ମହାବିଦ୍ୟାଳୟ ସ୍ତରୀୟ ଉଦ୍ଭାବନ ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ସମାପନ ସମାରୋହ।

(ଦକ୍ଷ କୁଶଳି, ରୋଜଗାରକ୍ଷମ, ଆତ୍ମନିର୍ଭରଶୀଳ ଏବଂ ଉଦ୍ୟୋକ୍ତାର ସଠିକ୍ ମାର୍ଗ : ପି.ଏମ୍. ଇଣ୍ଟର୍ଣ୍ଣସୀପ୍ – ଅଧ୍ୟକ୍ଷ)

(କୌଣସି କାର୍ଯ୍ୟକୁ ନିମ୍ନ ନ ମାନି ଉଦ୍ଭାବନ ଧାରଣାକୁ କାର୍ଯ୍ୟରେ ପ୍ରୟୋଗ କରିବା ହିଁ ବିକଶିତ ଭାରତର ସାର୍ଥକତା – ସମ୍ମାନିତ ଅତିଥି)

ଗଞ୍ଜାମ:ଆସିକା ତା ୧/୫ : ଭାରତ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିବା ମହାବିଦ୍ୟାଳୟ ସ୍ତରୀୟ ଉଦ୍ଭାବନ ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ସମାପନ ସମାରୋହ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପୀଠୀଙ୍କ ତତ୍ତ୍ବାବଧାନରେ ସଂପାଦିତ ହୋଇଯାଇଛି। ସଂଯୋଜକ ଇଁରାଜୀ ଅଧ୍ୟାପକ ଶୁଭେନ୍ଦୁ କୁମାର ରଥ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପୂର୍ବକ ମଞ୍ଚାସୀନ କରାଇଥିଲେ। ଅଧ୍ୟକ୍ଷ ସମାରୋହରେ ସ୍ବାଗତ ଭାଷଣ ଏବଂ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ସଂଦର୍ଭରେ ଅଭିଭାଷଣ ରଖିଥିଲେ। ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସାର୍ଥକ କରିବା ପାଇଁ ଏବଂ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପି.ଏମ୍. ଉଣ୍ଟର୍ଣ୍ଣସୀପ୍’ ଯୋଜନାର ବିଭିନ୍ନ କାର୍ଯ୍ୟପନ୍ଥା ତାଲିମରେ ଶାମିଲ ହୋଇ ଦକ୍ଷ କୁଶଳି, ରୋଜଗାରକ୍ଷମ, ଉଦ୍ୟୋକ୍ତା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ମଧ୍ୟ ଆହ୍ବାନ କରିଥିଲେ ଅଧ୍ୟକ୍ଷ। ପ୍ରଶାସନିକ ଅଧିକାରୀ ଡ. ଶଂକର ପ୍ରସାଦ ଅଧିକାରୀ ରୋଜଗାର କରିବା ପାଇଁ ନୂତନ ଉଦ୍ଭାବନର ଅସୁମାରୀ ଧାରଣା ପି.ପି.ଟି. ସ୍ଳାଇଡ୍ ଶୋ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ। ନିଜର ଧୀଶକ୍ତି, ବୁଦ୍ଧି ଓ ଜ୍ଞାନର ସଠିକ୍ ଉପଯୋଗରେ ନୂତନ ଉଦ୍ଭାବନକୁ ଆରମ୍ଭ କରିପାରିଲେ ସମାଜରେ ଲବ୍ଧ ପ୍ରତିଷ୍ଠିତ ଉଦ୍ୟୋକ୍ତା ହୋଇ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ ପ୍ରଶାସନିକ ଅଧିକାରୀ। ଶୈକ୍ଷିକ ଅଧିକାରୀ ଡ. ସନ୍ତୋଷ କୁମାର ଚୌଧୁରୀ କୌଣସି କାର୍ଯ୍ୟକୁ ନିମ୍ନ ନ ମାନି ନିଜର ଉଦ୍ଭାବନ ଧାରଣାକୁ କାର୍ଯ୍ୟକ୍ଷେତ୍ରରେ ଉଦ୍ଜିବୀତ କରି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତରେ ନିଜକୁ ନିୟୋଜିତ କରିବା ପାଇଁ ଯୁବାପୀଢ଼ୀଙ୍କୁ ଆଗ୍ରହ କରିଥିଲେ। ବାଣିଜ୍ୟ ଅଧ୍ୟାପିକା ବନଶ୍ରୀ ମହାନ୍ତି
ଶିକ୍ଷାର୍ଥୀ ମାନଙ୍କୁ କେବଳ ଚାକିରି ପଛରେ ନ ପଡ଼ି, ନୂତନ ଉଦ୍ଭାବନର ଅୟମାରମ୍ଭରେ କିପରି ଏକ ଉଦ୍ଦୋଗପତି ହୋଇପାରିବେ ତାହାର ବାଣିଜ୍ୟିକ ଉଦାହରଣ ରଖିଥିଲେ। ଯୁକ୍ତ ତିନି ଦ୍ବିତୀୟ ବର୍ଷ ପ୍ରାଣୀବିଜ୍ଞାନୀ ସମ୍ମାନର ମେଧାବୀ ଛାତ୍ର ହିମାଂଶୁ ରୟଜିତ ଜେନା ମଧ୍ୟ ଗ୍ରାମାଞ୍ଚଳର କୃଷି କ୍ଷେତ୍ରରେ ନିଜକୁ କିପରି ନିୟୋଜିତ କରିପାରିବେ ଏବଂ ଉପାର୍ଜନର ପନ୍ଥା ଅବଲମ୍ବନ କରିପାରିବେ, ସେଥିପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଆଗେଇ ଆସିଥିଲେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ। ଉକ୍ତ ପରିପ୍ରେକ୍ଷୀ ନିମନ୍ତେ ଆୟୋଜିତ ବତ୍କୃତା, ନିବନ୍ଧ, କେରମ ଏବଂ ଚ଼େଶ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ କରକମଳରେ ଟ୍ରଫିଜନିତ ପୁରଷ୍କାର ଏବଂ ପ୍ରମାଣପତ୍ର ଦ୍ବାରା ସମ୍ମାନିତ କରାଯାଇଥିଲା। ସଭା ପ୍ରକୋଷ୍ଠରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବାର ନଜିର ରହିଥିଲା। ପରିଶେଷରେ ସଂଯୋଜକ ଯୁବ ଅଧ୍ୟାପକ ଶୁଭେନ୍ଦୁ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!