” ମାନବତା”

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର):-
ମଗୁଶିର ମାସ ଶେଷ ଗୁରୁବାର। ଘରେ ମାଣବସା ନଥିଲେ ବି ମା’ ଲକ୍ଷ୍ମୀଙ୍କ ପୂଜା ବିଧି ବିଧାନ ପ୍ରକାରେ ହୁଏ। ପିଠାପଣା, ଖିରି ଖେଚେଡ଼ି ହୋଇ ଥାଏ। ଏକ ଆଧ୍ଯାତ୍ମିକ ପରିବେଶର ଆନନ୍ଦ। ପରିବାରର ମାନ୍ଯଗଣ୍ଯ ମନା କରିବା ସତ୍ତ୍ବେ ଅଭିମନ୍ୟୁ ବାବୁ ରାୟଗଡ଼ ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ସାରଳା ବସ୍ ପାଇଁ ଶୂନ୍ଯପଥରେ ଅଗ୍ରୀମ ଟିକେଟ କରି ଦେଇଥାନ୍ତି। ବସ୍ ରାଜଧାନୀରୁ ବାହାରି ନୟାଗଡ଼ ଦେଇ ଯାଏ। ପ୍ରାୟ ସେ ସେଇ ବସ୍ ରେ ଯିବା ଆସିବା କରନ୍ତି। ଜନ୍ମ ଜୀବନ ନୟାଗଡ଼। କର୍ମ ଜୀବନ ରାୟଗଡ଼। ଦୁଇ ଗଡ଼ ତାଙ୍କର ଅତି ପ୍ରିୟ। ଅବସର ପରେ ପିଲାମାନେ ଯେଉଁଠି ସେ ସେଇଠି। ସୁଯୋଗ କ୍ରମେ ସେଦିନ ବସ୍ ର ଯାନ୍ତ୍ରିକ ଅସୁବିଧା ହେତୁ ବସ୍ ଆସିଲାନି। ବସ୍ ପରିଚାଳକ ଠାରୁ ସୂଚନା ପାଇ ଅଭିମନ୍ୟୁ ବାବୁଙ୍କ ଯାତ୍ରା ବନ୍ଦ ହେଲ। ଭାବିଲେ ପରିବାର ଲୋକଙ୍କ ଆତ୍ମୀୟତା ଓ ମା’ ଲକ୍ଷ୍ମୀଙ୍କ ଆଶିଷ ମୋତେ ଅଟକାଇ ଦେଲା। ପରେ ଖବର ତନ୍ତ୍ରରୁ ସୂଚନା ପାଇଲେ ସେଦିନ କୌଣସି ବଡ଼ ଦୁର୍ଘଟଣା ଯୋଗୁଁ ରାସ୍ତା ରୋକ ଥିଲା। ଭଗବାନଙ୍କୁ କୋଟି ପ୍ରଣାମ ଓ ଧନ୍ଯବାଦ ଜଣାଇ ତା’ପର ଦିନ ଘରୁ ବାହାରିଲେ।
      ରାତି ପ୍ରାୟ ଦଶଟା ତିରିଶ ମିନିଟ୍। ବସ୍ ଠିକ୍ ସମୟରେ ପହଞ୍ଚିଲା। ଅଭିମନ୍ୟୁ ବାବୁ ସ୍ବଳ୍ପ ଜିନିଷ ଧରି ବସ୍ ରେ ଚଢ଼ିଲେ। ପୂର୍ବ ସଂରକ୍ଷିତ ନିର୍ଦ୍ଧାରିତ ସ୍ଥାନରେ ବସିଲେ। ବାତାନୁକୁଳିତ ଦ୍ରୁତଗାମୀ ଚାଳିତ ବସ୍। ତାଙ୍କୁ  ଗାଡ଼ିରେ ନିଦ ହୁଏନି ତେଣୁ ସେ ଅନେକ ଭାବନା ଭିତରେ ବୁଡି ରୁହନ୍ତି। ବୟସ ନେଇ ଅବଶ ଲାଗେ। କେତେବେଳେ କେମିତି ହାଲୁକାରେ କ୍ଷୀଣ ସମୟ ଆଖି ମାଡ଼ି ପଡ଼େ। ତଥାପି ସେ ଜାଗ୍ରତ ରୁହନ୍ତି।
     ରାତି ପାହି ଆସୁଥାଏ। ଗାଡି ରାୟଗଡ଼ ପାଖାପାଖି ହେଉଥାଏ। ଆଉ ପ୍ରାୟ ଦଶ କିଲୋମିଟର ଦୂର। ବସ୍ ପରିଚାଳକର ବଡ଼ ପାଟିରେ ସୂଚନା। କାଳେ କିଏ ଶୋଇ ପଡ଼ିଥିବେ। ସହରର କିଏ କେଉଁ ସ୍ଥାନରେ ଓହ୍ଲାଇବେ। ପ୍ରାୟତଃ ଅଭିମନ୍ୟୁ ବାବୁ କପିଳାସ ଛକରେ ଓହ୍ଲାଇ ଥାନ୍ତି। ଅଟୋ ରିକ୍ସା ଗାଡ଼ିରେ ଘରକୁ ଯାଇଥାନ୍ତି। ଆଜି ତାଙ୍କର ମନ ଟିକେ ଅଲଗା ପ୍ରକାର। ଭାବୁଥାନ୍ତି ଯଦି ଆଜି ରିକ୍ସାଟିଏ ମିଳନ୍ତା ସେଥିରେ ବସି ଘରକୁ ଯାଆନ୍ତି।
   ବସ୍ ରହିଲା। ସେ ଓହ୍ଲେଇ ଦେଖିଲେ ଅଟୋ ରିକ୍ସା ଚାଳକ ମାନଙ୍କ ପ୍ରବଳ ଭିଡ଼। ପ୍ରଶ୍ନ ପଚାରିବା ସ୍ବାଭାବିକ। କେଉଁଠିକୁ ଯିବେ? ତାହା ତାଙ୍କର ଜୀବନ ଜୀବିକା। ଅଭିମନ୍ୟୁ ବାବୁଙ୍କ ଆଖି ଏଣେତେଣେ ଘୁରିବୁଲୁଥାଏ। ହଠାତ୍ ତାଙ୍କ ନଜରରେ ପଡ଼ିଲା ଅନତି ଦୂରରେ ଏକ ରିକ୍ସା ଅଛି। ଚାଳକଟି ତା’ ଉପରେ ବସି ଘୁମାଉଛି। ଅଟୋ ଚାଳକମାନଙ୍କ ଭ୍ରୁକୁଞ୍ଚନକୁ ଅଣଦେଖା କରି ବଡ଼ ପାଟିରେ ଡାକିଲେ। ହେ! ରିକ୍ସା। ଏତେ ଜୋର୍ ଡାକ ଶୁଣି ରିକ୍ସାବାଲାର ନିଦ ଭାଙ୍ଗି ଗଲା। ପାଖକୁ ରିକ୍ସା ଆଣି ପଚାରିଲା   କୁଆଡେ ଯିବେ ସାର୍? ତା’ର ବ୍ଯାକୁଳତାରୁ ଜଣା ପଡ଼ୁଥିଲା ବୋଧେ ଦୁଇ ଦିନ ହେଲା ଚକ ଗଡ଼ିନି।
    ଗୌତମ ନଗର ଯିବୁ?  ଯିବି ସାର୍। କେତେ ଟଙ୍କା ନେବୁ? ସତୁରି ଟଙ୍କା ସାର୍। ସତୁରି ଟଙ୍କା? ଅଟୋବାଲା ଏଠାରୁ ଶହେ ଟଙ୍କା ନେଉଛନ୍ତି ସାର୍। ମୁଁ ତ ମାତ୍ର ସତୁରି ଟଙ୍କା ନେବି। ଅଭିମନ୍ୟୁ ବାବୁଙ୍କୁ ନେଇ ରିକ୍ସା ଘର ମୁହାଁ  ଗଡ଼ିଲା।
