(ଆମ ଓଡିଶା ଖବର ) ରାତିରେ ଦେଖି ଥିବା ସ୍ବପ୍ନକୁ ବାସ୍ତବ ଚିତ୍ର ଦେବାକୁ ଭଗିସାହୁ ତା’ ଜୀବନ ଜୀବିକା ଖୋଜେ ଖାଁ ଖାଁ ପଡିଥିବା ଡେକଚି, କଡେଇ,ଜାଲିଚଟୁ, କିରୋସିନି ଚୁଲି, ଡଙ୍କି, ଚାମଚ,ପ୍ଲେଟ୍, ଗ୍ଲାସ ମାନଙ୍କ ଗହଣରେ । ଅତି ଆପଣାର ଲାଗନ୍ତି ସେଗୁଡିକ । ଯଦିଓ ଜଡ ତଥାପି ଭଗିଆ ହାତ ବାଜିଲା ମାତ୍ରେ ଜୀବନ୍ତ ହୋଇ ଉଠନ୍ତି ।ଖଡ ଖଡ, ସେଁ ସାଁ ଶବ୍ଦରେ ଭଗି ନିଜକୁ ହଜେଇ ଦିଏ ।ହେଲେ ସତେ ଯେପରି କା’ ଆଦେଶରେ ଆଜି ସବୁ ନିସ୍ତବ୍ଧ, ଚୁପ୍ ଚାପ୍ । କୁଡିଆ ଆଗରେ ଅପେକ୍ଷାରତ ଠେଲାଟି ବି ଯିବା ଯିବା ହେଉଛି କିନ୍ତୁ ନା ପାଏ ଆଦେଶ,ନା ଅଛି ଶକ୍ତି ଗଡି ଚାଲିଯିବ? ଚକ ,ଅଖ କଳଙ୍କି ଧରି ଗଲାଣି ।
ଅନେକ ପ୍ରଶ୍ନ ଉତ୍ତର ମଧ୍ୟରେ ଗୋଳେଇ ଘାଣ୍ଟି ହୋଇ ପଚାରି ବସେ ହେ ପ୍ରଭୁ ମୋ ନାଁ ବାପା ମାଆ ଅତି ସରାଗରେ ଭଗିଆ ରଖି ଥିଲେ ତୁମର କୃପା ବାରି ମୋ ଉପରେ ପଡୁଥାଉ ବୋଲି ଅଥଚ ତୁମେ ମୋତେ ପରୀକ୍ଷା ପରେ ପରୀକ୍ଷା କରି ଚାଲିଛ ।ଛତି,ହାତୀ, ଘୋଡା, ସୈନ୍ଯ ସାମନ୍ତ,ପାତ୍ରମନ୍ତ୍ରୀ, ସାରଥୀ ଯଥା ତୁମର ଯେତେ ସେବକ ଅଛନ୍ତି ତୁମ ସୁସଜ୍ଜିତ ଯାନ ନଗଡିଲା ବେଳେ ବିଭିନ୍ନ ଉପାୟ ଅବଲମ୍ବନ କରି ତୁମର ଯାତ୍ରା ସଫଳ କରାଇଥାନ୍ତି ।ଉପସ୍ଥିତ ଭକ୍ତ ଜନସମୂହକୁ ଖୁସି କରାଇବା ପାଇଁ ତୁମେ ନନ୍ଦିଘୋଷରେ ବସି ମୁରୁକି ହସୁଥାଅ ।ଆରକ୍ଷୀ ବଳୟ ମଧ୍ୟରେ ଭକ୍ତ ଗଣ ତୁମ ରଥ ଚାରିପଟେ ଘେରି ରହିଥାନ୍ତି ।ତୁମ କୃପା ପାଇବା ପାଇଁ ଉପରକୁ ହାତ ଟେକି ସମର୍ପଣ କରି ଚାଲିଥାନ୍ତି ।ତୁମେ ବାଣ୍ଟି ଚାଲ ନିଃସ୍ଵାର୍ଥ ରେ ତଥା ବିନା ମୂଲ୍ଯରେ ତୁମର ଅଶେଷକରୁଣା ।ତୁମେ ସିନା ଜଗତର ନାଥ ବୋଲି ଦେବତା ମାନେ ପୁଷ୍ପ ବୃଷ୍ଟି କରନ୍ତି, ଇନ୍ଦ୍ର ରାଢା ଗ୍ରୀଷ୍ମ ତାପ ଉପଶମ ପାଇଁ ପାଣି ପାଗ ବଦଳାଇ ଥାନ୍ତି ।ଡାହୁକ ଡାକେ,ଘଣ୍ଟବାଜେ, ତୂରୀ ବୋବାଏ, ଚକଗଡେ,ରଥଚାଲେ । ମାଉସୀ ଘର ପୋଡ ପିଠା ଖାଇ ତୁମେ ଏଉଡି ମାର ।
ହେଲେ—-ତା’ ଠେଲା?
