ସିମେଣ୍ଟରେ ବାଲି ମିଶିଛି ନା ବାଲି ରେ ସିମେଣ୍ଟ ମିଶି କରାଯାଉଛି ସରକାରୀ କାମ,କବିସୂର୍ଯ୍ୟନଗର ବିଧାୟକ କ୍ଷୁବ୍ଧ l

ବେଗୁନିଆପଡ଼ା,(ଆମ ଓଡିଶା ଖବର):କବିସୂର୍ଯ୍ୟନଗର ବିଧାୟକଙ୍କ ତାଗିଦ ସତ୍ୱେ କର୍ଣ୍ଣପାତ କରୁନାହାନ୍ତି କି କଣ୍ଟ୍ରାକ୍ଟର ଓ ବିଭାଗୀୟ ଅଧିକାରୀ । ଯାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଳକର ବଡ଼ ଖଇରଖମା ପଞ୍ଚାୟତର ବଡ଼ଖଇରଖମା ଠାରୁ ଚନ୍ଦନପୁର ପଞ୍ଚାୟତର ଚିଲିପୋଇ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ । ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ପାଇବା ପରେ ରବିବାର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉକ୍ତ ପଞ୍ଚାୟତକୁ ଜନସମ୍ପର୍କ ଯାତ୍ରାରେ ଆସି ନିର୍ମାଣାଧୀନ ରାସ୍ତାରେ ଯିବା ବେଳେ ଅଭିଯୋଗକୁ ନେଇ ପୋଲ ନିର୍ମାଣ ଯାଞ୍ଚ କରିଥିଲେ । ବିଧାୟକ ପୋଲ ନିକଟରେ ପହଞ୍ଚି ଅନୁଧ୍ୟାନ କରି ନିମ୍ନମାନର କାମ ହୋଇଥିବା ଦେଖି କ୍ଷୋଭ ପ୍ରକାଶ କରିବା ସହ ସହକାରୀ ଯନ୍ତ୍ରୀ ଭି. ଶଙ୍କର ରାଓଙ୍କୁ ତାଗିଦ କରିଥିଲେ । ପୋଲ ଭାଙ୍ଗି ପୁନର୍ବାର ନିର୍ମାଣ କରିବାକୁ କହିଥିଲେ । ପରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଯୋଗାଯୋଗ କରି ଉକ୍ତ କାର୍ଯ୍ୟର ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ସହକାରୀ ଯନ୍ତ୍ରୀ ଭି. ଶଙ୍କର ରାଓ ଓ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା ଘଟଣା ସ୍ଥଳକୁ ଯାଇ କାର୍ଯ୍ୟର ତଦନ୍ତ କରିଥିବା ଜଣାପଡିଛି। ଏ ବାବଦରେ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗରେ କହିଛନ୍ତି ଯେ ଖୁବ ଶୀଘ୍ର ପୋଲ ଭାଙ୍ଗି ପୁନର୍ବାର ଭଲ ଭାବେ ନିର୍ମାଣ କରିବାକୁ ଠିକାଦାରଙ୍କୁ କୁହାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ କଣ୍ଟ୍ରାକ୍ଟର ଏହି କାର୍ଯ୍ୟ କରୁଛନ୍ତି ତାଙ୍କର ଉଧ୍ୟେଶ୍ୟ କଣ ? ନିମ୍ନମାନର କାର୍ଯ୍ୟ କରି ରାଜସ୍ବ ହରିଲୁଟ କରିବାର ଏହା ଏକ ସୁଚିନ୍ତିତ ଯୋଜନା ନୁହେଁ ତ ? ଯେଉଁଠି କଣ୍ଟ୍ରାକ୍ଟର ମାନେ କାର୍ଯ୍ୟ କରୁଛନ୍ତି ସେଇଠି ବିଭାଗୀୟ ଅଧିକାରୀଙ୍କ ତରଫରୁ ବାରମ୍ବାର ଯାଞ୍ଚ କରା ଯାଉଛି ତ ? ନା ପୂର୍ବ ସରକାରରେ ଯାହା ସବୁ କରୁଥିଲେ ସେହି ପ୍ରକ୍ରିୟାରେ ଏହିଭଳି କାର୍ଯ୍ୟ କରାଯାଉଛି ? ଯାହାକି ତଦନ୍ତ ସାପେକ୍ଷ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!