ଫଟାମୁଣ୍ଡା-ଦେଢ଼େଣମାଳ ପୋଲ ନିର୍ମାଣ ହେବ କେବେ ?

ବୌଦ୍ଧ (ଚିତ୍ତରଞ୍ଜନ ସିଂହ)

ବୌଦ୍ଧ : ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଗମନାଗମନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି l କିନ୍ତୁ ପ୍ରଶାସନିକ ବିଧିବ୍ୟବସ୍ଥାରେ ଯୋଗାଯୋଗ କ୍ଷେତ୍ର ଏକ ପ୍ରକାର ସ୍ଥାଣୁ ପାଲଟିଛି l କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ଫଟାମୁଣ୍ତା ଓ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ରାସ୍ତା ମଝିରେ ଥିବା ନାଳରେ ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଉକ୍ତ ନାଳରେ ପୋଲ ନିର୍ମାଣ କରିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିବା ସତ୍ତ୍ବେ ଦୀର୍ଘ ବର୍ଷ ବିତିଗଲାଣି କିନ୍ତୁ କେହି ଗୁରୁତ୍ୱ ଦେଉ ନାହାନ୍ତି l ଫଳରେ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲ ନଥିବାରୁ ପ୍ରତିବର୍ଷ ବର୍ଷାଋତୁରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରାୟ ୮ ହଜାର ଲୋକ ଏଇ ରାସ୍ତାରେ ନିର୍ଭର କରନ୍ତି । ପୋଳ ନଥିବାରୁ ମାତ୍ର ୩କିମି ରାସ୍ତାକୁ ବର୍ଷା ଦିନରେ ଆମ୍ବଗାଁ ପଞ୍ଚାୟତ କିମ୍ବା ଉମା ପଞ୍ଚାୟତ ମୁଖ୍ୟାଳୟ ଦେଇ ଦୀର୍ଘ ୯କିମ ବୁଲିବାକୁ ପଡିଥାଏ । କାହାର ଦେହପା’ ଖରାପ ହେଲେ ଖୁଣ୍ଟିଗୋରା ଡାକ୍ତରଖାନା ଯିବାକୁ ହେଲେ ଲୋକେ ବହୁ କଷ୍ଟ ପାଇଥାନ୍ତି ବୋଲି କହିଛନ୍ତି ଦେଢ଼େଣମାଳ ଗ୍ରାମର ଶିବଶଙ୍କର କାଲସେ l ଚଳିତ ବର୍ଷ ଫେବୃଆରୀ ୨୦ତାରିଖ ଉମା ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ସଚେତନ ନାଗରିକ ଉକ୍ତ ନାଳରେ ପୋଲ ନିର୍ମାଣ ନିମନ୍ତେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ମଧ୍ୟ ହୋଇଥିଲା l ଏନେଇ କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନଙ୍କୁ ପଚାରିବାରୁ ପ୍ରସ୍ତାବ ଦେଇଛୁ ବୋଲି କହିଛନ୍ତି l ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

error: Content is protected !!