(ଆମ ଓଡିଶା ଖବର )
ବଣ ଜଙ୍ଗଲ ଘେରା ପ୍ରକୃତି ପରିବେଷ୍ଟିତ ଏକ ଛୋଟ ଗାଁ ଲଖନପୁର। ପରିବାର ସଂଖ୍ଯା ପାଖାପାଖି ଚାଳିଶି ହେବ। ଗାଁକୁ ଲାଗି ବହିଯାଇଛି ଶୁଳିଆ ଝର। ଶୁଳିଆ ଝରର ପାଣି ଓ ଜଙ୍ଗଲ ଗ୍ରାମବାସୀଙ୍କ ଭାତହାଣ୍ଡି। ସରକାରୀ ପଡିଆ ପଟ୍ଟା ଓ ନିଜର କିଛି ଜମିରେ ଲୋକେ ଗୁଜୁରାଣ ମେଣ୍ଟାନ୍ତି । ଜଙ୍ଗଲଜାତ ଶସ୍ଯ ଓ ଫଳମୂଳରେ ଗ୍ରାମବାସୀଙ୍କ ଭୋକ ଉପଶମ ହୁଏ।
ଶୁଳିଆ ଚିରସ୍ରୋତା ନୁହେଁ। କ୍ରମେ ଶୁଷ୍କ ହୋଇଥାଏ। ଜଙ୍ଗଲ ବି ଖାଁ ଖାଁ ଲାଗେ। ମଣିଷର ସ୍ବାର୍ଥପରତା ବଢିଯାଏ। ଗାଁ ର ବିକାଶରେ ଅନେକ ବାଧକ ମୁଣ୍ଡ ଟୁଙ୍ଗାରିଛି।
ଗାଁ ମୁଣ୍ଡ ଚଉତରା ନିକଟରେ ଗ୍ରାମବାସୀଙ୍କ ଭିଡ। ପାଖକୁ ଲାଗି ମାଆ ପାଟଖଣ୍ଡାଙ୍କ ଆସ୍ଥାନ। ଗଛମୂଳେ ଖୋଲା ଜାଗାରେ ମାଆ ଦୈନିକ ପୂଜା ପାଆନ୍ତି। ଚଉତରା ଉପରେ ବସି ଗାଁ ର ନ୍ଯାୟ ନିଷାପ ହୁଏ। ଗାଁ ର ଭଲମନ୍ଦ, ହାନି ଲାଭ, ପୂଜାପର୍ବ, ଭୋଜିଭାତ ଇତ୍ୟାଦି ବିଧି ବିଧାନ ଅନୁକ୍ରମେ କରାଯାଏ। ବିଚାର ପକ୍ଷପାତ ହୀନ। କାକୁଡ଼ି ଚୋର ଦଣ୍ଡ ପାଏ ଓ କଖାରୁ ଚୋର ବି ଦଣ୍ଡ ଦିଆଯାଏ। ଗ୍ରାମବାସୀ ଥାନା କି କଚେରୀ ଦୁଆର ଦେଖି ନାହାଁନ୍ତି। କୌଣସି ଗୁରତ୍ୱ ଖବର ଥିଲେ ଗାଁ ର ମୁଖିଆ ସ୍ବତନ୍ତ୍ର ସଭା ଡାକନ୍ତି।
ଆଜି ଗାଁ ର ମୁଖିଆ ରଘୁ ବରାଡ଼ ଟମକ ଦିଆଇଛନ୍ତି। ଟମକ ଶୁଣି ଗାଁ ର ବରିଷ୍ଠ/ ଜ୍ଯେଷ୍ଠ ଲୋକ ଚଉତରା ପାଖରେ ରୁଣ୍ଡ। ପରସ୍ପର ମଧ୍ଯରେ କଥାବାର୍ତ୍ତା ହଠାତ୍ ଆଜି କାହିଁକି ମୁଖିଆ ସଭା ଡକାଇଲେ? ବିଭିନ୍ନ ମତବାଦ। ଗାଁ ପ୍ରତି କିଛି ବିପଦ ଅଛି କି? ବୋଧେ ମୁଖିଆ ଗାଁ ର ବିକାଶ ପାଇଁ କିଛି ନିଷ୍ପତ୍ତି ନେବେ? ବିଭିନ୍ନ ଆଲୋଚନାର ଅନ୍ତ ଯାହା ବି ହେଉ ମୁଖିଆ ଗାଁ ର ମଙ୍ଗଳ ପାଇଁ ସେମିତି କିଛି ଭଲ/ ମହତ୍ ଉଦ୍ଦେଶ୍ଯ ନେଇ ସଭା ଡକାଇ ଥିବେ। ପାଠ ସେତେ ପଢ଼ି ନାହାଁନ୍ତି ହେଲେ ମୁଖିଆଙ୍କ ବିଚାର ବୁଦ୍ଧିକୁ ମାନିବାକୁ ପଡ଼ିବ। ଦେଖୁନ ସେଦିନ ଟାଉଟର ଚୁଗୁଲିଆ ଚକରା ଠାରୁ ଗାଁ ଗଣ୍ଡଗୋଳ ଶୁଣି ପୋଲିସ୍ ଦଳ ଗାଁ ଭତରକୁ ପଶିଗଲେ ହେଲେ କ’ଣ ହେଲା? ମୁଖିଆଙ୍କ ଚତୁରତା ଆଗରେ ପୋଲିସ୍ ମାନେ ହାର୍ ମାନିଲେ। ସବୁ ଘର ତାଟି କବାଟ ବନ୍ଦ ଦେଖି ପୋଲିସ୍ ଦଳ ପଛରେ ଲାଙ୍ଗୁଳ ଜାକି? ଗାଁ ର ସମସ୍ଯା ଗାଁ ରେ ହିଁ ସମାଧାନ ହୋଇଥାଏ ତେଣୁ ଲଖନପୁର ଗାଁ ର ବିଧି ପ୍ରଶଂସା ଆଖପାଖ ଗାଁ ନେପାଳ, ପୋଡାପାଇ,ବାଣ୍ଠପୁର, ନାଣ୍ଡିଗିରି, ଶାଳିଆ ଝରି, ଚେମେଡି, ଓସ୍ତିଆ, ଧବଳେଇ, ଗଡ ଗାଁ ଆଦିରେ ଆଲୋଚନା ହୁଏ। ଲଖନପୁର ସେ ଗାଁ ମାନଙ୍କ ପାଇଁ ଦର୍ପଣ।
ହେଲେ ଆଜି ଏ ସଭା ଡାକିବାର ମାର୍ମିକତା କ’ଣ? ଏ ପ୍ରଶ୍ନ ରଘୁ ବରାଡ଼ଙ୍କ କାନରେ ପଡ଼ିଲା।ଅଣପିଠିଆ ଗାଁ ହେଲେ ବି ସଂସ୍କାର ଥିଲା ପରି ଜଣାପଡ଼େ। ବ୍ରହ୍ମନାଦ ଦେଇ ସଭା ଆରମ୍ଭ ହେଲା। ଉପସ୍ଥିତ ଲୋକଙ୍କୁ ମୁଖିଆଙ୍କ ପ୍ରଶ୍ନ। ଗାଁ ଭେଣ୍ଡିଆ ଶୂନ୍ଯ ଲାଗୁଛି। ତୁମ ଭେଣ୍ଡିଆ ପୁଅ ମାନେ କେତେ ପାଠ ପଢ଼ିଛନ୍ତି ଓ ସେମାନେ ସବୁ ଏବେ କେଉଁଠି? ରୋଜଗାରକ୍ଷମ କି ବେକାର? ମୁଖିଆଙ୍କ ପ୍ରଶ୍ନ ଶୁଣି ସଂପର୍କିତ ଗ୍ରାମବାସୀ ପରସ୍ପର ମୁହଁ ଚାହାଁଚାହିଁ। କିଏ ଜଣେ କହି ଉଠିଲା ଆରେ ଇଏ କି ପ୍ରଶ୍ନ? ମୁଖିଆ ଉତ୍ତର ଆଶା କରିବା ପୂର୍ବରୁ ଦଶ/ ବାର ଜଣ ଏକ ସ୍ବରରେ ଆମ ପୁଅମାନେ ବାହାରକୁ ଟଙ୍କା ରୋଜଗାର କରିବାକୁ ଯାଇଛନ୍ତି।
