ସବାଈ

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର) ତୁଣ୍ଡ ବାଇଦ ସହସ୍ର କୋଶ। ଖବର ପହଞ୍ଚି ଗଲା ଡଙ୍ଗର ତଳ ଗାଁ ବସୁଧାପୁରରେ। ଫି ବର୍ଷ ପରି ଏ ବର୍ଷ ବଡ଼ ଜାକଜମକରେ ପଲ୍ଲିଶ୍ରୀ ମେଳା ପାଳନ କରାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନିକ ସ୍ତରରେ ବ୍ଯବସ୍ଥା ବୈଠକ ସରି ଗଲାଣି। ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ମେଳା ଲାଗିବ। ରଂଗୀନ ଆଲୋକର ରୋଶଣି। ରୋମାଞ୍ଚ ବ୍ଯବସ୍ଥା। ବିପଣୀ ମାଳାର ବହୁଳତା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଳା ମଞ୍ଚ ଦୁଲୁକିବ। ଆଖପାଖ ଗାଁ ଗହଳରୁ ଲୋକମାନଙ୍କ ଭିଡ଼ ଜମିବ। ମାନ୍ଯଗଣ୍ଯ ଅତିଥିମାନଙ୍କ ସମାବେଶ ହେବ। ବାହାର କଳାକାର ଓ ଲୁଚି ରହିଥିବା ଆଂଚଳିକ ପ୍ରତିଭାଧର ମାନେ ନିଜକୁ ପ୍ରକଟିତ କରାଇବେ। ଚିହ୍ନା, ଅଚିହ୍ନାଙ୍କ ପାରସ୍ପରିକ ଭାବନାର ଆଦାନ ପ୍ରଦାନ ହେବ। ବନ୍ଧୁ ବାନ୍ଧବ ମିଳନର ଏକ ସମୟ ମଧ୍ଯ। ଗାଁ ମଧ୍ଯରେ ଖୁସି ଆନନ୍ଦର ଲହର ଖେଳୁଥିଲା । ହେଲେ ଗାଁ ର ଝିଅ ସବାଈ ମନରେ ଅନ୍ୟ ଚିନ୍ତା। ଗାଁ ଠାରୁ ଦୂରରେ ରହି ମାଇନର ପାସ୍ କରିଛି। ଗାଁ ପାଇଁ ସେ ଅନେକ ଆଗତ ଚିନ୍ତା କରିଥାଏ। ଗାଁ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛି। ମଦ୍ଯପ ଅଶିକ୍ଷିତ ଯୁବକ ମାନଙ୍କୁ ମୁଖ୍ଯ ସ୍ରୋତକୁ ଫେରାଇ ଆଣିବା ସଂକଳ୍ପ। ଏକ ଆଦର୍ଶ ଗାଁ ଗଠନର ସ୍ବପ୍ନ ସେ ଦେଖେ। ଭାରତ ଭୂଗୋଳ ମାନଚିତ୍ର ତା ଗାଁକୁ ଆଦରିବା ପାଇଁ ସେ ନିଜେ ସଂକଳ୍ପ ବଦ୍ଧ। ଅତ୍ଯାବଶକ ମୌଳିକ ସୁବିଧା ପ୍ରାପ୍ତିର ସଂଧାନୀ। ସେ ଭାବେ ଦେଶର ଶକ୍ତି ସାମର୍ଥ୍ଯ ଓ ଉନ୍ନତି ହେବା ପାଇଁ ଗ୍ରମୀଣ ସ୍ତରରୁ ହିଁ ସଚେତନତାର ଆବଶ୍ଯକ ଅଛି। ସଭିଙ୍କ ଆଦର୍ଶ, ଧର୍ମ, ପରମ୍ପରା, ରୀତିନୀତି, ବେଶଭୂଷା, ଖାଦ୍ୟ ପେୟ ସଂସ୍କୃତି ଇତ୍ୟାଦି ଯେତେ ସକରାତ୍ମକ ପନ୍ଥା ମାର୍ଜିତ ହେବା ଉଚିତ। ପବିତ୍ର ଜୀବନ। ବୈବାହିକ ଜୀବନ ପ୍ରତି ବିମୁଖ। ସୈନ୍ଯ ବିଭାଗରେ ଚାକିରୀ କରିବା ସୁଯୋଗ ପାଇନି କିନ୍ତୁ ଦେଶର ସୁରକ୍ଷା ପାଇଁ ଗାଁରେ ଥିବା କେତେକ ଶିକ୍ଷିତ ଯୁଆନ୍ ଭେଣ୍ଡାଙ୍କୁ ସୈନିକ ହୋଇ ସୀମାନ୍ତରେ ଦମ୍ଭର ସହ ଠିଆ ହେବାକୁ ପ୍ରେରଣା ଦିଏ। ବିର୍ସା ମୁଣ୍ଡା, ଉଦ୍ଦାମ ସିଂ, ଭଗତ ସିଂ, ଶିବାଜୀ, ରାଣାପ୍ରତାପ, ଲକ୍ଷ୍ମୀବାଈ, ଜୟୀ ରାଜଗୁରୁ, ରଘୁ ଦିବାକର, ଲକ୍ଷ୍ମଣ ନାୟକ, ସୁରେନ୍ଦ୍ର ସାଏ ଇତ୍ୟାଦି ଅନେକ ଦେଶପ୍ରେମୀଙ୍କ ଦେଶପ୍ରୀତିର ବୀରତ୍ୱ କାହାଣୀ ମନେ ପକାଇ ସେମାନଙ୍କୁ ସଚେତନ କରାଏ। ହଠାତ୍ ଗାଁ ମୁଣ୍ତରେ ଟମକ ବାଜିବା ଶବ୍ଦ। ଗାଁ ର ଜାନୀ ମାଲାନା ନିଶିକା। ଗାଁର ଭଲମନ୍ଦ, ନ୍ଯାୟ ନିଷାପ ସେ କରନ୍ତି। ଗ୍ରାମବାସୀ ତାଙ୍କୁ ମାନ୍ଯତା ଦିଅନ୍ତି। ହାଲୁକାରେ ଟିକେ ମହୁଲି ପକେଇ ଭୀମା ବିଡ଼ିକା ଟମକ ବଜେଇ କହୁଥାଏ ଗାଁ ଜାନୀଙ୍କୁ ମା' ଝାଙ୍କିଡି ସପନେଇଛନ୍ତି। ଏ ବର୍ଷ ଗାଁ କ୍ଷେତରେ ପଙ୍ଗପାଳ ଦେଖାଦେବେ। ସବୁଜ କ୍ଷେତ ଓ ପାଚୁଥିବା ଫସଲର ରକ୍ଷଣା ବେକ୍ଷଣ କରିବାକୁ ହେବ। ଗାଁ ଠାକୁରାଣୀ ଓ ବସୁଧା ମାତାକୁ ସନ୍ତୁଷ୍ଟ କରିବାକୁ ହେବ। କାନକୁହା କଥା ନଶୁଣି ଠାକୁରାଣୀଙ୍କ ପ୍ରତି ଅଗାଢ ବିଶ୍ବାସ ରଖିବାକୁ ହେବ। ସୁଆଁ, ମାଣ୍ଡିଆ, ଜହ୍ନା, କାନ୍ଦୁଲ, କୋଳଥ, ସୋରିଷ, ହଳଦୀ, ପାଳୁଅ ଇତ୍ୟାଦି ଅଧିକ ପାଚିଲେ ପଲ୍ଲିଶ୍ରୀ ମେଳାରେ ବିକି ଦି ପଇସା ପାଇବ। ଗାଁ ଜାନୀଙ୍କ ଟମକ। ମା' ଝାଙ୍କିଡିଙ୍କ ସ୍ବପ୍ନାଦେଶ? ସବାଈ ଭାବି ଚାଲିଥାଏ ତା' ଗାଁର ଅତୀତ ଶିରୀ ଯାହା ଆଜି ବିଲୁପ୍ତ ପ୍ରାୟ। ହେତୁ ପାଇଲା ଦିନୁ ସେ ଅନୁଭବିଛି। ପ୍ରତ୍ଯକ୍ଷ ଦର୍ଶୀ ବି। ଗାଁ ଆକାଶରେ କଳା ମେଘ ଡଙ୍ଗରକୁ ଛୁଇଁଲେ କିତନା, ସମ୍ବରା ଖୁସିରେ ଡାମ୍ପ / ଚାଙ୍ଗୁ ବଜାନ୍ତି। ଡାମ୍ପର ତାଳେ ତାଳେ ବେଜୁଣୀ ଗାଁ ଯୁବତୀ ମାନଙ୍କୁ ନଚାନ୍ତି । ଏ ସନ ଭଲ ଶସ୍ଯ ପାଚିଲେ ଗାଁ ହସିବ। ତା' ଗାଁ ରାଇଜେ ନାଁ କରି ଜାତୀୟ ସ୍ରୋତରେ ଭାସିବ। ନିତି ସଂଜ ନଇଁଲେ ଗାଁ ଚାଳରୁ ଧୂଆଁ ଉଠେ। ଅନ୍ଧାର ବହଳ ହେଲେ ଡିବିରି ଆଲୁଅ ଘରୁ ଅନ୍ଧାର ହଟାଏ। ଗାଁ ସରଳ ମାଇପେ ଡଙ୍ଗର ପାହାଡ଼ରେ ପରିଶ୍ରମ କରି ଆସିଥିବା ଗିରସ୍ତଙ୍କ ହାଲିଆ ଉପଶମ ପାଇଁ ସେମାନଙ୍କ ଦେହରେ ଉଷୁମ ଟୋଲ ଲଗେଇ ଦିଅନ୍ତି। ସରଳିଆ ମନ ଗୁଡାକ ସାଧାରଣ ଖାଦ୍ୟରେ ଶାନ୍ତି ପାଇ ଶୋଇ ପଡ଼ନ୍ତି। ସବାଈ------

ହଠାତ୍ ସାଲମେ ଡାକରେ ସବାଈ ପ୍ରକୃତିସ୍ଥ। ଦିହେଁ ସାଂଗ। ସମ ବୟସ୍କ। ସୁବିଧା କ୍ରମେ ସାଲମେ ଛାତ୍ରାବାସରେ ରହି ମାଟ୍ରିକ୍ ପାସ୍ କରିଛି। ହେଲେ ବାହ୍ଯ ଶିକ୍ଷାରେ ସେତେ ଚାଲାକ ଚତୁର ନୁହେଁ। ଦିହେଁ ସାଂଗ ହୋଇଥିବା ହେତୁ ମନଖୋଲା ସବୁ କଥାବାର୍ତ୍ତା ହୁଅନ୍ତି।
କ’ଣ ଭାବୁଛୁ ସବାଈ? ଏ ବର୍ଷ ତୁ ପଲ୍ଲିଶ୍ରୀ ମେଳା ଦେଖିବାକୁ ଯିବୁ ତ? ଗତ ବର୍ଷ ନଯିବାର କାରଣ ମୋତେ କହିଥିଲୁ। ତୁ ପ୍ରତିକ୍ରିୟାଶୀଳ ହେବା ମୁଁ ଅନୁଭବିଛି। ତୋର ପ୍ରତିବାଦ ସ୍ବାଗତ ଯୋଗ୍ଯ କିନ୍ତୁ ଏ ବର୍ଷ ସାଥୀ ହୋଇ ମେଳା ଦେଖିବାକୁ ଯିବା। ତୁ ପୁଣି ମୋ ମନରେ ଦୁଃଖ ଦେବୁନି।
