ବ୍ଲକ ବଡ଼ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି ବିଡିଓଦୁର୍ନୀତିଗ୍ରସ୍ତଙ୍କୁ ସଫା କରିବ ବିଜେପି l

କେନ୍ଦ୍ରାପଡ଼ା(ଆମ ଓଡିଶା ଖବର )୬ା୧:କେନ୍ଦ୍ରାପଡ଼ା ବ୍ଲକର ବଡ଼ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି ବିଡିଓ । ଏହିପରି ଅଭିଯୋଗ କରିଛି ବିଜେଡି । ବିଜେଡିର ଜଣେ ନେତାଙ୍କ କହିବାନୁଯାୟୀ କେନ୍ଦ୍ରାପଡ଼ା ବ୍ଲକ ଏବେ ଆଉ ସରକାରୀ ଅଫିସ ହୋଇ ରହିନାହିଁ । ଏହା ଜଣେ ଦଲାଲ କବଜାରେ ରହିଛି । ଏହି ଦଲାଲ ଯେଉଁ ଆଡେ ଗୋଟି ଚଳାଉଛନ୍ତି ସେହି ଅନୁଯାୟୀ କାର୍ଯ୍ୟ ହେଉଛି । ବିଡିଓ ତାଙ୍କ ହାତବାରିସ ସାଜିଛନ୍ତି । ତେଣୁ ବିଡିଓ ଏହି କୋଟି ପତି ବଡ଼ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି । ବଡ ବାବୁଙ୍କ ମାସିକ ଦରମା ୫୦ ହଜାର ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ା ସହର ଗୋପରେ ୨ କୋଟି ଟଙ୍କାର ଘର କରିବାକୁ ପଇସା କେଉଁଠାରୁ ଆଣିଲେ । ସେହିପରି ଫାର୍ମ ହାଉସ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ାରେ କୋଟି କୋଟି ଟଙ୍କାର ଜମି କେଉଁଠୁ କିଣିଲେ । ଏହାସହ ଲଗଜୁରିଅସ ଲାଇଫ ବିତାଇତବା ପାଇଁ ପାଖରେ ରଖିଛନ୍ତି ଦାମୀ କାର, ବୁଲେଟ୍ ଓ ଅନ୍ୟାନ୍ୟ ଗାଡି । ଏହି ସବୁ ମୁଭେବୁଲ ଆସେଟ କିଣିବା ପାଇଁ ସେ ଏତେ ଟଙ୍କା ଆଣିଲେ କେଉଁଠୁ । ଏ ନେଇ ସୁନିଲ ମହାପାତ୍ର ନାମକ ଯୁବକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ହୋଇଥିଲା । ଜିଲାପାଳ ଏହାର ତଦନ୍ତ ଭାର ବିଡିଓଙ୍କୁ ଦେଇଥିଲେ । ହେଲେ ବିଡିଓ ବଡ଼ ବାବୁଙ୍କୁ କ୍ଲିନ ଚିଟ୍ ଦେଇ ଦେଇଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିିଛି । ଫଳରେ ତାଙ୍କ ବିରୋଧରେ ହୋଇଥିବା ଭିଜିଲାନ୍ସ ତଦନ୍ତ ଏବେ କୁଆଡେ ଶିଥିଳ ହୋଇଯିବ । ଜଣେ ଭିଜିଲାନ୍ସ ଅଧିକାରୀଙ୍କ କହିବାନୁଯାୟୀ ଏକ ବିଭାଗର ମୁଖ୍ୟ ଯଦି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡାଇବେ ତେବେ ସେ କ୍ଷେତ୍ରରେ ତଦନ୍ତ ଶିଥିଳ ହୋଇଯିବା ସ୍ୱାଭବିକ କଥା । ହେଲେ ଫସଲ ଜଗିବା ପାଇଁ ବାଡ଼ର ଭୂମିକା ରହିଛି । କିନ୍ତୁ କେନ୍ଦ୍ରାପଡ଼ା ଜିଲାରେ ବାଡ଼ ଫସଲ ଖାଉଛି । ଅର୍ଥାତ ବିଡିଓଙ୍କ କାର୍ଯ୍ୟ ହେଉଛି ଦୂର୍ନର୍ୀତିଖୋର ଅଧିକାରୀଙ୍କୁ ରୋକିବା । ହେଲେ ସେ ଯଦି ଦୁର୍ନୀତିଗ୍ରସ୍ତଙ୍କୁ ସାହସ ଦେବେ ତେବେ ତାହା ବାଡ଼ ଫସଲ ଖାଇବା ପରିସ୍ଥିତି ସହ ସମାନ ହେବ ବୋଲି ସେ କହିଛନ୍ତି । କେନ୍ଦ୍ରାପଡ଼ା ସହରର ବୁଦ୍ଧିଜୀବୀମାନଙ୍କ କହିବା କଥା ହେଲା ଏତେ ପ୍ରମାଣ ପରେ ମଧ୍ୟ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ନିରବ ରହିବା କଥାଟା କିଛି ଅଲଗା କଥାକୁ ଇଙ୍ଗିତ କରୁଛି । ଉପର ସ୍ତରରେ ଯଦି ଅଧିକାରୀମାନେ ସ୍ୱଚ୍ଛ ରହିବେ ସେ ଆଇଡିଓଲୋଜି ତଳ ସ୍ତରକୁ ଗଡିବ । କିନ୍ତୁ ତଳ ସ୍ତରରେ ଆଇଡିଓଲୋଜି ଓ ଏଥିକ୍ସ ବୋଲି କିଛି ଜିନିଷ ନ ଥିବା ଇଙ୍ଗିତ କରୁଛି ଉପର ସ୍ତରରେ କ’ଣ ସବୁ ଚାଲିଛି । ଖୋଲିକି କହିବାର ଆବଶ୍ୟକତା ନାହିଁ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନରେ କ’ଣ ସବୁ ଚାଲିଛି । ଏହି ଗୋଟିଏ ଘଟଣା ସ୍ପଷ୍ଟ ସୂଚିତ କରୁଛି ଯେ ଜିଲା ଏବେ ଦୁର୍ନର୍ୀତିରେ ଉବୁଟୁବୁ ହେଉଛି । ତେଣୁ ସ୍ୱଚ୍ଛ ଶାସନର ନାରା ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେପରି ସଫା କରୁଛି କେତେବେଳେ ବଡ଼ ବାବୁଙ୍କ ପାଳି ଯେ ନ ପଡିବ ତାହା କହିହେବ ନାହିଁ ବୋଲି କେତେକ ବୁଦ୍ଧିଜୀବୀ କହିଛନ୍ତି । ବିଜେପି ନେତା ତଥା ରାଜ୍ୟ ବିଜେପି ସଂଖ୍ୟାଲଘୁ ଉପସଭାପତି ସଲିମ ଖାନ୍ କହିଛନ୍ତି ମୋଦି ସରକାର ସମ୍ପୂର୍ଣ୍ଣ ଭାବେ କ୍ଲିନ ଓ ମୋହନ ସରକାର ମୋଦି ସରକାରଙ୍କ ଆଇଡିଓଲୋଜିରେ ଚାଲିଛନ୍ତି । ଯାହାର ଫଳ ସ୍ୱରୂପ ଏବେ ରାଜ୍ୟରେ ଦୁର୍ନୀତିଗ୍ରସ୍ତମାନେ ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ମୋହନ ସରକାର ହେଉଛି ଲୋକଙ୍କ ସରକାର । ତେଣୁ ବ୍ଲକ ବଡ଼ ବାବୁ ହୁଅନ୍ତୁ ଅବା ଜିଲାର କୌଣସି ଦୁର୍ନୀତିଗ୍ରସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ହୁଅନ୍ତୁ ସମସ୍ତେ ମୋହନ ସରକାରଙ୍କ ସ୍କାନରରେ ରହିଛନ୍ତି । ଜାଲରେ ମାଛ ପଡିବା ଭଳି ଗୋଟେ ପରେ ଗୋଟେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିବେ ଏଥିରେ ଦ୍ୱିମତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!