ଉଜ୍ଜଳପଲ୍ଲୀ ପ୍ରିମିଅର ଲିଗ ଟୁର୍ନାମେଣ୍ଟ ଉଦଯାପିତ

ଡେଂଜରିଅସ ଇଲେଭେନ ର ବାଜିମାତ

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଞ୍ଚାୟତର ଉଜ୍ଜଳପଲ୍ଲୀ ଠାରେ ଆୟୋଜିତ ଉଜ୍ଜଳପଲ୍ଲୀ ପ୍ରିମିଅର ଲିଗ ଟୁର୍ନାମେଣ୍ଟର ବୁଧବାର ଥିଲା ଫାଇନାଲ ଦିବସ | ଏହି ଫାଇନାଲ ମ୍ୟାଚରେ ଉଜ୍ଜଳପଲ୍ଲୀ ଇଲେଭେନ ସହିତ ଡେଂଜରିଅସ ଇଲେଭେନ ମଧ୍ୟରେ କଡା ମୁକାବିଲା ହୋଇଥିଲା | ବ୍ୟାଟ୍ସମ୍ୟାନ ମାନଙ୍କ କବଜାରେ ଥିଲା ସମ୍ପୂର୍ଣ ମ୍ୟାଚ | ଟସ ଜିତି ପ୍ରଥମେ ଉଜ୍ଜଳପଲ୍ଲୀ ଇଲେଭେନ ବ୍ୟାଟିଂ କରି ନିର୍ଦ୍ଧାରିତ ଦଶ ଓଭରରେ 122 ରନ ସଂଗ୍ରହ କରିଥିବା ବେଳେ ଜବାବରେ ଡେଂଜରିଅସ ଇଲେଭେନ ଦଳ ଚିତାକର୍ଷକ ବ୍ୟାଟିଂ କରି 8.2 ଓଭରରେ 123 କରି ଫାଇନାଲ ମ୍ୟାଚକୁ ଜିତି ନେଇଥିଲା | ଏପ୍ରିଲ 28 ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଆଖ ପାଖ ଅଞ୍ଚଳର ଟିମ ଭାଗ ନେଇଥିବା ବେଳେ ଶେଷ ଦିବସରେ ଖେଳକୁ ଉପଭୋଗ କରିବା ପାଇଁ ବହୁ ଖେଳପ୍ରେମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା | ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବିଜେପିର ଯୁବନେତା ନାରାୟଣ ସୁମନ୍ତରାୟ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ତଥା ରନର ଅପ ଦଳକୁ ପୁରସ୍କୃତ କରିଥିଲେ | ନିଜର ଶାରୀରିକ ଫିଟନେସ ନିମନ୍ତେ ଖେଳ ପ୍ରତି ସମସ୍ତେ ଆକୃଷ୍ଟ ହେବାକୁ ଉତ୍ସାହିତ କରିଥିଲେ ଶ୍ରୀ ସୁମନ୍ତରାୟ | ତେବେ ଏହି ଫାଇନାଲ ଦିବସରେ ମ୍ୟାନ ଅଫ ଦ ମ୍ୟାଚ ଭାବେ କୁନା ଦାଶ, ମ୍ୟାନ ଅଫ ଦ ସିରିଜ ଭାବେ ରାଜା ଦାଶ, ବେଷ୍ଟ ପ୍ଲେୟାର ଜିତୁ ଦାଶଙ୍କୁ ପୁରସ୍କୃତ କରାଯାଇଥିଲା | ଟୁର୍ନାମେଣ୍ଟର ଅନ୍ତିମ ଦିବସରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଲୁଲୁ କଁହର,ଭଗବାନ ଗୌଡ଼,ବୁଲୁ ବିଶୋଇ,ବିରାଟ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

error: Content is protected !!