ବନ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାୟଗଡ ଜିଲ୍ଲା (ଆମ ଓଡିଶା ଖବର )ତା :-୨୨.୦୫.୨୦୨୬: ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଆଜି ରାୟଗଡ ନୂତନ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅଶୁତୋଷ କୁଳକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଜରୁରୀକାଳୀନ ସ୍ଥିତିର ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଏବଂ ନିୟନ୍ତ୍ରଣ କକ୍ଷକୁ ସମ୍ପୂର୍ଣ୍ଣ ସକ୍ରିୟ କରାଯାଇଛି, ଯାହାର ଫୋନ ନମ୍ବର ୦୬୮୫୬–୨୨୪୦୮୨ ଏବଂ ଟୋଲ୍ ଫ୍ରି ନମ୍ବର ୧୦୭୭ ଜାରି କରାଯାଇଛି, ଯାହା ଦ୍ୱାରା ସାଧାରଣ ଜନତା ଯେକୌଣସି ଜରୁରୀ ସମୟରେ ଯୋଗାଯୋଗ କରିପାରିବେ ।ଏହା ସହ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ସମସ୍ୟା ପାଇଁ ଟୋଲ୍ ଫ୍ରି ନମ୍ବର ୧୧୨ କୁ ଯୋଗାଯୋଗ କରିପାରିବେ।

ବୈଠକରେ ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣୀ, ମାନ୍ୟବର ବିଧାୟକ ରାୟଗଡ ଶ୍ରୀ କାଡ୍ରକା ଅପ୍ପଳା ସ୍ୱାମୀ, ମାନ୍ୟବର ବିଧାୟକ ଗୁଣପୁର ଶ୍ରୀ ସତ୍ୟଜିତ ଗୋମାଙ୍ଗ, ମାନ୍ୟବର ବିଧାୟକ ବିଷମକଟକ ଶ୍ରୀ ନୀଳମାଧଵ ହିକକା ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ ବନ୍ୟା ପ୍ରବଣ ଅଞ୍ଚଳଗୁଡ଼ିକରେ ପୂର୍ବରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ କରି ତୁରନ୍ତ ମରାମତି କରିବା, ଡ୍ରେନେଜ ବ୍ୟବସ୍ଥା ସଫା ରଖିବା ଓ ବର୍ଷାଜଳର ସ୍ୱାଭାବିକ ନିଷ୍କାସନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ବର୍ଷା ମାପକ କେନ୍ଦ୍ରଗୁଡ଼ିକର ଯାଞ୍ଚ, ନିୟନ୍ତ୍ରଣ କକ୍ଷ ସକ୍ରିୟକରଣ ଓ ଆବଶ୍ୟକ ଯୋଗାଯୋଗ ଉପକରଣ ସୁଚାରୁ ରଖିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଥିଲା । ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଓଡ୍ରାଫ୍ (ODRAF) ରାୟଗଡ, ଭାମିନୀ ସ୍ଥିତ ଦ୍ୱିତୀୟ ଆଇଆରବିଏନ (2nd IRBN) ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୧ଟି ଅଗ୍ନିଶମ କେନ୍ଦ୍ରର ସେବାକୁ ସଜାଗ ରଖାଯାଇଛି ।
ବୈଠକରେ ବନ୍ୟା ପ୍ରବଣ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଅଗ୍ରୀମ ମଜୁତ, ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ ଓ ସେଠାରେ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଜିଲ୍ଲାରେ ୩ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଯଥା ରାୟଗଡ ବ୍ଲକର ହାଟସେସଖାଲ, ବିଷମକଟକ ବ୍ଲକର କୁଟ୍ରାଗଡ ଏବଂ ଗୁଣୁପୁର ବ୍ଲକର ବିକ୍ରମପୁର ଠାରେ ତାଲିମପ୍ରାପ୍ତ ଟାସ୍କଫୋର୍ସ ପ୍ରସ୍ତୁତ ରହିଛନ୍ତି । ଏହା ବ୍ୟତୀତ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ଅନ୍ୟ ୮୪ଟି ଚିହ୍ନଟ ହୋଇଥିବା ଆଶ୍ରୟସ୍ଥଳୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍ ପ୍ରସ୍ତୁତ ରଖିବା ସହ ପଶୁ ସମ୍ପଦ ବିଭାଗକୁ ପଶୁ ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହା ସହ ବନ୍ୟା ସମୟରେ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ରାସ୍ତା ଓ ଯାନବାହନ ବ୍ୟବସ୍ଥା, ଓଡ୍ରାଫ୍, ଏନଡିଆରଏଫ୍ ଓ ଅନ୍ୟାନ୍ୟ ସୁରକ୍ଷା ବଳ ନିୟୋଜନ, ହେଲିପ୍ୟାଡ୍ ଓ ଏୟାରଷ୍ଟ୍ରିପ୍ ତାଲିକା ପ୍ରସ୍ତୁତି, ଟେଲିଫୋନ ଓ ୱାୟାରଲେସ ଯୋଗାଯୋଗ ବ୍ୟବସ୍ଥା ସଚଳ ରଖିବା ଏବଂ ବିଦ୍ୟୁତ୍ ଓ ସଡ଼କ ସେବା ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରସ୍ତୁତି ନେବାକୁ କୁହାଯାଇଥିଲା । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ବୈଠକରେ ମାନ୍ୟବର ବିଧାୟକ ରାୟଗଡ ଶ୍ରୀ କାଡ୍ରକା ଅପ୍ପଳା ସ୍ୱାମୀ, ମାନ୍ୟବର ବିଧାୟକ ଗୁଣପୁର ଶ୍ରୀ ସତ୍ୟଜିତ ଗୋମାଙ୍ଗ, ମାନ୍ୟବର ବିଧାୟକ ବିଷମକଟକ ଶ୍ରୀ ନୀଳମାଧଵ ହିକକା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉର୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଅଭିଷେଖ ଦୁଦାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋସନାର ବର୍ଲା, ଅଗ୍ନିଶମ, ସ୍ୱାସ୍ଥ୍ୟ, ଜଳ ସମ୍ପଦ, ପଞ୍ଚାୟତିରାଜ, ବିଦ୍ୟୁତ୍, ପରିବହନ, ଖାଦ୍ୟ ଯୋଗାଣ, କୃଷି, ପଶୁ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ, ଗୋଷ୍ଠୀ ଉର୍ନୟନ, ତହସିଲଦାର ସହ ଜିଲ୍ଲାର ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।
କଲ୍ୟାଣସିଂପୁର ବ୍ଲକ ର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳକୁ ଗ୍ରସ୍ତ କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ରାୟଗଡ଼।
ଷ୍ଟ୍ରିଟ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ, ପ୍ରଥମ ମ୍ୟାଚରେ କଦମ୍ବଦ୍ୱାର ସାହିର ବିଜୟ।