ବିୟୁରୋ ରିପୋର୍ଟ
ବାଲୁଗାଁ (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବରକୁଳ ଓଡ଼ିଆର୍ଟ ର ନବମ ଚିଲିକା ସେଲଡକ ଆନ୍ତର୍ଜାତୀୟ ଲୋକକଳା ମହୋତ୍ସବ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମହା ସମାରୋହରେ ପାଳନ କରାଯିବ । ଆସନ୍ତା ନଭେମ୍ବର ୨୪ ରୁ ୨୮ ତାରିଖ ଯାଏଁ ୫ଦିନ ବ୍ୟାପୀ ଏହି ମହୋତ୍ସବ ବାଲୁଗାଁର ବରକୂଳ ସ୍ଥିତ ଓଡି ଆର୍ଟ ସେଂଟର ପରିସରରେ ଅନୁଷ୍ଠିତ ହେବ l

ଚିଲିକା ସେଲଡକ ଆନ୍ତର୍ଜାତୀୟ ଲୋକକଳା ମହୋତ୍ସବ ଏକ ନିଆରା ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ ଅଟେ । ଏହି ମହୋତ୍ସବ ଆମ ସାଂସ୍କୃତିକ ବିବିଧତାର ବିଭିନ୍ନ ଉଜ୍ଜଳ ଦିଗକୁ ଦର୍ଶାଇବା ସହ ଲୋକକଥା, ନୃତ୍ୟ, ସଂଗୀତ, ପର୍ବପର୍ବାଣୀ, କଳାକାରିଗରୀ ଓ ଖାଦ୍ୟକୁ ଏକ ଭିନ୍ନ ଢଙ୍ଗରେ ଲୋକଙ୍କ ସମ୍ମୁଖରେ ପରିବେଷଣ କରିଆସୁଛି । କଳା ନୈପୁଣ୍ୟତା ପ୍ରଦର୍ଶନ, ଆଲୋଚନା ଚକ୍ର ସହ ମଂଚ ଉପରେ ପାରଂପରିକ ଲୋକ କଳା ପରିବେଷଣ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଅଟେ । ଖାଲି ସେତିକି ନୁହେଁ ବାହାରର ପରିଦର୍ଶକ ସହ କଳାକାର ବା କାରିଗରଙ୍କ ସହ ସିଧାସଳଖ ଭାବ ବିନିମୟର ସୁଯୋଗ ଏହି ଚିଲିକା ସେଲଡକ ଆନ୍ତର୍ଜାତୀୟ ଲୋକକଳା ମହୋତ୍ସବ ପ୍ରଦାନ କରିଥାଏ ବୋଲି ଓଡି ଆର୍ଟ ସେଣ୍ଟରର ଅଧ୍ୟକ୍ଷ ପି ସି ମହାନ୍ତି ସୂଚନା ଦେଇଛନ୍ତି ।

ଏଥରର ମହୋତ୍ସବରେ ମୁଖା ନୃତ୍ୟ ତଥା ଏହାର ଗଠନ ଶୈଳୀ ଉପରେ ଅଧିକ ଗୁରୁତ୍ବ ଆରୋପ କରାଯାଇଛି । ସାଉଥ କୋରିଆରୁ ଆସିଥିବା କଳାକାରଙ୍କ ଦ୍ୱାରା ମୁଖା ନୃତ୍ୟ ପରିବେଷଣ ଚଳିତ ବର୍ଷ ଦର୍ଶକଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହେବ । ବହୁ ପୁରାତନ ମୁଖା ହସ୍ତକଳା ପୁଣିଥରେ ଲୋକଙ୍କ ଆଦୃତି ଲାଭ କରୁ ସେଥିପାଇଁ ଏଭଳି ପ୍ରୟାସ କରାଯାଇଛି । ଆମ କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ପିଢୀ ପରେ ପିଢୀ ଏହା ବଂଚି ରହୁ ଓ ଦେଶ ବିଦେଶରେ ଏହାର ଆଦର ବଢ଼ୁ, ଏହାହିଁ ଏହି ମହୋତ୍ସବ ପାଳନର ମୁଖ୍ୟ ଉଦେଶ୍ୟ ବୋଲି ଓଡିଆର୍ଟ ସେଣ୍ଟରର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାସ ପ୍ରକାଶ କରିଛନ୍ତି ।

ପ୍ରତିବର୍ଷ ଓଡିଆର୍ଟ ସେଣ୍ଟର ପକ୍ଷରୁ ଏହି ମହୋତ୍ସବ ପାଳନ ସମୟରେ ଆମ ପାରଂପରିକ କଳାକୁ ବର୍ଷ ବର୍ଷ ଧରି ଉଜ୍ଜିବୀତ କରି ଆସିଥିବା ଧୂରୀଣ ବ୍ୟକ୍ତିବିଶେଷଙ୍କୁ ଓଡିଆର୍ଟ ଲୋକ କଳାକୃତି ସମ୍ମାନ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଏହି ନିଆରା ସମ୍ମାନ
ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀଗୁରୁ ବେଣୁଧର ମହାପାତ୍ରଙ୍କୁ ପ୍ରଦାନ କରାଯିବ । ପୂର୍ବରୁ ଏହି ସମ୍ମାନରେ ବିଶିଷ୍ଟ ଡିଜାଇନର ପଦ୍ମବିଭୂଷଣ ରାଜୀବ ସେଠୀ, ମଧ୍ୟପ୍ରଦେଶ ଭିଲଚିତ୍ର କଳାର ଗୁରୁ ପଦ୍ମଶ୍ରୀ ଭିରୁ ବାଇ ଓ ମିନହା ଚିତ୍ରକଳା ପାଇଁ ସାଉଥ କୋରିଆର ପାର୍କ ୟୋନ ଓକଙ୍କୁ ସମ୍ମାନିତ କରାଯାଇଛି ।

ଏହି ମହୋତ୍ସବର ୩ୟ ଦିବସରେ “ଓଡିଶା ସଂସ୍କୃତିର ଅର୍ଥନୈତିକ ଯୋଗଦାନ, ସଂପର୍କିତ ଏକ କନ୍କ୍ଳେଭ ବା ଆଲୋଚନା ଚକ୍ରର ଆୟୋଜନ କରାଯାଇଛି । ଉତ୍କଳ ଚାମ୍ବର ଅଫ କର୍ମସ, ସିଆଇଆଇ ଓ ଫିକିର ମିଳିତ ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ୫ ଦିନିଆ ଲୋକ ମହୋତ୍ସବରେ ରାଜ୍ୟ ତଥା ଦେଶବିଦେଶର ବହୁ ବୁଦ୍ଧିଜିବୀ, ଶିଳ୍ପୀ, ବୁଣାକାର,କଳାକାର, ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l