*ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ,କାରଣ ଅସ୍ପଷ୍ଟ*

ରିପୋର୍ଟ :ଫିଲିପ କୁମାର ଦିଗାଲ

ବାଲିଗୁଡ଼ା: ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ । ସେପଟେ ଛାତ୍ରଙ୍କ ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ଆଶ୍ରମ ବିଦ୍ୟାଳୟରେ । ମୃତକ ଷଷ୍ଠ ଶ୍ରେଣୀ ଛାତ୍ର କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଓରା ଗ୍ରାମ ପଞ୍ଚାୟତର ସଦାନନ୍ଦ ନାୟକଙ୍କ ପୁଅ ସତ୍ୟାନନ୍ଦ ନାୟକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ଖାଇସାରି ହଷ୍ଟେଲରେ ଥିବା ବେଳେ କୌଣସି କାରଣରୁ ତଳେ ପଡ଼ି ଅଚେତ ହୋଇପଡ଼ିଥିଲେ ଛାତ୍ର ସତ୍ୟାନନ୍ଦ । ଘଟଣା ସମ୍ପର୍କରେ ଖବରପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନ ସହଯୋଗୀଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ସମ୍ପୃକ୍ତ ଛାତ୍ରଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ୍ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଆଶ୍ରମରେ ସବୁ ଛାତ୍ରଛାତ୍ରୀ ଥିବା ବେଳେ ଏହି ଛାତ୍ର ଜଣକ କିଭଳି ପଡ଼ିଗଲେ,ବାସ୍ତବିକ ଭାବେ ସେଠାରେ କ’ଣ ଘଟିଥିଲା, ହଷ୍ଟେଲ ଦାୟିତ୍ୱରେ ଥିବା ମେଟ୍ରନ୍ ଓ ସୁପରିଠେଣ୍ଡେଣ୍ଟ କଣ କରୁଥିଲେ ଏ ସମସ୍ତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ବିଭାଗୀୟ ଅଧିକାରୀ ଏବଂ ପୋଲିସ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଛାତ୍ର ମୃତ୍ୟୁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

error: Content is protected !!