ମୁଖିଆଙ୍କ ପ୍ରଶ୍ନ ବାହାରକୁ ମାନେ ଗାଁ, ପଞ୍ଚାୟତ, ଜିଲ୍ଲା, ରାଜ୍ୟ, ଦେଶ ବାହାରକୁ? କାହାର ଭରସା? କେଉଁ ଠିକାଦାର ତୁମ ପିଲାମାନଙ୍କ ଦାୟିତ୍ୱ ନେଇଛି? ପିଲାଙ୍କ ରୋଜଗାର କେତେ ପେଡିରେ ସାଇତିଛ?ସେମାନେ ସୁରକ୍ଷିତ ଅଛନ୍ତି କି ବିପଦରେ ଅଛନ୍ତି କେବେ ଭାବିଛ? କିଏ କ’ଣ ଫୁସୁଲେଇ ଦେଇ ଉସୁକେଇ ଦେଲା ଯେ ଟଙ୍କା ଲୋଭରେ ପିଲାମାନଙ୍କୁ କଂସେଇ ହାତରେ ଟେକିଦେଇ ପଖାଳ ବେଲେ ଖାଇ ଅଚିନ୍ତାରେ ଘୁଙ୍ଗୁଡି ମାରୁଛ। ଭ୍ରଷ୍ଟ ଠିକାଦାର କଅଁଳ କଥାରେ ପିଲାମାନଙ୍କ ଜୀବନ ସହିତ ଖେଳ ଖେଳିଛ।
ଏକ ବିକଳ ସ୍ବର ହେ! ଭଗବାନ୍ କ’ଣ କରିବୁ? ମନରେ ବିଭିନ୍ନ ପାପ ଚିନ୍ତା।
ଗଭୀର ସ୍ରୋତରେ କୁଟାଖିଅ ସାହା ପରି ଭୟାର୍ତ୍ତ ମନକୁ ମୁଖିଆଙ୍କ ଶାନ୍ତ୍ବନା। ବ୍ଯସ୍ତ ହୁଅନି। ଜନୈକ ସମାଜ ସେବକଙ୍କ ପ୍ରଚେଷ୍ଟାରେ କୌଣସି ମତେ ସମସ୍ତଙ୍କ ଠିକଣା ପ୍ରଶାସନକୁ ଜଣାଇ ସେମାନେ ଗାଁକୁ ଫେରିବା ବ୍ଯବସ୍ଥା କରାଯାଇଛି ଯାହା ତୁମମାନଙ୍କୁ ଚକିତ କରିବାପାଇଁ ଜଣାଯାଇନି।
ସେମାନେ ଆଉ ଘଣ୍ଟାଏ ପରେ ଗାଁରେ ପହଞ୍ଚିବେ। ସେମାନଙ୍କୁ ଆଦରି ସ୍ବାଗତ କରିବା ପାଇଁ ତୁମକୁ ଡକାଇଛି।ଲୋକଙ୍କ ଅନେକ ସନ୍ଦେହ ମିଳେଇ ଗଲା। ହେ! ଭଗବାନ, ମାଆ ପାଟଖଣ୍ଡା ତୁମେ ସାହା ଭରସା। ମୁଖିଆଙ୍କ ପଦକ୍ଷେପକୁ ପ୍ରଶଂସା କରୁଥିବା ସମୟରେ ଏକ ଗାଡ଼ି ଆସି ପହଞ୍ଚିଲା। ଗାଡିରୁ ଦଶଜଣ ଭେଣ୍ଡିଆ ନିଜର ଆସବାବ ପତ୍ର ଧରି ଓହ୍ଲାଇ ନିଜର ପିତା/ ଗୁରୁଜନ/ମୁଖିଆଙ୍କ ପାଦ ଛୁଇଁ ପ୍ରଣାମ କଲେ। ମୁଖିଆ ପିତା ପୁତ୍ରଙ୍କ ଭାବ ବିହ୍ବଳ ତାହା ଲକ୍ଷ୍ଯ କରୁଥିଲେ। ଏକ ଖୁସି ଶାନ୍ତିର ବାତାବରଣ। ଗାଁ ଭେଣ୍ଡା ଶୂନ୍ଯ ହୋଇଥିବାରୁ ମୁଖିଆଙ୍କ ଭବିଷ୍ଯତ ଚିନ୍ତା ବଢି ଯାଇଥିଲା। ସେ ଟିକେ ଆଗକୁ ଅଧିକ ଅନେଇ ଥିଲେ।