     ଅଭିମନ୍ୟୁ ବାବୁଙ୍କ ଏକ ଅଭ୍ଯାସ ଅପରିଚିତକୁ ଦେଖିଲେ ତା’ର ଭଲମନ୍ଦ ପଚାରି ବୁଝନ୍ତି। ରିକ୍ସା ଚାଲିଥାଏ। ଅଭିମନ୍ୟୁ ବାବୁ ପଚାରିଲେ ଆଛା  ତୁମେ ଗତକାଲି ରାତିରେ ଶୋଇନଥିଲ  କି? ରିକ୍ସାରେ ବସି ଢୁଳାଉଥିଲ।
   କ’ଣ କରିବି ସାର୍? ଗରାଖ ନଥିଲା ବେଳେ ଏମିତି ପତଳା ନିଦ ମାଡ଼େ। ସତ ସତିକା ସ୍ବପ୍ନ ବି ଦେଖେ  । ଅଭିମନ୍ୟୁ ବାବୁ ଟିକେ ଆଚମ୍ବିତ ହେଲେ। ଇଏତ ଶିକ୍ଷିତ ପରି ଜଣାପଡ଼ୁଛି। ସତ ସତିକା ସ୍ବପ୍ନ ବି ଦେଖେ। କୁହ, କ’ଣ ସବୁ ସ୍ବପ୍ନ ଦେଖ।
    ଆପଣ ଶୁଣିବେ ସାର୍? ଆଶ୍ଚର୍ଯ୍ୟ ହେବେନି ତ? ଅଭିମନ୍ୟୁ ବାବୁ ଟିକିଏ ବାସ୍ତବତା ଆଡ଼କୁ ଯିବାପାଇଁ ଆଗ୍ରହ ପ୍ରକାଶିଲେ।କୁହ ମୁଁ ଶୁଣିବି।
    ମୁଁ ବି. ଏ. ପାସ୍ କରିଛି ସାର୍। ଖେଳକୁଦରେ ଅନେକ ପ୍ରଶଂସା/ ପ୍ରମାଣ ପତ୍ର ପ୍ରଶାସନିକ ସ୍ତରରେ ପାଇଛି। ମୋର ଉଚ୍ଚତା ୫ ଫୁଟ ୭ଇଞ୍ଚ । ଓଜନ ୬୦ କିଲୋଗ୍ରାମ। ସାକ୍ଷାତ ପରେ ସାକ୍ଷାତ। ସେ ବେଳର ଭ୍ରଷ୍ଟ ବିଧାନ ମୋ ସପକ୍ଷରେ ନଥିଲା। ଦାରିଦ୍ର୍ୟତା ମୋତେ ହାତ ଗୁଞ୍ଜା ଭିଡ଼ରେ ଧସେଇ ପଶିବାକୁ ବାଧକ ହେଲା। ମୋର ସରଳତା କାହାର ଦରଦ ଚାହାଣୀ ମୋ ପାଇଁ ଆଶିଷ ହୋଇନି। କାହା ତଣ୍ଟି ଖାଲି ଥିଲା ଯେ ଚିପି ଥାନ୍ତି?  ସେ ଆତଙ୍କବାଦକୁ ଘୃଣା କରେ  ବୋଲି  ସପଥ କରିଥିଲି। ଶ୍ରବଣ କୁମାର ହେବି  କିନ୍ତୁ ନିଜକୁ ଆଉରଙ୍ଗଜେବ ସଜାଇ ପାରିବିନି। ଆଉରଙ୍ଗଜେବ ସଜେଇ କ’ଣ ବା ପାଇଥାନ୍ତି? କେବଳ ନିଜେ ବଂଚି ଥାଆନ୍ତି। ଗୁଡ଼ାଏ ପ୍ରହେଳିକା ଜାଲ ବିଛାଇ ଥାନ୍ତି। ରଂଗୀନ ସ୍ବପ୍ନରେ ଉବେଇ ଟୁବେଇ ହେଉଥାନ୍ତି। ଆଉ ମୋ ପଛରେ ଲୁହଭିଜା ଆଖିଗୁଡାକ ଉପହାସ କରୁ ଥାନ୍ତେ। ଭଲରେ ଅଛୁ ତ? ଅଭିମାନର ନିଶବ୍ଦ ଶବ୍ଦ ଗୁଡିକ ପବନ ପରି ମୋ ଦେହରେ ପିଟି ହେଉ ଥାନ୍ତା। ମୁଁ ଜଡ଼ ପାଲଟି ଯାଇଥାନ୍ତି। ମାର୍ବଲ ଚଟାଣରେ ଝଟକୁ ଥିବା ମୋ ପ୍ରତିବିମ୍ବ ମୋତେ ବିଦ୍ରୁପ କରୁଥାନ୍ତା। କେମିତି ବା ସହି ଥାନ୍ତି? ସେଇଥିପାଇଁ ତ ଆଜି ମୋ ଉଚ୍ଚ ଯୋଗ୍ଯତା ପ୍ରମାଣ ପତ୍ର ବନ୍ଧା ପକେଇ ତିନି ଚକର ପ୍ରୂଥିବୀ ମଧ୍ଯରେ ଜୀବିକା ଟିଏ ଆଦରି ନେଇଛି।
    ଘଣ୍ଟିର ଠନ୍ ଠନ୍ ଶବ୍ଦ। ଘାଗୁଡ଼ିର ଝଣ୍ ଝଣ୍ ତାଳରେ ମୋ ପ୍ରୂଥିବୀ ଘୁରୁଥିବା ବେଳେ ହାତ ଗୁଞ୍ଜା ଶବ୍ଦର ପ୍ରତିଧ୍ଵନି ମନକୁ ଆଘାତ ଦିଏ। ଅନେକ ଦୀର୍ଘ ଶ୍ବାସ ପବନରେ ମିଳେଇ ଯାଏ। ପରିଶ୍ରମର ମୂଲ କଡାଗଣ୍ଡା କରି ଅଣ୍ଟାରେ ଖୋସେ। ସଂଧ୍ଯା ଆସେ। ତାଟି କବାଟ ଫାଙ୍କରେ ଡିବିରି ବତୀର ଦପ୍ ଦପ୍ ଆଲୁଅ।ଝାଳଭିଜା ଦେହ ଗନ୍ଧରୁ ମୋ ଆସିବା  ସେ ଠଉରେଇ ନିଏ  । ହାଲିଆ ଭୁଲିବା ପାଇଁ ମୋତେ ଦେଖି ହସେ। ମୋ ପାଖରେ ଗେଲେଇ ହୁଏ। ମୁଁ ହସି ଉଠେ ଖୁବ୍ ଜୋର୍ ରେ। ରାଜପଥର  ପିଚୁ ରାସ୍ତାରେ ହସ ସବୁ ବିଛୁଡି ପଡ଼ିବା ପୂର୍ବରୁ ମୋ ନିଦ ପୁଣି ଭାଙ୍ଗି ଯାଏ। ମୁଁ ପୁଣି ଫେରିଯାଏ ମୋ ବାସ୍ତବ ଜଗତକୁ। ଏଇ ଯେପରି ଆପଣ ମୋର ସ୍ବପ୍ନିଳ  ନିଦ ଭାଙ୍ଗି ଦେଲେ।
    ରିକ୍ସା ଚାଲିଥାଏ। ରିକ୍ସାବାଲାର ସ୍ବପ୍ନ କାହାଣୀ ଶୁଣି ଅଭିମନ୍ୟୁ ବାବୁ ଅନେକ କିଛି ଭାବୁ ଥାନ୍ତି। ଘର ମୁହାଁ ରାସ୍ତାରେ ଚିହ୍ନା ମୁହଁ ମାନଙ୍କ ପ୍ରଶ୍ନ। କ’ଣ ସାର୍ ଆଜି ରିକ୍ସାରେ ଯାଉଛନ୍ତି? ସେମାନଙ୍କ ପଚାରିବା ଉଦ୍ଦେଶ୍ଯ ଜାଣି ସ୍ମିତ ହସି ନିରବ ରୁହନ୍ତି। ରିକ୍ସାବାଲା ନିଜର ସାବଧାନତା ସହ ଏ ସବୁ ଲକ୍ଷ୍ଯ କରୁଥାଏ।
