କବି ସମ୍ମିଳନୀ
କବି ସମ୍ମିଳନୀ ଯାଇଥିଲି ମୁଁ
କବିତା ପଢ଼ିବା ପାଇଁ
ସଂଯୋଜକ ବନ୍ଧୁ ହାତକୁ କବିତା
ଶୀଘ୍ର ଦେଲି ମୁଁ ବଢ଼ାଇ।
ମନରେ ଖୁସି ଟେ ହୋଇ
ପାଞ୍ଚ ନମ୍ବରରେ ପଡ଼ିବ କବିତା
ପଢ଼ିବି ସେଠାରେ ଯାଇ।୧।
ମଞ୍ଚକୁ ଦେଖିଲି ଆଠ ଜଣ ବକ୍ତା
ବସିଛନ୍ତି ଧାଡ଼ି ହୋଇ
ଜଣ ପରେ ଜଣେ ଭାଷଣ ଝାଡ଼ିଲେ
କବି କଥା ଚିନ୍ତା ନାହିଁ।
ସ୍ପିକର ଛାଡନ୍ତି ନାହିଁ
ଆତ୍ମ ବଡ଼ିମାକୁ ବଖାଣି ଚାଲନ୍ତି
ସାହିତ୍ୟର ଧାସ କାହିଁ ? ।୨।
ଚାହୁଁ ଚାହୁଁ ଆସି ଘଣ୍ଟାରେ ବାଜିଲା
ସମୟ ଟା ସାଢ଼େ ଦୁଇ
ମୂଷା ନାଟ କଲେ ଉଦର ଭିତରେ
ତାକ ଥେଇ ତାକ ଥେଈ।
କବି ମାନେ ଗଲେ ଧାଇଁ
ହାତେ ଖଲି ଧରି ସର୍ବେ ଠିଆ ହେଲେ
ଧାଡ଼ିରେ,ଖାଇବା ପାଇଁ ।୩।
ଖିଆ ପିଆ ପର୍ବ ସରିଗଲା ପରେ
କବିତା ଆରମ୍ଭ ହେଲା
ସଂଯୋଜକ ବନ୍ଧୁ ଡାକିଲେ କବିଙ୍କୁ
ଚିହ୍ନା ପରିଚୟ ଥିଲା ।
ଚାଲିଲା ଗୋଟିଏ ପାଲା
ଯେତେକ କବିତା ରହିଲା ହାତରେ
ଆଗ ପଛ ଘଣ୍ଟା ହେଲା।୪।
ଚାହୁଁ ଚାହୁଁ ଆସି ସୂରୁଜ ଦେଵତା
ପଶ୍ଚିମରେ ଗଲେ ବୁଡ଼ି
କୋଉଠି ସେ ଥିଲା ରଜନୀ ସାମ୍ରାଜ୍ଞୀ
ଅନ୍ଧାର ଆସିଲା ମାଡ଼ି।
କେତେଜଣ ଗଲେ ପଢ଼ି
ଚ ଉ କି ରେ ବସି ଉଦାସେ ଭାବୁଛି
ଯିବ ମୋ କବିତା ପଡ଼ି।୫।
ଧରା ବନ୍ଧା ଯୁଗ ଚାଲିଛି ଏଠାରେ
ସବୁଠାରେ ଧରା ବନ୍ଧା
କବିତା ପଢ଼ିବା ନୋହିଲା ମୋହର
ମାଡ଼ି ଗଲା ଆସି ସନ୍ଧ୍ୟା।
ଘରକୁ ଫେରିଲି ସିଧା
କବିତା ସଭାରେ ସବୁଠିି ଏମିତି
ପଢ଼ା ହୁଏ ଅଧା ଅଧା।୬।
ସେହଦିନଠାରୁ ମନ ବଳି ନାହିଁ
କବିତା ସଭାକୁ ଦିନେ
ସମସ୍ତେ କୁହନ୍ତି କବିତା ପାଖରୁ
କାଳେ ମୁଁ ରହିଛି ଭିନ୍ନେ।
କବିତା ଛାଡ଼ିବି କେହ୍ନେ?
କବିତା ଜୀବନ କବିତା ମୋ ଧନ
କବିତା ମୋର ସପନ।୭।
More Stories
“ମଳି”
ଓଡିଶା,ଆନ୍ଧ୍ର ସିମାନ୍ତ ଜଗଂଲ ଜମି ସମାଧାନ ନ କଲେ ଆଦୋଂଲନ ହେବ:ଆଦିବାସୀ ସଂଘର୍ଷ ମୋର୍ଚ୍ଚା।
ରାୟଗଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