ନିଜ ପିଠି ମଳି
ନିଜକୁ ଦିଶେନି
ପର ପିଠିକୁ ସେ ଚାହୁଁଛି
ପାଠୁଆ ପୁଅର
ବେପରୁଆ ଭାବ
ନିଜର ପ୍ରଶଂସା ଗାଉଛି।
ଏଡେ ପାରିବାର
ବାହାବା ପଣିଆ
ନାଗରା ସବୁଠି ପିଟୁଛି
ପର କାନ୍ଧେ ତୀଖ
ନିଶାଣକୁ ଯୋଖି
ନିରୀହ ପକ୍ଷୀକୁ ବିନ୍ଧୁଛି।
ଆଖି ବୁଜି ଦିଏ
ଚାଲୁଣିକୁ ଦେଖି
ଛୁଞ୍ଚି ଛିଦ୍ର ବଡ଼ ଦିଶୁଛି
ହାତୀ ପାଇଁ ଲୁହା
ଶିକୁଳି ନରଖି
ମଶା ପାଇଁ ଜାଲ ଟାଣୁଛି।
ବିପଣୀ ମାଳାରୁ
ଫୁଲମାଳ କିଣି
ବେକରେ ଲମ୍ବେଇ ବୁଲୁଛି
ଗୁଡ଼େ ତାଳି ମାଡ଼
ଟିକେ ନାଆଁ ପାଇଁ
ହାତ ଗୁଞ୍ଜା କିଛି ଦେଉଛି।
ଶକୁନର ଛାତି
ଛବିଳ ପାଇଁକି
ଖୋସାମତି ତୂଳୀ ଧରିଛି
ନିଜ ଠାରୁ ବଡ଼
କେହି ନହୁଅନ୍ତୁ
ରାତିଦିନ ସ୍ବପ୍ନ ଦେଖୁଛି।
ବିଛୁଆତି ବଣେ
ପ୍ରାସାଦ ତୋଳାଇ
କାଛା କଉପୁନି ପିନ୍ଧୁଛି
ଚେଲା ଚାମଣ୍ଡାଙ୍କ
ମଦିରା ବୋତଲେ
ନିଜ ପ୍ରତିବିମ୍ବ ଦେଖୁଛି।
ଆପେ ବଂଚିଲେ
ବାପାର ନାଆଁ
ଏଇ ନୀତି ଧରି ବୁଲୁଛି
ତା’ ମାଆ ଭାଇ
ତାହାର ନୁହଁନ୍ତି
ପର ଗୋତ୍ରୀ ଗୁଣ ଗାଉଛି।
ସ୍ବାଭିମାନୀ ବୋଲି
ପ୍ରହସନ କରି
ନିଶ ମୋଡ଼ି ଛାତି ପିଟୁଛି
ଅଲାଜୁକ ପଣେ
ମାଆ ପଣତରେ
ମୁହଁକୁ ଲୁଚେଇ କାନ୍ଦୁଛି।
ଜୟଦେବ ସିଠ। ରାୟଗଡ଼।
୯୪୩୭୫୨୭୩୪୯ ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।