ପ୍ରତିମୂର୍ତ୍ତି ଉନ୍ମୋଚନ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ସ୍ଥିତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ବେଶ ଧୁମଧାମରେ ଉଦଯାପିତ ହୋଇଯାଇଛି | ଗତ ଡିସେମ୍ବର ଚବିଶି ତାରିଖରେ ଏହି ରୌପ୍ୟ ଜୟନ୍ତୀର ପ୍ରଥମ ଦିବସ ପାଳନ ହୋଇଥିବା ବେଳେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ଦେହତ୍ୟାଗ ପରେ ଦ୍ୱିତୀୟ ଦିବସର ଉଦଯାପନୀ ସମାରୋହକୁ ସ୍ଥଗିତ ରଖା ଯାଇଥିଲା | ବିଳମ୍ବରେ ହେଲେ ବି ଗୁରୁବାର ନେତାଜୀଙ୍କ ଜନ୍ମ ଜୟନ୍ତୀରେ ଏହି ସମାରୋହ ବେଶ ଧୁମଧାମରେ ପାଳନ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ଦ୍ବୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହା ସହ ବିଦ୍ୟାଳୟ ପରିସରରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଅହିଂସା ଆନ୍ଦୋଳନର ମୁକସାକ୍ଷୀ ସ୍ବର୍ଗତ ବଲ୍ଲଭ ନାୟକଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ | ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ନାହାକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରଶାସିକା ତଥା ଲେଖିକା ବିଦ୍ୟୁତପ୍ରଭା ରଥ, ବେଗୁନିଆପଡା ବ୍ଲକ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର,ବିଦ୍ୟାଳୟର ପୂର୍ବତନ ସମ୍ପାଦକ ଅରୂପା ନନ୍ଦ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଚିତ୍ରସେନ ପରିଡା, ଶିକ୍ଷକ ବିପ୍ର ଚରଣ ସାହୁ ପ୍ରମୁଖ ମଂଚାସୀନ ଥିଲେ | ସନମାନିତ ଅତିଥି ଭାବେ ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବରାଜ ମହାପାତ୍ର ଉପସ୍ଥିତ ଥିଲେ | ବିଦ୍ୟାଳୟର ଆନୁସଙ୍ଗିକ ଉନ୍ନତି ପାଇଁ ବିଧାୟକ ନିଜସ୍ୱ ହାତ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ଏବଂ ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ | ପର୍ଯ୍ୟାୟକ୍ରମେ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ପାଣ୍ଠି ପ୍ରଦାନ କରିବା ନେଇ ମଧ୍ୟ ସେ ଘୋଷଣା କରିଥିଲେ | ପରେ ବିଭିନ୍ନ ଖେଳ କୁଦ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ବିଧାୟକ | ଏହା ସହ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକ ମାନଙ୍କ ସମେତ ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ ସବୁ ବର୍ଗର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର ଜେନା ପରିଚାଳନା କରିଥିବା ବେଳେ ଶିକ୍ଷକ ତାରା ଶତପଥୀ,ଶୁକ୍ର ମାହାନ୍ତି,ନାରାୟଣ ସାହୁ,ଜିତେନ୍ଦ୍ର କୁମାର ନାୟକ,ନୀଳାଞ୍ଚଳ ସାହୁ,ସୁଶାନ୍ତ ସାମଲ, ସୌଜଦୀପ ମହାନ୍ତି,ପର୍ଶୁରାମ, ସୌମ୍ୟ, ମାଣିକ,ଲକ୍ଷ୍ମୀ,ମମତା,ଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ | ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ |ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