    ଦ୍ବାର ଆଗରେ ରିକ୍ସା ପହଞ୍ଚିଲା। ଅଭିମନ୍ୟୁ ବାବୁ ରିକ୍ସାରୁ ଓହ୍ଲାଇଲେ। ରିକ୍ସାବାଲାଟି ନିଜର ସୌଜନ୍ଯତା ଦେଖେଇ ଜିନିଷ ପତ୍ର ଓହ୍ଲେଇ ଘର ଦାଣ୍ଡରେ ରଖିଦେଲା। ଅଭିମନ୍ୟୁ ବାବୁ ତାକୁ ବସିବାକୁ କହି ଶହେ ଟଙ୍କିଆ ନୋଟ୍ ଟିଏ ଦେଲେ। କହିଲେ ନେ ରଖ। ଚା ‘ ପିଇବ? ନାଇଁ ସାର୍ ମୋର ଅଭ୍ଯାସ ନାହିଁ। ସକାଳୁ ପଖାଳ ଗଣ୍ଡେ ଖାଇ ଘରୁ ବାହାରେ। ଆଛା, ଆଛା। ବଢିଆ। ହଉ ଟଙ୍କା ଧର। ନାଇଁ ସାର୍ ମୋତେ  ସତୁରି ଟଙ୍କା ଦିଅନ୍ତୁ। ସେଥିରେ ମୋର ସନ୍ତୁଷ୍ଟି। ମୁଁ ଗରୀବ କିନ୍ତୁ ମୋ ସ୍ବାଭିମାନ ଗରୀବ ନୁହେଁ ସାର୍। ଅଭିମନ୍ୟୁ ବାବୁ କ୍ଷଣେ ସ୍ତୂ୍ବ୍ଧ ହୋଇଗଲେ। ଆଖି ଛଳଛଳ କରି ପକାଇଲେ। ଭାବିଲେ ଶିରା ପ୍ରଶିରା ଦୁଇଁ, ପେଡାଲ ପରେ ପେଡାଲ ମାରି, କପାଳରୁ ଝାଳ ପୋଛି, ପେଟ ପିଠିକୁ ଏକ କରି ଜୀବନ ଖୋଜୁଥିବା ମଣିଷ ପାଖରେ ଏତେ ସଚ୍ଚୋଟ ପଣିଆ ଭରି ରହିଛି? ବାଃ ବାଃ ରେ। ପାଟିରୁ ଆପେ ବାହାରି ପଡ଼ିଲା  ହେ! ଭଗବାନ।
   ଘରପାଖ ଦୋକାନରୁ ଖୁଚୁରା କରି ତାକୁ ସତୁରି ଟଙ୍କା ଦେଲେ। ଦୋକାନୀଟିର  ବି ସେଇ ପ୍ରଶ୍ନ। ଆଜି କ’ଣ ଅଟୋ ରିକ୍ସା ମିଳିଲାନି କି?  ରିକ୍ସା ରେ ଆସିଲେ। ସ୍ମିତ ହସି ଅଭିମନ୍ୟୁ ବାବୁ କହିଲେ ମିଳିଲା କିନ୍ତୁ ମୁଁ ଜାଣିକରି ଆସିଲିନି।