ପାଖରେ ନା ଅଛନ୍ତି ଆରକ୍ଷୀ, ନା ଗହଳ ଚହଳ ।ଭଗି ପାଇଁ ପାଣି ପାଗ ବଦଳେନି ।ଘଣ୍ଟ, ତୂରୀ ତା’ ପାଇଁ ନିରବ ।ଫୁଲ କଥା ଛାଡ ।ସତେ ଯେପରି ଦୁଃଖର ପାହାଡଟା ତା’ ଆଗରେ ଦଣ୍ଡାୟମାନ ।ତଥାପି ସେ ମନକୁ ଦୃଢ କରେ ।ଅନେକ ଧୈର୍ଯ୍ଯ ଓ ସାହସକୁ ପୁଞ୍ଜିଭୁତ କରି ନିଜକୁ ତା’ଜଗତର ସେ ନାଥ ବୋଲି ଭାବୁଥିଲା ବେଳେ ତା’ର ସ୍ତ୍ରୀ, ପିଲା ତା’ ସୁସଜ୍ଜିତ ଠେଲାକୁ ଗଡେଇ ନେବା ପାଇଁ ଅଣ୍ଟାଭିଡି ମନ ଆଣ୍ଟ କରି ଇନ୍ଧନ ଯୋଗାନ୍ତି ।ପୁଣି ସେ ସଜାଡେ ତା’ ସରଞ୍ଜାମ ଯାହା ନିତି ଦିନିଆ ଜୀବିକାର ଉପାଦାନ ।
ହଠାତ୍ ସହରର ଗଳି କନ୍ଦିରେ ଡାକବାଜି ଯନ୍ତ୍ର ରେ ତୁହାଇ ତୁହାଇ କୁହାଯାଉ ଥିବା ଶବ୍ଦ ତା’ ମନକୁ ଦୁର୍ବଳ କରିଦିଏ ।ବ୍ଯଥିତ ମନରେ ସଜାଡୁ ଥିବା ସରଞ୍ଜାମ ଥାକ ମାରି ରଖୁରଖୁ କୁହେ ଆଉ କେତେ ଦିନ ଲାଗିବ କେଜାଣି ପୁଣି ଆଜିଠାରୁ ସହର,ବଜାର, ଦୋକାନ, ରାସ୍ତା, ଛକ ସବୁ ବନ୍ଦ ।କେହି ବାହାରକୁ ବାହାରିବେନି ।ମଣିଷ ପଣିଆ ନଥିବା କିରାଣା ଦୋକାନ ମାଲିକଟା ବାକି ନେଇଥିବା ସଉଦାର ମୂଲ୍ଯ ଧମକ ଦେଇ ମାଗିଲା ବେଳେ ବିଚରା ଭଗିଆ ତା’ ପିଲାଛୁଆଙ୍କୁ ଅନେଇ ଭାବେ କ’ଣ ଦେଇ ଏମାନଙ୍କୁ ଦୁନିଆର ସ୍ବାଦ ଚଖେଇବି ? ସାହୁକାରର କଡା ତାଗିଦ ।କ’ଣ କର,ମୋର ବାକି ଟଙ୍କା ଯଥା ଶୀଘ୍ର ପରିଶୋଧ କରିବାକୁ ଚେଷ୍ଟାକର ।ମୁଣ୍ଡରେ ହାତ ଦେଇ ଅନେକ ଭାବେ ଭଗି ।ଖୋଜିବସେ ଅଡୁଆ ସୂତାରୁ ଖିଅ ।