ଆଗ୍ରହ, ଆଦର, ଭଲପାଇବା, ଆପଣା ପଣ ଅନେକ ସଂପର୍କର ମୂଳଦୁଆ। ଦିନେ ମୁଖିଆଙ୍କ ସ୍ନେହ ଅନାବିଳ ପ୍ରେମକୁ ଜାବୁଡ଼ି ଯୁବକ ମାନେ ତାଙ୍କ ପିଣ୍ଢାରେ ବସି କହି ଚାଲିଥାନ୍ତି ବାହାର ଜାଗାର କଷ୍ଟ/ ବିପଦ/ ନିର୍ଯାତନା ସାଂଗକୁ ସ୍ବଳ୍ପ ପାରିଶ୍ରମିକ ଓ ଅଧା ପେଟ ଖାଦ୍ୟ।
ସେମାନଙ୍କ ଅନୁଭବ ଉପଲବ୍ଧି ମୁଖିଆଙ୍କ ବଳିଷ୍ଠ ପରାମର୍ଶ। ତୁମେ ମାନେ ଗାଁର ସମ୍ବଳ। ତୁମେମାନେ ପାଦ କାଢ଼ିଲେ ଗାଁର ସବୁପ୍ରକାର ଉନ୍ନତି ସମ୍ଭବ। ଦେଖ। ଚିନ୍ତା କର। ଗାଁକୁ ସମତଳ ଭଲ ରାସ୍ତା ନାହିଁ। ବିଜୁଳି ଆଲୁଅ କଥା ଆମେ କେବଳ ଶୁଣୁଛେ। ପିଇବା ପାଣିର ସୁବିଧା ନାହିଁ ବୋଲି ସମସ୍ତେ ଝର ପାଣି ପିଇ ଲୋକେ ଜର, ଝାଡାର ଶିକାର ହେଉଛନ୍ତି। ସାଂଘାତିକ ରୋଗ ବ୍ଯାଧି ହେଲେ ଦଶ କିଲୋମିଟର ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି। ଅନ୍ତସତ୍ତ୍ୱା ନାରୀ ପ୍ରସବ ବେଦନା ସହି ନପାରି ବାଟ ଘାଟରେ ଛୁଆ ଜନ୍ମ କରେ ଅବା କେତେକଙ୍କ ପ୍ରାଣବାଯୁ ମହାଶୂନ୍ୟରେ ମିଳେଇ ଯାଏ। ତୁମ କଥା ଭାବ ଗାଁରେ ବିଦ୍ଯାଳୟ ନାହିଁ ବୋଲି ତୁମମନବଳରେ ପାଞ୍ଚ କିଲୋମିଟର ବାଟ ଚାଲିଚାଲି ଯାଇ ପାଠ ପଢ଼ିଛ। ଯେତେ ସରକାରୀ ପ୍ରୋତ୍ସାହନ ଆମପାଇଁ ବାଟମାରଣ।
