ଶାନ୍ତି ଶକ୍ତି ଭବନରେ ତତ୍କାଳୀନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ଜାନକୀଙ୍କ ପଞ୍ଚମ ଅବ୍ୟକ୍ତ ସ୍ମୃତି ଦିଵସ

ଗଞ୍ଜାମ :(ଆମ ଓଡିଶା ଖବର)ଆସିକା ତା 27 ମାର୍ଚ୍ଚ 2025 ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ୱ ବିଦ୍ୟାଳୟର ସ୍ଥାନୀୟ ସେବା କେନ୍ଦ୍ର ଶକ୍ତି ଭବନ ରେ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ତତ୍କାଳୀନ ମୁଖ୍ଯ ପ୍ରଶାସିକା ରାଜ ଯୋଗିନୀ ଦାଦି ଜାନକୀଙ୍କ ପଞ୍ଚମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଶାନ୍ତି ଶକ୍ତି ଭବନରେ ଆୟୋଜିତ ସ୍ନେହ ମିଳନ କାର୍ଯ୍ଯକ୍ରମରେ ରାଜଯୋଗିନୀ ସ୍ମିତା ଦାଦି ଜାନକୀଜୀଙ୍କ ବିଷୟରେ ପ୍ରକାଶ କରିଥିଲେ ଯେ ଇଶ୍ବରୀୟ ବିଶ୍ୱ ବିଦ୍ୟାଳୟର ସଂସ୍ଥାପକ ପ୍ରଜାପିତା ବ୍ରହ୍ମାବାବାଙ୍କ ଦ୍ଵାରା ପରମାତ୍ମା ଶିବ ପିତାଙ୍କ ସନ୍ଦେଶ ଦେବା ଉପଲକ୍ଷେ ବିଶ୍ଵ ସେବା ରେ ସହଯୋଗୀ ବନିଥିବା ଶତାଧିକ ଯଜ୍ଞ ରକ୍ଷକ ବ୍ରହ୍ମାବତ୍ସଙ୍କ ମଧ୍ୟରେ ରାଜ ଯୋଗିନୀ ଜାନକୀ ବିଶ୍ୱ ସେବା ହେତୁ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାରେ ଅନନ୍ୟ ଭୂମିକା ଗ୍ରହଣ କରିଥିଲେ। 1974 ମସିହାରେ ଦାଦି ଜାନକୀ ଙ୍କ କରକମଳରେ ଭାରତ ବାହାରେ ସର୍ବ ପ୍ରଥମେ ବିଶ୍ୱ ସେବା ଉଦ୍ଦେଶ୍ଯରେ ଲଣ୍ଡନ ଗ୍ଲୋବାଲ୍ ରିଟ୍ରିଟ ସେଣ୍ଟର ସ୍ଥାପନ ହେବା ପରେ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର 140 ଦେଶରେ ସହସ୍ରାଧିକ ସେବା କେନ୍ଦ୍ର ସ୍ଥାପନ ହେବା ସହିତ ଭାରତୀୟ ଆଦି ସନାତନ ସଂସ୍କୃତି ର ପରିଚୟ ବିଶ୍ବ ଦରବାରରେ ଉପସ୍ଥାପିତ ହୋଇପାରିଥିଲା ।

ବିଶ୍ଵ ରେ ନାରୀ ସଶକ୍ତିକରଣ ତଥା ଆଧ୍ୟାତ୍ମିକ କ୍ରାନ୍ତି ଆଣିବାରେ ଦାଦି ଜାନକୀ ଙ୍କ ଭୂମିକା ସ୍ଵର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିବ। ରାଜଯୋଗ ଆଧାରରେ ସକାରାତ୍ମକ ଚିନ୍ତନ ଶକ୍ତି ଦ୍ୱାରା ବିଶ୍ଵ କଲ୍ଯାଣକୁ ଜୀବନର ଅଦ୍ୱିତୀୟ ବ୍ରତ ରୂପେ ଦାଦି ଜାନକୀ 91 ବର୍ଷ ଇଶ୍ବରୀୟ ସେବାରେ ସମର୍ପିତ ହୋଇ ପରମାତ୍ମା ପିତାଙ୍କର ଏକ ବିଶ୍ଵ ,ଏକ ପରିବାର ସନ୍ଦେଶ କୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ସହିତ ସକରାତ୍ମକ ସଂକଳ୍ପ ଦ୍ୱାରା ସର୍ବଦା ବିଶ୍ଵ କଲ୍ୟାଣର ଦାୟିତ୍ଵ ନିର୍ବାହ କରିଥିବା ହେତୁ କାଲିଫର୍ଣିଆ ବିଶ୍ଵ ବିଦ୍ୟାଳୟ ବୈଜ୍ଞାନିକ ଗବେଷଣା କେନ୍ଦ୍ର ତରଫରୁ ବିଶ୍ଵ ର ଅନନ୍ୟ ସ୍ଥିତପ୍ରଜ୍ଞା ମହିଳା ରୂପେ ବିଶ୍ଵ ବନ୍ଦିତା ହୋଇ ପାରିଛନ୍ତି । 104 ବର୍ଷ ରେ ଇହଲୀଳା ସମ୍ବରଣ କରିବା ପୂର୍ବରୁ ଅନ୍ୟୁନ ଦୁଇଥର ଦକ୍ଷିଣ ଓଡିଶାର ଗୁରୁତ୍ୱପୂର୍ଣ୍ଣ ସେବାକେନ୍ଦ୍ର ଶାନ୍ତିକୁଣ୍ଡ ଠାରେ ପହଞ୍ଚି ବ୍ରହ୍ମପୁର ସବଜୋନ୍ ର ସମସ୍ତ ବ୍ରହ୍ମାବତ୍ସଙ୍କୁ ବରଦାନ ରେ ଭରପୂର କରିବା ସହିତ ଦକ୍ଷିଣ ଓଡିଶାରେ ଇଶ୍ବରୀୟ ସେବାକୁ ତ୍ୱରାନ୍ୱିତ କରିବାରେ ଦାଦି ଜାନକୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଚିର ସ୍ମରଣୀୟ ।

ଆଜି ପଞ୍ଚମ ଅବ୍ୟକ୍ତ ସ୍ମୃତି ଦିବସ ରେ ଦାଦି ଜାନକୀଜୀ ଙ୍କୁ ସମସ୍ତ ଭଉଣୀ ଭାଇ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!