ଚିନ୍ତା, ଭୋକିଲା ପେଟରେ ନିଦ। ରାତିପାହେ । ପେଟ ପିଠିକୁ ଛୁଏଁ ।ହା ଅନ୍ନ ଚମତ୍କାର । ପିଲାଗୁଡାଙ୍କ କରୁଣ ଚାହାଁଣୀରୁ ଭଗି ଠଉରେଇ ନିଏ ବାପା ଆମକୁ କିଛି ଖାଇବାକୁ ଦିଅ ।ମାଆ କୋଳରେ ଲାଖି ଯାଆନ୍ତି ।କେତେ ବା ଆଶାସ୍ବନା ଦେବ ? କାକୁସ୍ଥରେ ଡାକେ ହେ ଦୁଃଖ ହର୍ତ୍ତା ସୁଖ କର୍ତ୍ତା ଏବେ ସିନା ତୁମ ପାଇଁ ଷାଠିଏ ପୌଟି ବଢା ହେଉନି ବୋଲି ତୁମ ବଜାର ଗହଳ ଚହଳ ନାହିଁ ତଥାପି ତ ତୁମେ ସଂଜ ସକାଳେ ଲୁଚି ଛପି ଖାଉଛ ।ତେବେ ମୋତେ କାହିଁକି ସେଥିରୁ ବଞ୍ଚିତ କରୁଛ ?
କବାଟରେ ଠକ୍ ଠକ୍ ଶବ୍ଦ ।ଭଗି ଦୁଆର ଖୋଲି ଦେଖେ କେତେ ଜଣ ଯୁବକ, ଯୁବତୀ, କିଛି ପରିଣତ ବୟସର ଭଦ୍ର ବ୍ଯକ୍ତି ଓ ମହିଳା ଠିଆ ହୋଇଛନ୍ତି ।ଭଗିର ଅତି ଚିହ୍ନା ସେମାନେ ।ପ୍ରାୟତଃ ସଂଜ ସକାଳେ ସେମାନେ ହିଁ ଭଗିର ସଂସାରକୁ ଆଗେଇ ନେବାକୁ ସହାୟତା କରିଥାନ୍ତି ।ଭଗିର ହାତ କୁଆଡେ ସ୍ବାଦିଷ୍ଟ ଖାଦ୍ଯ ପ୍ରଦାୟକ ।
ଅଗ୍ରୀମ ଦେଇ ସେମାନେ ଚାଲିଗଲେ ।ବାପ ରାଣ ଢିଙ୍କି ଗିଳ ପରି ଘରେ ପ୍ରସ୍ତୁତ କରି ସେମାନଙ୍କ ଘରେ ଖାଇବା ପହଞ୍ଚାଇ ଦେବାପାଇଁ ।କେମିତି ବା ମନା କରିଥାନ୍ତି? ସେମାନେ ଯେ ଭାରତୀୟ ପରମ୍ପରାର ଶୁଦ୍ଧ ସାକାହାରୀ।ଯେତେ ସ୍ବାଦିଷ୍ଟ ଖାଦ୍ଯ ଭଗି ସେମାନଙ୍କୁ ଆଗରୁ ଯୋଗାଇଥାଏ ।ଭଗିଟା ଅତି ସରଳିଆ ।ପାଠ ପଢିନି ସିନା ହେଲେ ଶିକ୍ଷିତ ମାନେ ତା’ଠୁ ଭଦ୍ର ବ୍ଯବହାର ଶିଖିବା ବେଳେ ବେଳେ ଆବଶ୍ଯକ ପଡେ ।ସରକାରୀ ନୀତି ନିୟମକୁ ସମ୍ମାନ ଦିଏ ।ଡରି ଡରି ସେମାନଙ୍କ ଠାରୁ ଅଗ୍ରୀମ ରଖିଲା ।ସରକାରୀ ବିଧାନ ।ସେପଟେ ପିଲାମାନଙ୍କ ଉପାସିଆ ପେଟ।କିଂ କର୍ତ୍ତବ୍ୟ ବିମୁଢ ।ଜୀବନ ରାସ୍ତାର ଦୋ ଛକିରେ ଠିଆ ହୋଇ ଅଣନିଃଶ୍ବାସି ଭଗି ସିଦ୍ଧାନ୍ତରେ ପହଞ୍ଚିଲା ଆପେ ବଂଚିଲେ ବାପାର ନାଁ ତଥାପି ସ୍ବାଭିମାନ ଓ ସମ୍ମାନର ସହ।ଈଶ୍ବରଙ୍କୁ କୋଟି ଧନ୍ୟବାଦ ଜଣାଏ ସବୁ ଆପଣଙ୍କ ଇଚ୍ଛା।