ପଲ୍ଲିଶ୍ରୀ ମେଳା ଧାର୍ଯ୍ୟ ଦିବସ ନକଟତର। ସାଲମେର ସଜବାଜ ପ୍ରତି ସବାଈର ଆଡ଼ଦେଖା। ତା’ର ନିଘା ତା’ ଗାଁର ବିକାଶ। ପଲ୍ଲିଶ୍ରୀ ମେଳା ଆଜି ହୋଇ କାଲି ସରିଯିବ କିନ୍ତୁ ଗାଁ ର ଦୁର୍ଦ୍ଦଶା ସୁଧୁରିବନି। ଯେଝା ବାଟରେ ଯିଏ ଫେରିଯିବେ। ଅନେକ ଚିନ୍ତାର ପ୍ରତିଫଳନ।
ଦିହେଁ ପଲ୍ଲିଶ୍ରୀ ମେଳା ବୁଲୁଥାନ୍ତି।ଏ ଦୋକାନ ରୁ ସେ ଦୋକାନ। ସାଲମେ ବିଭିନ୍ନ ମୂଲ୍ଯବାନ ଜିନିଷ ଚଢ଼ାଦର ଦେଇ କିଣିବାରେ ମନ ବଳାଇ ଥାଏ। ମନ ମୁତାବକ ସାମଗ୍ରୀ ଖୋଜୁ ଥାଏ। ସ୍ବଛଳତା ଲାଗି ଟିକେ ଅହମିକାବ ବି ବାରି ହୋଇ ପଡ଼ୁଥାଏ। ଏ ସବୁକୁ ସବାଈ ଉପରେ ଉପରେ ଲକ୍ଷ୍ଯ କରି ବାସ୍ତବତା ପ୍ରତି ମନ ବଳେଇ ଥାଏ। ସେ ପଡ଼ିଆରେ ଖୋଜୁଥାଏ ତା’ ଅନ୍ୟ ସାଂଗ ସାଥୀ, ଯୁବ ଭାଇ ଭଉଣୀ, ଗାଁ ର ସରଳ ନିଷ୍କପଟ ଲୋକ ମାନଙ୍କ ହାଡ଼ କଙ୍କାଳ। କେତେ ଜଣଙ୍କୁ ହଇଜା ନେଇଛି? କେତେ ଜଣ ଆତତାୟୀଙ୍କ ଗୁଳିର ଶିକାର ହୋଇଛନ୍ତି? ଟାକୁଆ ପରି ଅଖାଦ୍ୟ ଖାଇ ଓ ଅସନା ପାଣିରେ କେତେଜଣ ଯାଇଛନ୍ତି? ମ୍ଯାଲେରିଆ କେତେଜଣଙ୍କୁ ଆଦରିଛି?କରୋନା, ଡେଙ୍ଗୁ, ଯକ୍ଷ୍ମା, ରକ୍ତହୀନତା ରେ କେତେଜଣ ସଂସାର ଛାଡ଼ିଛନ୍ତି? ସେମାନଙ୍କ ହାଡ଼, ରକ୍ତ, ମାଉଁସ ସାଉଁଟିବାକୁ ପ୍ରୟାସ କରିଛି। ଲୁହ ଚିବୁକ ଦେଇ ଗଡ଼ି ପଡ଼ୁଥିଲାବେଳେ ସେମାନଙ୍କୁ ସେ ଖୋଜିଛି ଯେଉଁମାନେ ଗତବର୍ଷ ଏ ପଲ୍ଲିଶ୍ରୀ ମେଳା ଦେଖିବାକୁ ଆସିଥିଲେ। ସେମାନଙ୍କ ଶୂନ୍ଯତା ରେ ଗାଁ ଆଜି ଖାଁ ଖାଁ ।
ଅସରନ୍ତି ଭାବନା। ବଡ଼ ବଡ଼ିଆ କ’ଣ ତା’ ମନକଥାକୁ ଆଦରିବେ?ଆରକ୍ଷୀ ଭିଡ଼କୁ ଡେଇଁ ସେ କ’ଣ ମଞ୍ଚ ଉପରକୁ ଚଢି ପାରିବ? ତା’ ଗାଁର ଡିବିରି ବୀର ଆଲୁଅ ଏ ପଲ୍ଲିଶ୍ରୀ ମେଳାର ଅନ୍ଧାରକୁ କ’ଣ ଦୂରେଇ ପାରିବ?
