ସିଦ୍ଧ ପୁରୁଷ “ବାବା କୈଳାଶ”

ଅଭାବରେ ହେଲେ ବି ମାଗି ଯାଚି ନିର୍ମାଣ କରୁଛନ୍ତି ବୀର ହନୁମାନ ଓ ରାମ ମନ୍ଦିର 

ରିପୋର୍ଟ :ଦେବାଶିଷ ମହାରଣା 

ବେଗୁନିଆପଡା, (ଆମ ଓଡିଶା ଖବର):ବାବା କୈଳାଶ | ବୟସ ସତୁରି ବର୍ଷ, ଦେଖିବାକୁ ପୁରା ସୁସ୍ଥ ସବଳ | ଏହି ବୟସରେ ବି କୌଣସି ରୋଗ ବ୍ୟାଧି ନାହିଁ | ଦିନ ତମାମ ଠାକୁର ସେବାରେ ଲିପ୍ତ ରହି ଜୀବଜଗତ ପାଇଁ ପ୍ରାର୍ଥନା କରି କରି ନିଜର ଖାଇବା ପିଇବା ଭୁଲି ସମାଜ ମଙ୍ଗଳ କରିବାରେ ସେ ଲିପ୍ତ | ପଞ୍ଚମ ଶ୍ରେଣୀ ପଢିଥିଲେ ବି ତାଙ୍କ ମୁଖରୁ ମନ୍ତ୍ର ଶୁଣିଲେ ବଡ଼ ବଡ଼ ପଣ୍ଡିତ ବି ଅବାକ ହୋଇଯିବେ | ଘର ଚାପରେ ନିଜର ବୈବାହିକ ଜୀବନରୁ କିଛି ଦିନ ବିତାଇବା ପରେ ଦୀର୍ଘ ଚାଳିଶି ବର୍ଷ ହେଲା ସେ ଠାକୁରଙ୍କ ସେବା କରି କରି ସମାଜ ପାଇଁ କେବଳ ମଙ୍ଗଳ ଚିନ୍ତା କରି ଆସୁଛନ୍ତି | ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତର ପୁସ୍ତପୁର ଗ୍ରାମ ବାସିନ୍ଦା ବାବା ଶ୍ରୀ କୈଳାଶ ସାହୁଙ୍କ କଥା | ଜଣେ ଧାର୍ମିକ ପୁରୁଷ, ଜଣେ ମନ୍ତ୍ର ସାଧକ, ଜଣେ ଆୟୁର୍ବେଦ ଚିକିତ୍ସକ ଭାବେ ଅଞ୍ଚଳରେ ସେ ବେଶ ଜଣାଶୁଣା | ବହୁ ପୁରାତନ ଆୟୁର୍ବେଦ ଔଷଧ ତିଆରି କରିବାରେ ବି ସେ ସିଦ୍ଧହସ୍ତ | ପୁରୁଣା ରୋଗର ଚିକିତ୍ସା ସହ ଅନେକ ଜଡିବୁଟି କୁ ଔଷଧ ପାଇଁ ବ୍ୟବହାର କରି ଲୋକଙ୍କୁ ଦେଇଥାନ୍ତି | ଆଧୁନିକ ବାବା ଙ୍କ ଭଳି ତାଙ୍କର ମୋବାଇଲ ନାହିଁ କି ଚାକଚକ୍ୟ ଢଙ୍ଗ ନାହିଁ | ଅନ୍ଧାର ଘରେ ରହି ଠାକୁରଙ୍କୁ ଧ୍ୟାନ କରିବା ସହ ମାସକୁ ପ୍ରାୟତଃ ଗୋଟିଏ କିମ୍ବା ଦୁଇଥର ଅନ୍ନ ପ୍ରସାଦ ସେବନ କରିଥାନ୍ତି | ଆଖ ପାଖ ଅଞ୍ଚଳରେ ସେ ଅନେକ ଶିଷ୍ୟ ତିଆରି କରିଥିବା ବେଳେ ଲୋକେ ତାଙ୍କୁ ଶ୍ରଦ୍ଧାରେ ବାବା କୈଳାଶ ବୋଲି ସମ୍ବୋଧନ କରିଥାନ୍ତି | ଚିକିତ୍ସା ପାଇଁ ଅନେକ ଦୂର ଦୁରାନ୍ତରୁ ଲୋକେ ପହଞ୍ଚୁଥିବା ମଧ୍ୟ ଜଣାପଡିଛି | ଏଥିପାଇଁ ବାବା କୌଣସି ଅର୍ଥ ଦାବୀ କରନ୍ତି ନାହିଁ | ଯିଏ ଯାହା ଦେଲେ ତାକୁ ସେ ଖୁସିରେ ଗ୍ରହଣ କରିଥାନ୍ତି | ବାବା କୈଳାଶ ନିଜେ ଜଣେ ମୃଦଙ୍ଗ ବାଦକ | ମୃଦଙ୍ଗ ଶିଖେଇ ଅନେକ ମୃଦଙ୍ଗ ବାଦ୍ୟ କଳାକାର ତିଆରି କରି ସେ ବେଶ ସୁନାମ ଅର୍ଜନ କରିଛନ୍ତି | ଏହି କଳା ପାଇଁ ତାଙ୍କୁ ବହୁ ସନମାନ ମିଳିଥିବା ବେଳେ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳୁ ନଥିବା କହିଛନ୍ତି ବାବା | ଅଯୋଧ୍ୟାରୁ ଗୁରୁ ମନ୍ତ୍ର ଗ୍ରହଣ କରି ଏବେ ସେ ସମଗ୍ର ଅଞ୍ଚଳରେ ବହୁ ଶିଷ୍ୟ ତିଆରି କରିଛନ୍ତି | ବର୍ତମାନ ସେ ନିଜର ଵାସ ଗୃହ ନିକଟରେ ଥିବା ଘଡକା ପାହାଡ଼ରେ ଦୁଇଟି ମନ୍ଦିର ନିର୍ମାଣ କରୁଛନ୍ତି | ହେଲେ ଅର୍ଥ ଅଭାବରୁ ଏହି ଦୁଇଟି ମନ୍ଦିର ତିଆରି କରିବାରେ ସେ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତଥାପି ବଞ୍ଚିଥିବା ଯାଏଁ ମନ୍ଦିର ନିର୍ମାଣ କରିବା ପାଇଁ ଚେଷ୍ଟା ଜାରୀ ରଖିବେ ବୋଲି କହିଛନ୍ତି | ହସ ହସ ମୁହଁରେ ସମସ୍ତଙ୍କ ଦୁଃଖ ବୁଝି ପାରୁଥିବା ବାବା କୈଳାଶଙ୍କର ମନ୍ଦିର ନିର୍ମାଣ ପ୍ରତି ସାଧାରଣ ଲୋକେ,ରାଜନେତା ଦୃଷ୍ଟି ଦେଲେ ଏକ ମନ୍ଦିର ନିର୍ମାଣ ହେବା ସହ ସମସ୍ତେ ବୀର ହନୁମାନଙ୍କ କୃପା ଲାଭ କରି ପାରିବେ ବୋଲି କହିଛନ୍ତି ବାବା | ତେବେ ମନ୍ଦିର ନିର୍ମାଣ ନେଇ ସହୃଦୟ ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ସହଯୋଗ ଲୋଡିଛନ୍ତି ବାବା କୈଳାଶ |

error: Content is protected !!