ବୟସ ସାଥୀ ଦେଉନି। କାଲିକି ମୁଁ ଥିବି କି ନଥିବି। ତୁମେମାନେ ଗାଁର ଭବିଷ୍ଯତ। ମୁଖିଆଙ୍କ ଅନ୍ତରର ଅସଲ କଥା ସମସ୍ତେ ବୁଝିପାରିଲେ। ଗାଁ ଲୋକଙ୍କ ଆଗ୍ରହ ଓ ମନୋବଳ ଯୋଗୁଁ ଲଖନପୁର ଗାଁର ନକ୍ସା ବଦଳି ଗଲା। ସେ ଗାଁ କୁ ପିଚୁରାସ୍ତା, ଘରେଘରେ ବିଜୁଳି ଆଲୁଅ। ଯିବା ଆସିବା ରାସ୍ତା ଏପରିକି ସାହି ଦାଣ୍ଡରେ ଟଙ୍କା ଟିଏ ପଡିଥିଲେ ଦିଶିବ। ଗାଁ ଦି ମୁଣ୍ତରେ ଦିଟା ଏ ସାହି ମଝିରେ ଦି ଟା ନଳକୂଅ। ପାଇପ୍ ପାଣି ପାଇଁ ବ୍ଯବସ୍ଥା ଚାଲିଛି। ରୋଗୀଙ୍କ ଖବର ପାଇ ଆମ୍ବୁଲାନ୍ସ ଗାଡି ପହଞ୍ଚି ଯାଉଛି। ଗମନାଗମନର ଅତି ସୁବିଧା। ଗାଁ ଲୋକଙ୍କ ସହାୟତା ରେ ଗଢ଼ି ଉଠି ଥିବା ବିଦ୍ଯାଳୟଟି ଏବେ ସରକାରୀ ପ୍ରୋତ୍ସାହନ ଓ ଅନୁଦାନ ପାଇ ରଘୁନାଥ ବିଦ୍ଯାପୀଠ ନାମରେ ନାମିତ। ଗାଁର ସେହି ଶିକ୍ଷିତ ଯୁବ ଗୋଷ୍ଠୀ ସେହି ବିଦ୍ଯାଳୟ ରେ ଶିକ୍ଷକତା କରୁଛନ୍ତି।
ଶିକ୍ଷଣକାର୍ଯ୍ୟ ସମୟରେ କାର୍ଯ୍ଯରତ ଶିକ୍ଷକଗଣ ସେମାନଙ୍କ ବାହାର ଦୂର ଜାଗାରେ କାମ କରିବା କଷ୍ଟ/ ବିଫଳତା କାହାଣୀ ଆକାରରେ ଶୁଣାଇ ପରାମର୍ଶ ଦେଇ କୁହନ୍ତି ଅର୍ଥ ଲୋଭୀ ଲୋକ ବା ଅନୁଷ୍ଠାନର ପ୍ରଲୋଭନରେ ନପଡି ସ୍ବାବଲମ୍ବୀ, ସ୍ବାଭିମାନୀ ଓ ସ୍ବମାନ ସମ୍ମାନରେ ବଞ୍ଚିବା ମଣିଷ ର ମହାନ୍ ଧର୍ମ। ବଡ ହେବା ବଦଳରେ ଭଲ ହେବା।
କ୍ରମେ ଶିକ୍ଷିତ ଯୁବ ଶିକ୍ଷକଗଣ ଆଉ ଚାରି ପାଦ ଆଗକୁ ବଢି ମାଆ ପାଟଖଣ୍ଡାଙ୍କ ମନ୍ଦିରକୁ ନୂଆ ରୂପ ଦେଲେ। ଗାଁ ଲୋକେ ସେଠାରେ ଗୀତା, ଭାଗବତ ପାଠକରି ଓ ଶୁଣି ଦିନର ବାଧାକୁ ହାଲୁକା କରନ୍ତି। ଭାରତୀୟ ସଂସ୍କୃତି, ଧର୍ମ, ପରମ୍ପରା, ରୀତିନୀତି ମାନି ଚଳନ୍ତି। ବେଦ, ଉପନିଷେଦ ଶୁଣି ପାବନ ଓ ସଂସ୍କାରୀତ ହେବାପାଇଁ ବାହାରୁ ଗୁଣି, ପଣ୍ଡିତ ପ୍ରବଚକ ମାନଙ୍କୁ ଡକାଇ ପ୍ରବଚନ ଶୁଣି ତନୁ ମନକୁ ଶୁଦ୍ଧ କରିବା ପାଇଁ ଚେ଼ଷ୍ଟା କରନ୍ତି। ଏକ ବଡ ପଦକ୍ଷେପ ଗାଁ ନିକଟରେ ହୋଇଥିବା ବେଆଇନ୍ ଦେଶୀ ମଦ ଭାଟି ବନ୍ଦ ପାଇଁ ଆନ୍ଦୋଳନ ତେଜିଲା ଯଦ୍ବାରା ନିଶୁଆ ପହିଲିମ୍ଯାନ୍ ଦଳ ଭାଟି ଛାଡି ଧାଇଁଲେ।
ହଠାତ୍ ଗାଁ ରେ ହୋ ହାଲ୍ଲା। ଗାଁ ମୁଖିଆ ରଘୁବରାଡ ଆଉ ନାହାଁନ୍ତି। ଭଗବାନ ତାଙ୍କୁ କୋଳାଶ୍ରିତ କରିନେଲେ। ସତେ ଯେପରି ସଂପୂର୍ଣ୍ଣ ଗାଁ ପରିବେଶ ସ୍ତବ୍ଧ। ସମସ୍ତଙ୍କ ମନରୁ ହସଖୁସି ଲିଭି ଯାଇଛି। ତାଙ୍କ ଅବର୍ତ୍ତମାନରେ ଗଛର ପତ୍ର ବି ହଲିବାକୁ ମନା କରୁଛି। ଏକ ଖାଁ ଖାଁ ପରିବେଶ। ଲୋକେ ମାଛୁଆଣି। ପବନ ଖବର ବୋହିନେଲା।ଆଖପାଖ ଗାଁ ର ଲୋକେ ଜମା ହୋଇଗଲେ। ତାଙ୍କ ବଳିଷ୍ଠ ପରାମର୍ଶ, ତ୍ଯାଗ, ସେବା ସଂସ୍କାର ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇ ଶ୍ରଦ୍ଧାଞ୍ଜଳି ଜଣାଇଲା।
ଗାଁ ମର୍ଯ୍ଯାଦାରେ ଶବ ସଂସ୍କାର ସମାପନ। ଗାଁ ଲୋକେ ମିଶି ତାଙ୍କ ସ୍ମାରକୀ ପାଇଁ ବିଦ୍ଯାଳୟ ହତା ଭିତରେ ପ୍ରତିମୂର୍ତ୍ତି ତିଆରି କଲେ। କର୍ନରତ ଗାଁର ଯୁବକ ଶିକ୍ଷକଗଣ ପ୍ରତିଦିନ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଆଭୂମି ପ୍ରଣାମ ଜଣାଇ କୁହନ୍ତି ଆପଣ ଆମକୁ ଦାଦନରୁ ଫେରେଇ ମଣିଷ ପରି ମଣିଷ ହେବକୁ ଯେଉଁ ତ୍ଯାଗ ସ୍ବୀକାର କଲେ ତଥା ଗାଁର ବିକାଶ ପାଇଁ ଆମ ଜୀବନ, ଭାଗ୍ୟ ଜାତକ ଲେଖି ଦାଦନ ଦୁଃଖରୁ ତ୍ରାହି କରିଛନ୍ତି। ଆପଣ ଆମ ସମସ୍ତଙ୍କ ଚିରନମସ୍ଯ।
(ଲେଖକ):-ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।