ନୀଡରେ ପକ୍ଷୀ ଶାବକ ଚେଁ ଚାଁ ହେଲାପରି ଘରେ ପିଲାମାନଙ୍କ ଖୁସିର ସ୍ବର ଭଗି ସାହସକୂ ବଢାଇ ଦିଏ ।ଚୁଲି ଫଁ ଫଁ ହୁଏ । ଚିରାଚରିତ ପ୍ରଥାରେ ସବୁ ଚାଲେ ।ଜୀବନ ଯାତ୍ରା ପୂର୍ବପରି ବଳବତ୍ତର ରହେ ।
ଠେଲାଟି ଦୁଃଖରେ ଦାଣ୍ଡରେ ଠିଆ ହୋଇ ସହର ସାହି ଛକର ବାସ୍ନାକୁ ମନେ ପକାଇବା ଭଗି ଅନୁଭବ କରେ ।
ଅନେକ ଦିନର ପୁରୁଣା ସାଇକେଲ ଟିଏ ।ଶ୍ବଶୁର ଘର ଖୁସିରେ ଦେଇଥିଲେ ।ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଆଗରେ ଭଗି ବର୍ଣ୍ଣନା କଲା ବେଳେ ସଂଧ୍ୟା ଭ୍ରମଣ କରୁଥିବା ତା’ ସାଙ୍ଗ ସାଥୀ ଟିକେ ଟାପରା କରି କହୁଥିଲେ ପୁରୁଣା ହେଲେ କ’ଣ ହେଲା ଆଜି ବି ଚମୁକୁଛି ।(ଓଲଡ୍ ଇଜ୍ ଗୋଲଡ୍) ଇଂରାଜୀ ଜାଣେନି ସିନା ତଥାପି ବୁଝିପାରିବା ଅଭିନୟ କରି ପେଡାଲ ଉପରେ ପେଡାଲ ମାରି ଗୁଣୁ ଗୁଣୁ ଗୀତ ଗାଇ ଚାଲିଯାଏ ତା’ ଲକ୍ଷ୍ଯ ସ୍ଥଳରେ ପହଞ୍ଚିବା ପାଇଁ ।
କ୍ରିଂ କ୍ରିଂ ।
କିଏ ଦୂରଦର୍ଶନ ସିରିଏଲ୍ ରେ ମଜ୍ଜି ରହିଥାଏ ତ କିଏ ଶୂନ୍ଯଭାଷ ଯନ୍ତ୍ର ଧରି ଟିକ୍ ଟାକ୍ ରେ ବ୍ଯସ୍ତ ।ବାବୁ, ମାଆ ।ଡାକି ଡାକି ପାଟି କ’ଣ ହୋଇଗଲା ।ଲଗାତର ବେଲ୍ ଟି, ଭି ଶବ୍ଦଠାରୁ ଅଧିକ ହଲାପରେ ଦୁଆର ଖୋଲି ପୁଣି ବରାଦ ।
କ’ଣ କରିଥାନ୍ତା ଅବା ସେ ।ସହର,ବଜାର ଛକ ଶୂନ୍ ଶାନ ଥିଲାବେଳେ ସେ କେଉଁଠି ଠେଲା ରଖି ଅଣ୍ଡାଳି ସାଉଁଟି ଥାନ୍ତା ତା’ ଚାରିପ୍ରାଣୀଙ୍କ ନିଃଶ୍ବାସ ପ୍ରଶ୍ବାସ ? ସେଇଥି ପାଇଁ ତ ରାଜଦାଣ୍ଡରେ ତା’ ଠେଲା ନଗଡାଇ, ଗହଳ ଚହଳ ଠାରୁ ଦୂରରେ ରହି, ମୁହଁକୁ ଆବୃତ କରି ସାଇକେଲ ଧରି ଧାଇଁ ଯାଏ ତା’ ପେଟପାଟଣା କରିବାକୁ ।
