ରିପୋର୍ଟର :-ମୋହନଲାଲ ସୁନାନୀ [ନବରଙ୍ଗପୁର, ଚନ୍ଦାହାଣ୍ଡି ]
ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ଜଟିଳ ହେଉଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଆଭାବ ହେତୁ ବ୍ଲକ ମହକୁମା ସ୍ଥିତ ଚିକିତ୍ସାଳୟରେ ରୋଗୀ ମାନେ ଆବଶ୍ୟକ ଚିକିତ୍ସାସେବା ନ ପାଇ ଦୁରଦୁରାନ୍ତକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏଠାରେ ସାଧାରଣ ଜ୍ୱର କିମ୍ବା ମୁଣ୍ଡ ବୁଲେଇଲେ ମଧ୍ୟ ରୋଗୀ ଏଠାରେ ଭରଷା ନପାଇ ସୁଦୁର ଧର୍ମଗଡ ଓ ନବରଙ୍ଗପୁର ଯାଇ ଚିକିତ୍ସା ହେଉଛନ୍ତି । ଲଗାତାର ଭାବେ ଏ ଡାକ୍ତରଖାନାରେ ଡାକ୍ତରମାନଙ୍କୁ କେତେବେଳେ ସ୍ଥାନାନ୍ତର କରାଯାଉଛି ତାହା ଜଣା ପଡୁନାହିଁ । ତଥାପି ଯେତେଜଣ ଡାକ୍ତର ରହିଛନ୍ତି ସେମାନେ ପାଳି କରି ଡ୍ୟୁଟି କରୁଥିବା ବେଳେ ସାଧାରଣ ସ୍ୱାସ୍ଥ୍ୟ ସେବା ଏଠାରେ ଭୁଷୁଡି ପଡିଛି । ଏଠାରେ ଥିବା ପୂର୍ବତନ ଭାରପ୍ରାପ୍ତ ଗୋଷ୍ଠୀ ଚିକତ୍ସା ଅଧିକାରୀ ଡ. ସଂଗ୍ରାମ କେଶରୀ ସାହୁ ଉଚ୍ଚ ଶିକ୍ଷା ପାଇଁ ଯିବାପରେ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ବେଳେ ବିଭିନ୍ନ ସରକାରୀ ଯୋଜନାରେ ଜନସଚେତନତା ପାଇଁ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଲକ୍ଷଲକ୍ଷ ଟଙ୍କା ର ସଠିକ ବିନିଯୋଗ ହୋଇ ପାରୁନାହିଁ । ଯାହାଫଳରେ ଗ୍ରାମାଂଚଳର ଜନସାଧାରଣ ସଚେତନତା ଅଭାବରୁ ବିଭିନ୍ନ ପ୍ରକାର ଦୂରାରୋଗ୍ୟ ରେ ପିଡିତ ହେଉଥିବା ଦେଖାଯାଉଛି । ସଂପ୍ରତି ବର୍ଷା ଋତୁ ଜାରି ରହିଥିବାରୁ ଗ୍ରାମାଞ୍ଚଳରେ ମ୍ୟାଲେରିଆ,ଡେଙ୍ଗୁ ,ଝାଡାବାନ୍ତି ଆଦି ରୋଗ ବ୍ୟାପିବାର ଆଶଂଙ୍କା ରହୁଥିବା ବେଳେ ହସ୍ପିଟାଲ କର୍ମଚାରୀଙ୍କ ଆନ୍ତରିକତା ଓ ସେବା ମନୋବୃତିର ଅଭାବ ଯୋଗୁଁ ଆଗକୁ ଯେ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହା କହିବା ମୁସକିଲ୍ । ମୋଟାମୋଟି ଭାବେ କହିବାକୁ ଗଲେ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ରିଫେରାଲ ସେଣ୍ଟର ରେ ପରିଣତ ହେଇଛି ।
ପ୍ରକାଶ ଥାଉକି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଦଳବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ବେହେରାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ଦେଓବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନକାବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଖୋଦ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଝରିଗାଁ ବିଧାୟକ ପ୍ରକାଶ ମାଝୀ ଙ୍କ ନିଜ ବ୍ଲକରେ । ବ୍ଲକର ଗୋଟିଏ ସି.ଏଚ.ସି ଏବଂ ୪ ଟି ପି.ଏଚ.ସି. ରେ ରହିଛନ୍ତି କେବଳ ୮ ଜଣ ଡାକ୍ତର । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ବ୍ଲକରେ ୧୪ ଗୋଟି ଗ୍ରାମ ପଞ୍ଚାୟତ ଥିବା ବେଳେ ଏହାର ଜନସଂଖ୍ୟା ଏକ ଲକ୍ଷରୁ ଉର୍ଦ୍ଧ । ବର୍ଦ୍ଧିତ ଜନସଂଖ୍ୟା ଓ ସ୍ୱାସ୍ଥ୍ୟସେବା ଭଳି ଏକ ମୈାଳିକ ସୁବିଧାକୁ ଲୋକଙ୍କ ଦୁଆର ମୁହଁକୁ ପହଞ୍ଚାଇବାକୁ ସରକାର ଚନ୍ଦାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେଇଥିବା ବେଳେ ଏହି ବ୍ଲକରେ ଆଉ ଚାରୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି । ଉଭୟ ସାଂସଦ ଓ ବିଧାୟକ ଙ୍କ ନିଜ ବ୍ଲକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସାଧାରଣରେ ଗ୍ରହଣ କରିପାରୁନାହାନ୍ତି ଜନସାଧାରଣ ।ା ମିଳିଥିବା ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଗୋଟି ଅନୁମୋଦିତ ପଦବି ରହିଛି । ଜଣେ ସ୍ତ୍ରୀ ରୋଗ ବିଶେଶଜ୍ଞ, ଜଣେ ଶିଶୁ ରୋଗ ବିଶେଶଜ୍ଞ, ଜଣେ ଶଲ୍ୟ ବିଶେଶଜ୍ଞ, ଜଣେ ମେଡିକାଲ ଅଫିସର ରହିବା କଥା । କିନ୍ତୁ ଡାକ୍ତରଖାନାରେ ଜଣେ ବି ବିଶେଶଜ୍ଞ ନାହାନ୍ତି । ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦିବାରାତ୍ରି ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିଲେ ହେଁ ଏଠାରେ ଦୀର୍ଘ ଦିନ ହେଲା ଡାକ୍ତରଙ୍କ ମରୁଡି ଲାଗି ରହିଛି । ଏହି କେନ୍ଦ୍ର ଉପରେ ୧୪ ଗୋଟି ପଞ୍ଚାୟତ ବାସିନ୍ଦା ନିର୍ଭର କରୁଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୪ ଜଣ ଡାକ୍ତରଙ୍କ ଦୟାରେ ଚାଲିଛି ଏହି ବ୍ଲକର ସ୍ୱାସ୍ଥ୍ୟ ସେବା । ବାରମ୍ବାର ବିଶେଶଜ୍ଞ ଡାକ୍ତର ଓ ସ୍ଥାୟୀ ମେଡିକାଲ ଅଫିସର ନିଯୁକ୍ତି ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାର ଜନସାଧାରଣଙ୍କ ଦାବିକୁ ଅଣଦେଖା କରୁଥିବା ସ୍ପଷ୍ଟ ବାରି ହେଉଛି । ବିଧାୟକ ଓ ସାଂସଦଙ୍କ ନିଜ ବ୍ଲକରେ ଯଦି ସ୍ୱାସ୍ଥ୍ୟ ସେବା ଏପରି ତାହେଲେ ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ସ୍ୱାସ୍ଥ୍ୟ ସେବା କିଭଳି ଥିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହି ଡାକ୍ତରଖାନା ଅଧିନରେ ରହିଥିବା କିଛି କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ହାତକରି ଦିର୍ଘ ବର୍ଷ ହେଲା ଠାଟ୍ ଜମେଇଥିବା ବେଳେ ସ୍ୱାସ୍ଥ୍ୟ ସେବା ସମ୍ପର୍କୀୟ ଯୋଜନାର ଜନସାଧାରଣ ସୁଫଳ ପାଇ ପାରୁ ନାହାନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟସେବାର ଏଭଳି ପରିସ୍ଥିତିକୁ ଦେଖିଲେ ସରକାର ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପାଇଁ ସତେ ଯେପରି ସଚେତନ ନାହାନ୍ତି । ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ସଦର ଠାରୁ ୪ କିମି ଦୂରତାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଚନ୍ଦାହାଣ୍ଡି ସଦର ରେ ଏକ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