ସବାଈ——
ତୁ ହାରି ଯିବୁ। ତୋ ମନର ଆବେଗ, ସଂକଳ୍ପକୁ ମୁଁ ଖାତିରି କରି ସମ୍ମାନ ଜଣାଉଛି। ପଲ୍ଲିଶ୍ରୀ ମେଳା ଆମ ଅଂଚଳର ପର୍ବ। ମନ୍ତ୍ରୀ ନେତାଙ୍କ ଭିଡ଼। ଧୋବ ଧାଉଳିଆ ସହ ଚିକ୍କଣ କଥା କହି ଫେରିଯିବେ। ଆମ ଗାଁ ଆକାଶରେ ଚିଲ, ଶାଗୁଣା ଉଡ଼ିଲା ବେଳେ ରାଜଧାନୀ ଆକାଶରେ ବ୍ଯୋମଯାନ ଉଡ଼ିବ ଘୁଁ ଘାଁ।
ଆଉ——?
ଗାଁ ର ଦୁଃଖ ହଟିବନି। ଜାଣ୍ଡୁ ସାଂଗାନା, ଗୁରୁବାୟା ପରି ଅନେକ ଚାଉଳ କାର୍ଡ଼ ବନ୍ଧକ ରଖି ସାହୁକାରର ନାଲି ଆଖିକୁ ଡରିବେ। ଦେଶି ମଦ ଭାଟିର ଆଦର ଦ୍ବି ଗୁଣ ବଢିଯିବ। ନିଶାସକ୍ତ ଅଳସୁଆ ମନ ଗୁଡ଼ାକ ଗାଁ ଦାଣ୍ଡରେ ଧୂଳି ଧୂସର ହୋଇ ଗଡ଼ିବେ। ଅନ୍ତସତ୍ତ୍ୱା ନାରୀର ପ୍ରସବ ବେଦନା ପବନ କେବଳ ଶୁଣିବ। ଅପନ୍ତରା ବନ୍ଧୁର ବାଟରେ ନବଜାତକ ଜୀବିତ ଅବା —? ସାଲିସ୍ ଲେଖନୀ ପ୍ରଶାସନର ଭାଟ ସାଜି ନିରବ ରହିବ। କିଏ ଶୁଣିବ? ପ୍ରତିବାଦର ସ୍ବର ପ୍ରତିଧ୍ଵନି ପାଲଟିବା ବ୍ଯତୀତ ପ୍ରତିକାର ଆଶା ଶୂନ୍ଯ।
ନାଇଁ ସାଂଗ। ତୋ ଚିନ୍ତାଧାରା ସହିତ ମୁଁ ଏକମତ ନୁହଁ। ତୋ କଥା ମୋତେ ଆଘାତ ଦେଇନି ବରଂ ପରୋକ୍ଷରେ ଉତ୍ସାହ ଦେଉଛି। ତୁ ତ ଆଜି ନହେଲେ କାଲି ପର ଘରକୁ ପଳେଇଯିବୁ। ମଉସା ମାଉସୀ ତୋ ବିବାହ ସ୍ଥିର କରିଦେଇଛନ୍ତି। ଶୁଣିଛି ସେ ପୁଅ କୁଆଡେ ବହୁତ ଭଲ। ସଂପୂର୍ଣ୍ଣ ସଂସ୍କୃତି ସଂପନ୍ନ। ଆମ ସଂପ୍ରଦାୟ ପାଇଁ ଉଦାହରଣ। ଶୁଣିବୁ ଓ ଖୁସି ହେବୁ ଆମ ଗାଁ ବସୁଧାପୁର ଓ ତୋ ଶାଶୁ ଘର ଗାଁ ଠାରୁ କେତେ ବିକଶିତ।
ସବାଈର ସ୍ବପ୍ନ, ସଂକଳ୍ପ ବାସ୍ତବ ରୂପ ନେଲା। ତା’ ପ୍ରେରଣାରେ ଅନୁ ପ୍ରେରୀତ ହୋଇ ଗାଁ ର ୪/୫ ଜଣ ଶିକ୍ଷିତ ଯୁବକ ଆଗକୁ ପାଦ କାଢ଼ି ସୈନ୍ଯ ବିଭଗରେ ସୁଯୋଗ ପାଇଲେ।। ଅଣ ଗୁଳାରେ ପାଦ ରଖିଥିବା ଯୁବଗୋଷ୍ଠୀ ମୁ୍ଖ୍ଯସ୍ରୋତକୁ ଫେରି ସମାଜସେବାରେ ମନୋନିବେଶ କଲେ। ସଭିଙ୍କ ଚେଷ୍ଟା ଆଗ୍ରହରେ କ୍ରମେ ଗାଁ ର ସବୁ କ୍ଷେତ୍ରରେ, ସବୁ ପ୍ରକାର ବିକାଶ ହେଲା। ପ୍ରଶାସନ ବି ନିଜ ନଥିପତ୍ର ସଜାଡି଼ ଲେଖନୀକୁ ବିରାମ ଦେଲେନି।