ଯଦି ଆସିଥାନ୍ତି ଆଜି ତା’ ହାଣ୍ଡିରେ ଚାଉଳ କିପରି ସିଝିଥାନ୍ତା? ସାମଗ୍ରିକ ଭାବେ ସମସ୍ତେ ବଂଚିଲେ ଏ ସଂସାର ସୁନ୍ଦର ଦିଶିବ। ତୁମେ ଜାଣିନ। ଏ ବାବୁ ବି, ଏ, ପାସ୍ କରି ସ୍ବାଭିମାନ ସମ୍ମାନରେ ବଂଚୁଛି। ରିକ୍ସା ବାଲା ଅଭିମନ୍ୟୁ ବାବୁଙ୍କ ମୁହଁକୁ ଅବାକ୍ ହୋଇ ଚାହିଁ ରହିଥାଏ। ମୋ ହସିବାକୁ ଲକ୍ଷ୍ଯ କରୁଥିଲ ପରା? ଏବେ ବୁଝି ପାରୁଛ? ମୁଁ ସେମାନଙ୍କ ପ୍ରଶ୍ନର ଉତ୍ତର ନଦେଇ କାହିଁକି ହସି ଥିଲି।
  ହଠାତ୍ ରିକ୍ସା ବାଲାଟି ଅଭିମନ୍ୟୁ ବାବୁଙ୍କ ପାଦ ତଳେ ପଡ଼ି କହିଲା ଆପଣ ମହାନ୍ ସାର୍। ପରର ପେଟ ଚିହ୍ନି ପାରନ୍ତି। ମାନବତା ଆପଣଙ୍କ ଠାରୁ ହିଁ ଶିଖିବାକୁ ପଡ଼ିବ। ତୁମର ବି ମଣିଷ ପଣିଆ କମ୍ ନୁହଁ ସନ୍ତୋଷ। ତୁମ ସତ ସ୍ବପ୍ନର ମାନବୀୟ ଗୁଣ ଏ ସମାଜ ପାଇଁ ଉଦାହରଣ। ଆପଣ ମୋ ନାଁ କିପରି ଜାଣିଲେ ସାର୍?  ତୁମ ରିକ୍ସା ପଛପଟକୁ  ଦେଖ। ତୁମେ କ’ଣ ଲେଖିଛ? ସାର୍ ସାର୍।
     ବିଦାୟ ନେବା ପ୍ରଣାମ କରୁଥିଲା ବେଳେ ଅଭିମନ୍ୟୁ ବାବୁଙ୍କ ଡାହାଣ ହାତ ସନ୍ତୋଷ ମୁଣ୍ଡ ଉପରେ କିନ୍ତୁ ତା’ ଆଖି ଛାତ ଉପରେ ଫରଫର ଉଡ଼ୁଥିବା ଜାତୀୟ ପତାକା ଓ ଶ୍ରୀରାମଙ୍କ ଝଣ୍ଡା ପାଖରେ  । ତା’ ମନ କଥା ଜାଣି ଅଭିମନ୍ୟୁ ବାବୁ ଶ୍ରୀରାମଙ୍କ ଏକ ଛୋଟ ଝଣ୍ଡା ଦେଲେ। ସେ ତା’ ରିକ୍ସା ଆଗରେ ବାନ୍ଧି ଜୟ ଶ୍ରୀରାମ ଧ୍ବନି ଦେଇ ପେଡାଲ ପରେ ପେଡାଲ ମାରି ଚାଲିଲା।
    ଅଭିମନ୍ୟୁ ବାବୁ ତାକୁ ପଛରୁ ଚାହିଁ ଥାନ୍ତି। ତା’ ସଚ୍ଚୋଟ ମଣିଷ ପଣିଆ, ସ୍ବାଭିମାନ, ସୌଜନ୍ୟତା, ଦେଶପ୍ରୀତି ଓ ମାନବତା ଦେଖି ମନେମନେ ଧନ୍ଯବାଦାଶିଷ ଦେଇ ଚାଲିଥାନ୍ତି।

ଜୟଦେବ ସିଠ। ସେବା ନିବୃତ୍ତ ଓ ରାଜ୍ଯ ପୁରସ୍କାର ପ୍ରାପ୍ତ ଶିକ୍ଷକ। ରାଣୀ ଗୁଡା ଫାର୍ମ, ରାୟଗଡ଼।
୯୪୩୭୫୨୭୩୪୯

error: Content is protected !!