ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )
ନୀଳନଭୁ ଆଜି ଭସା ବାଦଲଟା
ଭାସି ଭାସି ଧରା ଛୁଏଁ
ଉତ୍ତପ୍ତ ଧରଣୀ ଶାନ୍ତ ସ୍ଵରେ ପୁଣି
ଚୁପି ଚୁପି ଗୀତ ଗାଏ।
ହୃଦୟ ଶୀତଳ ହୁଏ
ଭୂମା ଠାରୁ ଭୂମି ଉଲ୍ଲସିତ ସର୍ବେ
ମନ ନାଚି ନାଚି ଯାଏ ।୧।
ଅମାନିଆ ସେଇ ମୌସୁମୀ ଝିଅ ଟା
ପସରା ବାଢିବା ଆଶେ
ସ୍ଥାନ କାଳ ନାହିଁ ଅବେଳରେ ସିଏ
କେତେବେଳେ କୋ’ଠି ପଶେ।
ମଧୁର ରସରେ ରସେ
ଟପ୍ ଟପ୍ ସେଇ ସଂଗୀତ ତାଳରେ
ଗ୍ରୀଷମ ସହିତ ମିଶେ।୨।
ଗଲା ସନ ଝିଅ ଅତି ଚୁଲ୍ ବୁଲି
ଦେଖାଇଲା କେତେ ଛଇ
ଜୀବ ଜଗତର ନୟନ କୋଣରୁ
ବୁହାଇଲା ଧାରା ନଈ।
କାନ୍ଦୁଥିଲେ କଇଁ କଇଁ
ମୁହଁ ଟି ଦେଖାଇ କେଣେ ଲୁଚିଗଲା
ଆଉ ଦେଖା ଗଲା ନାହିଁ।୩।
ହତାଶର ଭାବ ଜୀବେ ଦେଖାଗଲା
ରୁକ୍ଷ ହୋଇଲା ଧରା
ପ୍ରତ୍ୟାବର୍ତ୍ତନକୁ ଚାହିଁ ଚାହିଁ ଜନେ
ମୌସୁମୀ ନ ଦେଲା ଧରା।
ତପନ ଢାଳିଲା ଖରା
କିଛି ଦିନ ଅନ୍ତେ ଫେରି ଦୁଷ୍ଟ ଝିଅ
ପ୍ରକୃତି କରିଲା ଭରା।୪।
ଏସନ ଆଗୁଆ ଜଗିଲା ତୋଠ କୁ
ମଠୁଆ ନ ହେଲା ଜାଣି
ବାରିଦ ସାଙ୍ଗରେ ପ୍ରୀତି ପଲ୍ଲବୀ ଲା
ଜ୍ୟେଷ୍ଠ ରେ ଢାଳିଲା ପାଣି।
ସବୁ କିଛି ଜାଣି ଶୁଣି
ବସୁଧା ମାଆ ର କାନ୍ତି ବଢ଼ାଇବ
ସୁକାନ୍ତି ଦେଲା ବଖାଣି।୫।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।