ଖୋର୍ଦ୍ଧାରେ ଗଣତନ୍ତ୍ର ଦିବସ ପ୍ୟାରେଡ଼,ଖୋର୍ଦ୍ଧା ଷ୍ଟାଡ଼ିୟମ୍‌ରୁ ବାହାରି ନୂଆବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ନେବାକୁ ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଦାବି। 

ଖୋର୍ଦ୍ଧା ତା ୦୬.୦୧. (ଆମ ଓଡ଼ିଶା ଖବର )ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖରେ ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ଼୍ ଉତ୍ସବକୁ ଏକ ନିଆରେ ଢ଼ଙ୍ଗରେ ପାଳନ କରାଯିବା ପାଇଁ ଖୋର୍ଦ୍ଧା ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ମଞ୍ଚର ସଭାପତି ଆଇନ୍‌ଜୀବୀ ନରେନ୍ଦ୍ର ପୃଷ୍ଟିଙ୍କ ପ୍ରତିନିଧୂତୁରେ ଏକ ପ୍ରତିନିଧ ଦଳ ଏହି ଦାବୀ ପତ୍ର ପ୍ରଦାନ ବେଳେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଖୋର୍ଦ୍ଧାର ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପ୍ୟାରେଡ଼୍ ପଡ଼ିଆଟି ବିଭିନ୍ନ ଦିଗରୁ ସଙ୍କୁଚିତ ହୋଇଗଲାଣି । ଅନ୍ୟ ପକ୍ଷରେ ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରୁଥିବା ବିଦ୍ୟାଳୟଗୁଡ଼ିକର ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଛି । ଅତ୍ୟଧିକ ଜନଗହଳି ହେତୁ ଏହି ପରିସରରେ ପ୍ୟାରେଡ଼୍ କୁ ଉପଭୋଗ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବପର ହେଉନାହିଁ । ତେଣୁ ଚଳିତ ବର୍ଷ ଏହି ଉତ୍ସବରେ ସ୍ଥାନୀୟ ଷ୍ଟାଡ଼ିୟମ୍‌ରୁ ପ୍ୟାରେଡ଼୍ ବାହାରି ଷ୍ଟେଟ୍ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯିବ ଏବଂ ସେଠାରୁ ଜନପଥ ଦେଇ ନୂଆ ବସ୍‌ଷ୍ଟାଣ୍ଡଠାରେ ପ୍ୟାରେଡ଼୍ ପହଞ୍ଚୁବ ଏବଂ ଏଥିରେ ଜିଲ୍ଲାର ସବୁ ବିଭାଗ ତରଫରୁ ପ୍ରଜ୍ଞାପନ ମେଢ଼ମାନ ସ୍ଥାନ ପାଇବ । ପ୍ରକାଶ ଥାଉକି, ଖୋର୍ଦ୍ଧା ଷ୍ଟାଡ଼ିୟମ୍‌ (ଚାନ୍ଦମାରୀ ପଡ଼ିଆ) ହେଉଛି ଏକ ଐତିହାସିକ ପୀଠ । ୧୯୪୭ ମସିହାରେ ଆମ ଦେଶ ସ୍ୱାଧୀନତା ଲାଭ କଲାପରେ ଖୋର୍ଦ୍ଧାର ପ୍ରଥମ ଜାତୀୟ ପତାକା ଏହି ଷ୍ଟାଡ଼ିୟମ୍‌ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ହିଁ ଗୋକୁଳ ମୋହନ ରାୟଚୂଡ଼ାମଣୀଙ୍କ ଦ୍ଵାରା ଉତ୍ତୋଳନ କରାଯାଇଥିଲା । ସେହିପରି ପାଇକ ବିଦ୍ରୋହ ସମୟରେ ଏହି ପଡ଼ିଆରେ ପାଇକମାନେ ସମରାଭ୍ୟାସ କରୁଥିଲେ ଏବଂ ଅନ୍ୟ ଏକ ସଭାରେ ବ୍ରିଟିଶ ଲୁଗାପଟାକୁ ବର୍ଜନ କରିବା ଉଦ୍ଦେଶ୍ୟରେ ଶହ ଶହ ସଂଖ୍ୟାରେ ବିଦ୍ରୋହୀମାନେ ଯାଇ ଏହି ପଡ଼ିଆରେ ସେମାନଙ୍କର ବସ୍ତ୍ର ପୋଡ଼ିଦେଇଥିଲେ । ଏଥି ସହିତ ଦିଲ୍ଲୀ ରାଜପଥରେ ଯେମିତି ପ୍ରଜ୍ଞାପନ ମେଢ଼ି ଚାଲୁଥାଏ ସେହିଭଳି ଖୋର୍ଦ୍ଧା ପ୍ରଶାସନ ତରଫରୁ ମଧ୍ୟ ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ହିତକାରୀ ବାର୍ଭାର ପ୍ରଚାର ନିମିତ୍ତ ସୁଦୃଶ୍ୟ ପ୍ରଜ୍ଞାପନ ମେଢମାନ ଚଲାଇବା ପାଇଁ ଅନୁରୋଧ । ତା ସହିତ ଖୋର୍ଦ୍ଧାର ଐତହ୍ୟ ଓ ସଂସ୍କୃତି ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ପରିବେଷଣ କରାଯାଇପାରିବ । ଏହି ଅଭିଯାନରେ ସଭାପତି ଶ୍ରୀ ପୃଷ୍ଟିଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ବାଲାଜୀ ପାତ୍ର, ହେମନ୍ତ ପାତ୍ର, ଅବିନାଶ ପ୍ରଧାନ ପ୍ରମୁଖ ସାମିଲ ହୋଇ ଦାବି ଜଣାଇଥିଲେ ।

ରିପୋର୍ଟ :ପ୍ରସନ୍ନ କୁମାର ସ୍ୱାଇଁ 

,

error: Content is protected !!