ବାଟରେ ଯାଉଥିବା ଲୋକେ କଥାବାର୍ତ୍ତା ହେବା ତା’ କାନରେ ବାଜେ ।ଭଗିଆଟା ଅଶିକ୍ଷିତ ହେଲେ କ’ଣ ହେବ ? ଭାରି ସଚ୍ଚୋଟ,ନୀତିନିୟମକୁ ସମ୍ମାନ ଦିଏ।ଖୁସିବାସିଆଟିଏ । ତା’ ଦୁଃଖ ତା’ର।ପର ଚିନ୍ତନ,ପର ଦର୍ଶନ ଠାରୁ ସଦା ଦୂରରେ ।କା’ କଥାକୁ କାନ ଦିଏନି ।ସଂଜ ସକାଳେ ତା’ ଠେଲା ପାଖରେ ବହୁତ ଭିଡ ।ଆଜି ସିନା ସାଇକେଲ ଧରି ଦୁଃଖ ଧନ୍ଦା କରୁଛି ହେଲେ ତା’ ଦୁଃଖ ନିଶ୍ଚୟ ସରିବ । ସମୟ ଆସିବ । ତା’ ଭାତହାଣ୍ଡିରେ ପାଏ ଚାଉଳ ବଦଳରେ ତିନି ପା’ ଚାଉଳ ଫୁଟିବ । ପୁଣି ସେ ସହର ବଜାର ଛକରେ ଠେଲା ଠିଆ କରି ସ୍ବାଭିମାନ ଓ ଆତ୍ମସମ୍ମାନକୁ ପାଥେୟ କରି ବିନମ୍ର ସହ କହିବ ନିଅ ବାବୁ, ନିଅନ୍ତୁ ସାର୍, ନିଅନ୍ତୁ ଆଜ୍ଞା।
ଆଉ ପଦବୀ କିଣା ଉପାଧିଆ ମାନେ ବାଡି ବାଇଗଣର ସ୍ବାଦ ନଚାଖି ତଳକୁ ମୁହଁ କରି ଧାଉଁଥିବେ ମଧୁମେହ ଓ ରକ୍ତ ଚାପ ରୋଗର ବାହକ ଆଡକୁ ଯେଉଁଠି କେବଳ ଆଶ୍ବାସନା ଓ ପରାମର୍ଶ ଥିବ ଔଷଧ ଖାଆ ଓ ବ୍ଯାୟାମ କର ।
ନଚେତ୍——–
(ଲେଖକ ):-ଜୟଦେବ ସିଠ ।ଅବସର ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ।ରାୟଗଡ ।୯୪୩୭୫୨୭୩୪୯।
More Stories
୮୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ l
ନାରୀ ନିର୍ଯ୍ୟାତନା କୁ ନେଇ କଂଗ୍ରେସ ଦଳ ପକ୍ଷରୁ ମଶାଲ ଶୋଭାଯାତ୍ରା।
ଗୁଡ଼ାରୀ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର