ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ସମାରୋହ।

ଗଞ୍ଜାମ:( ଆମ ଓଡିଶା ଖବର)ଆସିକା ତା ୨୧/୨ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଓଡ଼ିଆ ଭାଷା ବିଭାଗର ସହଭାଗିତାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଏକ ଆଡ଼ମ୍ବର ସାହିତ୍ୟିକ ପରିବେଷ୍ଟନୀ ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ସାହିତ୍ୟର ସାହିତ୍ୟପ୍ରେମୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟରେ ଏକ ଭାବଗର୍ଭକ କବିତା ପାଠୋତ୍ସବ ହୋଇଥିଲା। ଓଡ଼ିଆ ବିଭାଗୀୟ ମୁଖ୍ୟା ଡ. ସ୍ମିତାରାଣୀ ପଣ୍ଡା ସ୍ବାଗତ ଭାଷଣରେ ସାଂପ୍ରତିକ ପରିସ୍ଥିତିରେ ଓଡ଼ିଆ ସାହିତ୍ୟର ମହତ୍ତ୍ବ ପ୍ରତିପାଦନ କରିଥିଲେ। ଓଡ଼ିଆ ଅଧ୍ୟାପକ ଡ. ଅଜିତ କୁମାର ମୁନୀ ସମାରୋହ ସଂଯୋଜନା କରିଥିଲେ। ଅଧ୍ୟାପିକା ସୁଶ୍ରୀ ଯୋଗେଶ୍ବରୀ ଧରୁଆ ସମୃଦ୍ଧ ମାତୃଭାଷା ଓଡ଼ିଆକୁ କିପରି ସମସ୍ତେ ଆଗ୍ରହ ପ୍ରକାଶ କରିବେ ତାହାର ସବିସ୍ତର ବିବରଣୀ ରଖିଥିଲେ। ମୁଖ୍ୟ ଅତିଥି ଏବଂ ମାନସ ପ୍ରବକ୍ତା ରୂପେ ସ୍ବମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ତ୍ରିପାଠୀ ସ୍ବଭାବ କବି ଗଂଗାଧର ମେହେରଙ୍କ ମାତୃଭାଷାର ଉକ୍ତି ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ କୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଆ ମାତୃଭାଷାର ମହତ୍ତ୍ବ ସଂଦର୍ଭରେ ମଧ୍ୟ କହିଥିଲେ। ଓଡ଼ିଆ ଭାଷାର ସାହିତ୍ୟ ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତ ହୋଇଥିଲେ ମଧ୍ୟ ଓଡ଼ିଆଙ୍କ ବୈମାତୃକ ମନୋଭାବ ପୋଷଣ ଦ୍ବାରା ଆଜି ସରକାରୀ ସ୍ତରରେ ସାର୍ବଜନୀନ ହୋଇ ପାରୁନାହିଁ, ଏହା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ ବୋଲି କହିଥିଲେ। ଏହାର ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ଓଡ଼ିଆ ଭାଷା ସାହିତ୍ୟର ଶିକ୍ଷାର୍ଥୀମାନଙ୍କୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ହିନ୍ଦୀ ଅଧ୍ୟାପକ ରାଜେଶ କୁମାର ସାହୁ କହିଥିଲେ ଯେ, ମାତୃଭାଷା ହିଁ ହୃଦୟର ସ୍ପନ୍ଦନ ଅଟେ। ମାତୃଭାଷାର ଜ୍ଞାନ ବିନା ଅନ୍ୟର ଯନ୍ତ୍ରଣାକୁ ହୃଦୟରେ ଅନୁଭବ କରି ହୁଏ ନାହିଁ। ପରିଶେଷରେ ଅଧ୍ୟାପକ ଡ. ମୁନୀ ଓଡ଼ିଆ ଭାଷାକୁ ଅଗ୍ରଣୀ ଭାଷାରୂପେ ଏକ ପରିଚ଼ୟ ସୃଷ୍ଟି କରିବା ପାଇଁ ଓଡ଼ିଆ ଭାଷା ସାହିତ୍ୟ ଛାତ୍ରଛାତ୍ରୀଙ୍କୁ ସଂଙ୍କଳ୍ପ କରାଇଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!