙ୍କ ଦରବାରକୁ ଡୋର ଲାଗିଛି ଏବଂ ଆପଣମାନେ ତାଙ୍କ ଦର୍ଶନ ପାଇଁ ଯାଉଛନ୍ତି । ନିଜର ଓ ନିଜ ପରିବାରର ମଙ୍ଗଳ କାମନା କରିବା ସହିତ ରାଜ୍ୟର ସମୃଦ୍ଧି ଓ ଉନ୍ନତି ପାଇଁ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ ।

ସେ ଆହୁରି କହିଥିଲେ ଯେ, ଭାରତୀୟ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧି ରଖିଛି ଆମ ମନ୍ଦିର ପରମ୍ପରା । ଅତୀତରେ ମନ୍ଦିର ପରମ୍ପରା ଆମ ସାଂସ୍କୃତିକ ଭାବ ବିନିମୟର କେନ୍ଦ୍ର ଥିଲା । ଆମ ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ଅର୍ଥନୀତିର ସମନ୍ୱୟ ପୀଠ ଥିଲା ମନ୍ଦିର । ସେଥିପାଇଁ ପ୍ରତ୍ୟେକ ଭାରତୀୟମାନେ ତୀର୍ଥସ୍ଥଳୀ ଓ ମନ୍ଦିର ପରିଦର୍ଶନ କରିବା ପାଇଁ ମନ ଭିତରେ ସବୁ ବେଳେ ଆଶା ରଖିଥାନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତୀର୍ଥଯାତ୍ରୀମାନେ ଯେପରି ସୁରୁଖୁରୁରେ, ସୁବିଧାରେ ଭ୍ରମଣ ଓ ଦର୍ଶନ କରିପାରିବେ ସେଥିପାଇଁ ସେମାନଙ୍କ ସହିତ ପୁରା ଯାତ୍ରା ସମୟ ପାଇଁ ସ୍ୱତନ୍ତ୍ର ଅଧିକାରୀ, ଗାଇଡ୍ ଓ ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ ନିଜ ଗ୍ରାମଠାରୁ ସେମାନେ ଯାତ୍ରା ଆରମ୍ଭ କରୁଥିବା ରେଳ ଷ୍ଟେସନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯିବା ଆସିବା ସୁବିଧା କରାଯାଇଛି । ଯାତ୍ରା ସମୟରେ ସେମାନଙ୍କର ରହିବା, ଖାଇବା ପିଇବା ସହିତ ରେଳ ଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା ସୁବିଧା ମଧ୍ୟ କରାଯାଇଛି । ଯାତ୍ରା ସମୟରେ ସମସ୍ତେ ସତର୍କ ରହିବା ସହିତ ନିୟୋଜିତ ଅଧିକାରୀ ଓ ଗାଇଡ୍ଙ୍କ ତତ୍ତ୍ୱାବଧାନରେ ତୀର୍ଥସ୍ଥଳୀ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ନୂଆ ସରକାର ରାଜ୍ୟର ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ଉତ୍ତମ ଜୀବନଯାପନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ବରିଷ୍ଠ ନାଗରିକମାନେ ସୁସ୍ଥ ରହିଲେ, ସେମାନଙ୍କ ମୁହଁରେ ହସ ଫୁଟିଲେ, ସେଇଟା ହିଁ ହେବ ରାଜ୍ୟ ପାଇଁ ବିଶେଷ କରି ମୋ ପାଇଁ ବଡ ଆଶୀର୍ବାଦ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ଆମ ରାଜ୍ୟର ସାଂସ୍କୃତିକ ପର୍ଯ୍ୟଟନର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ହେଉଛି ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହି ତୀର୍ଥଯାତ୍ରା ଆପଣମାନଙ୍କୁ ଏକ ନୂତନ ଦୃଷ୍ଟିଭଙ୍ଗୀ ଓ ଅନୁଭବ ପ୍ରଦାନ କରିବ । ଏହି ଯୋଜନା ମାଧ୍ୟମରେ ଆମେ ଆମ ବରିଷ୍ଠ ନାଗରିକଙ୍କ ଇଚ୍ଛାକୁ ଯଥାର୍ଥ ସମ୍ମାନ ଜଣାଇପାରୁଛୁ ।
ଏହି ଯୋଜନା ଆମ ବରିଷ୍ଠ ନାଗରିକମାନଙ୍କୁ ମାନସିକ ଓ ଧାର୍ମିକ ଶାନ୍ତି ପ୍ରଦାନ କରିବା ସହିତ ସେମାନଙ୍କର ତୀର୍ଥଯାତ୍ରା କରିବାର ସ୍ୱପ୍ନ ପୂରଣ କରୁଛି । କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପୁରୀ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ଉପସ୍ଥିତ ଥିଲେ । ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।