ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ,୨୦/୧୦- ଆସନ୍ତା ଡିସେମ୍ବର ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବୌଦ୍ଧଠାରେ ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ବୌଦ୍ଧର କଚେରୀ ପଡିଆଠାରେ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଆୟୋଜନ କରିବାପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆଜି ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟଠାରେ ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ପ୍ରାରମ୍ଭରେ ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ଆଗାମୀ ବୌଦ୍ଧ ପୁସ୍ତକମେଳାର ସଫଳ ଆୟୋଜନ ଓ ଅଧିକ ଆକର୍ଷଣୀୟ କରିବାପାଇଁ ସାଧାରଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଉପସ୍ଥିତ ଫୋରମର ସଦସ୍ୟଗଣ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବାସହ ବିଭିନ୍ନ ପ୍ରସ୍ତାବସବୁକୁ ବିଶଦ୍ ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ମହାବିଦ୍ୟାଳୟ ସ୍ତରୀୟ ଆଲୋଚନାଚକ୍ର ଆୟୋଜନ ସମେତ ପୁସ୍ତକ ପଠନ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଚଳିତଥର ଫୋରମ୍ ତରଫରୁ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ପ୍ରତିବର୍ଷ ଭଳି ଚଳିତ ପୁସ୍ତକମେଳା ଅବସରରେ ରାଜ୍ୟସ୍ତରରେ ବାର୍ତ୍ତାବହ ସମ୍ମାନ ଓ ପୁସ୍ତକମେଳା ସମ୍ମାନ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବ । ଏଥିପାଇଁ ଏକ ଚୟନ କମିଟି ଗଠନ କରାଯାଇଥିଲା । ପୁସ୍ତକମେଳା ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ମଧ୍ୟ ପ୍ରକାଶ କରାଯାଇ କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଗବେଷଣାତ୍ମକ ଲେଖା ଏଥିରେ ସ୍ଥାନିତ କରିବାକୁ ସ୍ଥିର କରାଯାଇଛି । ବୌଦ୍ଧଜିଲ୍ଲାର ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ପ୍ରତ୍ୟହ ସନ୍ଧ୍ୟାରେ ଆଲୋଚନାଚକ୍ର, ସାହିତ୍ୟସଭା, ସଚେତନତା ମୂଳକ କର୍ମଶାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବରିଷ୍ଠ ସାମ୍ବାଦିକ ସତ୍ୟଜିତ୍ କୁମାର ପଣ୍ଡାଙ୍କୁ ପୁସ୍ତକମେଳା ଆବାହକ ଭାବେ ଘୋଷଣା କରାଯାଇଥିବାବେଳେ ବରିଷ୍ଠ ସାମ୍ବାଦିକ ଦିବ୍ୟରଞ୍ଜନ ପଟ୍ଟନାୟକ, ସୁକାନ୍ତ ପଟ୍ଟନାୟକ, ସତ୍ୟନାରାୟଣ ପାଣି, ପ୍ରୀତିରଞ୍ଜନ ଦାସ, ବାସୁଦେବ ସାହୁ, ଭାଗବତ ମେହେର, ଅବଦୁଲ ମହସିନ ଖାଁନ, ଦେବାନନ୍ଦ ସାହୁ, ସୁଧାଂଶୁ ଶେଖର ମିଶ୍ର, ଦୀପକ ଅଦର ପ୍ରମୁଖଙ୍କୁ ବିଭିନ୍ନ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ସେମିନାର କମିଟିରେ ସୁମନ୍ତ ମେହେର, ଦେବାଶିଷ ନେପାକ, ସୁଶାନ୍ତ ବେହେରା, ବିଭୁଦତ୍ତ ବୋଷ, ସଞ୍ଜିବ କୁମାର ମହାକୁଳ ପ୍ରମୁଖଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ବୈଠକ ପରେ ଜିଲ୍ଲା ସାମ୍ବାଦିକ ଫୋରମ୍ ତରଫରୁ ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ସାକ୍ଷାତକରି ଆଗାମୀ ପୁସ୍ତକମେଳା ସଂପର୍କରେ ଆଲୋଚନା କରିଥିଲେ । ପ୍ରଶାସନ ତରଫରୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଜିଲ୍ଲାପାଳଙ୍କ ସହ ଆଲୋଚନାବେଳେ ଉପସ୍ଥିତ ଥିଲେ ।
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l