କାଙ୍କଣ ଶିଖରୀ  ଚିଲିକା ପାଣିରେ ରଥଯାତ୍ରା

ଚିଲିକା :ଭାବବିନୋଦିଆ କଳାଠାକୁରଙ୍କ କିମ୍ବଦନ୍ତୀ ସହ ଜଡିତ ଏକ ପୀଠ ହେଉଛି ଖୋର୍ଦ୍ଧା ଚିଲିକା ଭିତରେ ଥିବା କାଙ୍କଣ ଶିଖରୀ । କାଙ୍କଣ ଶିଖରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା କ୍ଷେତ୍ର ବୋଲି କୁହାଯାଏ ।

ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି କରେ କାଙ୍କଣ ଶିଖରୀ । ୧୭୩୧ ମସିହାରେ ମୋଗଲଙ୍କ(ତକି ଖାଁ) ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ ଦେଉଳରୁ ଆଣି କାଙ୍କଣୀ କୁଦରେ ପାତାଳି କରାଯାଇଥିଲା । ଯାହା ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇ ରହିଛି । କିମ୍ବଦନ୍ତୀ କହେ ମୋଗଲ ଶାସକଙ୍କ ଆକ୍ରମଣରୁ ବର୍ତ୍ତିବାକୁ ଗଜପତି ଓ ସେବାୟତମାନେ ମହାପ୍ରଭୁଙ୍କୁ ଚିଲିକାର ନୀଳ ଜଳରାଶି ମଧ୍ୟରେ ଥିବା ଏକ ଟାପୁରେ ଲୁଚାଇ ରଖିଥିଲେ ।

ଏହି କ୍ଷେତ୍ର ଏବେ ଶ୍ରୀଜୀଉଙ୍କ ଲୀଳା କ୍ଷେତ୍ର ଭାବେ ବେଶ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିଲିକା ମଝିରେ ରହିଛି ଲିଳାକ୍ଷେତ୍ର କାଙ୍କଣ ଶିଖରୀ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏଠି ପାଳିତ ହୁଏ ସମସ୍ତ ପର୍ବ ପର୍ବାଣୀ । ଶ୍ରୀଗୁଣ୍ଡିଚାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ସାଆନ୍ତ ଡଙ୍ଗାରେ ଚିଲିକା ପରିଭ୍ରମଣ କରନ୍ତି । ଏ ଅପୂର୍ବ ଦୃଶ୍ୟ ଦେଖିବାକୁ ଏଠାରେ ଭକ୍ତଙ୍କ ଗହଳି ମଧ୍ୟ ଜମିଥାଏ ।

ଯାହା ବିଶ୍ବରେ ଅନ୍ୟ କେଉଁଠି ଦେଖିବାକୁ ମିଳେନି।ଜଗନ୍ନାଥ ଏଠାରେ ପାତାଳୀ ହୋଇଥିବା ସମୟରେ ଟାପୁରେ ଫଳିଥିବା କାଙ୍କଡ଼ ମହାପ୍ରଭୁଙ୍କୁ ଭୋଗଲାଗି ହୋଇଥିଲା । ସେହି ଦିନ ଠାରୁ ଏହି କ୍ଷେତ୍ରକୁ କାଙ୍କଣ ଶିଖରୀ ଭାବେ ଅଭିହିତ କରାଯାଇଛି । ଜଗନ୍ନାଥ ସଂସ୍କୃତିର ଏହି ପିଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରୁଛି । ସେପଟେ ଏହି କ୍ଷେତ୍ରର ମାହାତ୍ମ୍ୟ ରହିଥିବାରୁ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ଦାବି କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବି ଓ ସାଧାରଣ ଜନତା।

error: Content is protected !!