ସୀମାନ୍ତରେ ସମ୍ମୁଖ ଯୁଦ୍ଧ। ତୋପକମାଣର ଗର୍ଜ୍ଜନ। ସେସବୁକୁ ଭ୍ରୁକ୍ଷେପ ନକରି ଶତ୍ରୁ ପକ୍ଷର ସୈନ୍ଯ ମାନଙ୍କୁ ପ୍ରତିହତ କରି ଚାଲିଥାନ୍ତି ଦେଶର ବୀର ସୈନିକ। ଯୁଦ୍ଧରେ ବୀରତ୍ୱର ପରାକାଷ୍ଠା ଦେଖେଇ ଭାରତ ସରକାରଙ୍କ ଦ୍ବାରା ପଦନ୍ନୋତି ପାଇଛନ୍ତି ବସୁଧା ପୁର ଗାଁ ର ବୀର ସୈନିକ। ଖବର ତନ୍ତ୍ରର ପ୍ରଚାର ପ୍ରସାର ବ୍ଯାପକ। ସେମାନେ ଛୁଟି ନେଇ ଗାଁ କୁ ଆସୁଥିବା ଖବର ଜିଲ୍ଲାପାଳ ଜାଣିଲେ। ସେମାନଙ୍କୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା କରିବାକୁ ବିଧିମତେ ଯୋଜନା। ପଲ୍ଲିଶ୍ରୀ ମେଳା ପଡ଼ିଆରେ ସମ୍ବର୍ଦ୍ଧନା ସଭାର ଆୟୋଜନ। ବସୁଧା ପୁର ଗାଁ ରେ ଆନନ୍ଦ ଉଲ୍ଲାସ। ଭାରତ ଭୂଗୋଳ ମାନଚିତ୍ର ରେ ଗାଁ ର ନାଁ ସ୍ଥାନିତ। ଆଖପାଖ ଗାଁ ର ଲୋକମାନଙ୍କ ଭିଡ଼। ବାପା ମାଆଙ୍କ ଯୋଗ୍ୟ ସନ୍ତାନ ଓ ବସୁଧା ପୁର ଗାଁ ଗୌରବ। ସେମାନଙ୍କୁ ଦେଖିବାକୁ ଉପସ୍ଥିତ ଜନତାଙ୍କ ଆଗ୍ରହ ଉତ୍କଣ୍ଠା।
ବିଧିବିଧାନ ମୁତାବକ ବୈଠକ କାର୍ଯ୍ୟ ଆରମ୍ଭ। ସଂବୋଧନ ଓ ପରିଚୟ ପର୍ବରେ ଜିଲ୍ଲାପାଳ ମହାଶୟ ଉପସ୍ଥିତ ଜନତା ଦର୍ଶକ ଭିଡ଼କୁ ଦୀର୍ଘାଚ୍ଚସ୍ବରରେ କହିବା ଡାକବାଜି ଯନ୍ତ୍ର କୁହାଟିଲା ଆଜିର ଏ ଭବ୍ଯ ସଭାର ମୁଖ୍ଯ ଅତିଥି ବସୁଧା ପୁର ଗାଁ ର ସମାଜସେବୀ
ସବାଈ।
ସଭାସ୍ଥଳ ରେ ଚାପା ଗୁଞ୍ଜରଣ
ସବାଈ! !!?

ଜୟଦେବ ସିଠ। ରାଣୀ ଗୁଡ଼ା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।

error: Content is protected !!