ପ୍ରତୀକ୍ଷାଳୟ

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ) ପ୍ରତୀକ୍ଷାଳୟକୁ ଲାଗି ନିର୍ମାଣ କରାଯାଇଥିବା ଦର୍ଶକ ଫଳକ ସ୍ତମ୍ଭରେ ବଡ ବଡ ଅକ୍ଷରରେ ଲେଖା ଯାଇଛି ରାଜ୍ୟସଭା ସାଂସଦଙ୍କ ଅନୁଦାନ ଦ୍ବାରା ନିର୍ମିତ ପ୍ରତୀକ୍ଷାଳୟଟି ସ୍ଥାନୀୟ ବିଧାୟକଙ୍କ କର କମଳରେ ଉଦ୍ ଘାଟିତ ।ପ୍ରତୀକ୍ଷାଳୟର ନିର୍ମାଣ ଖର୍ଚ୍ଚ ଅଟକଳ ଲେଖାଯାଇଥିବା ପାଞ୍ଚ ଲକ୍ଷ ଟଙ୍କାରୁ ଅନୁମିତ ହୁଏ ବୋଧେ ଛ ମାସ କି ବର୍ଷେ ହେବ ପ୍ରତୀକ୍ଷାଳୟ ଟି ତିଆରି ହୋଇଛି ।
ପାନ ଛେପ ପଡି ଫଳକ ସ୍ତମ୍ଭଟି ନିଜର ପତିଆରା ଜାହିର କରି ପାରୁନି ସିନା ହେଲେ ପ୍ରତୀକ୍ଷାଳୟ ଅପେକ୍ଷା ଭାରି ଦାମ୍ଭିକତା ତା’ର । ପ୍ରତୀକ୍ଷାଳୟଟିର ନିର୍ମାଣ ଉପାଦାନ ସବୁ ନିଜର ଦୁର୍ବଳତା ପ୍ରକାଶ କଲାପରି ଲାଗେ । ଚଟାଣଟି ଠାଏ ଠାଏ ଫାଟି ଖାଲ ହୋଇଯାଇଛି ।ବସିବା ବେଞ୍ଚର ଅବସ୍ଥା ବର୍ଣ୍ଣନା କରିବା ଲେଖନୀର ଅବମାନନା । ବୋଧେ ଭାଗମାପ ନକରି ଉପାଦାନ ସବୁ ବ୍ଯବହାର କରାଯାଇଥିଲା?
ଦୈନିକ ସକାଳୁ ସକାଳୁ ପ୍ରଭାତ ବିହଙ୍ଗ ନିଦରୁ ଉଠାଇଲାପରି ପୌରପରିଷଦ ଗାଡିର ଡାକବାଜି ଯନ୍ତ୍ର କୁହାଟେ ।ଘରର ଅସନା/ ମଇଳା ଇତ୍ୟାଦି ଇଆଡେ ସିଆଡେ ନପକାଇ ଭ୍ରାମ୍ଯମାଣ ଗାଡିରେ ପକାନ୍ତୁ ନଚେତ୍ ଛକ ଜାଗା ମାନଙ୍କରେ ଥିବା ଉଦିଷ୍ଟ ଡବାରେ ପକାନ୍ତୁ ଯଦ୍ବାରା ଆମ ସହର ସ୍ବଚ୍ଛ ଓ ସୁନ୍ଦର ଦିଶିବ ତଥା ଏକ ଜୀବାଣୁ ମୁକ୍ତ ପରିବେଶ ସୃଷ୍ଟି ହୋଇ ପାରିବ ।ଆମେ ସମସ୍ତେ ନିରୋଗ ରହିବା ।
ହେଲେ ମାନୁଛି କିଏ? ଆଜି ବି ସହରର ଛକ ଓ ରାସ୍ତା କଡରେ କୁଢକୁଢ ଅଳିଆ ଆବର୍ଜନା ଇତଃସ୍ତତଃ ହୋଇ ପଡିଛି ଓ ପଡୁଛି ଧାରାବାହିକ ପ୍ରକ୍ରିୟାରେ ।ଘୁଷୁରି, ବୁଲାକୁକୁର, ଗାଈ ମଇଁଷି ନିଜର ଖାଦ୍ୟ ଅନ୍ଯେଷଣ କରିବାରେ ବ୍ଯସ୍ତ ।ସିଆଡେ କାହାର ନିଘା ନାହିଁ । ରାଜ୍ୟ ଠାରୁ ଜିଲ୍ଲା ପ୍ରଶାସନ ନଥି କିନ୍ତୁ ସଫେଦ କାଗଜ ମାଳରେ ପୂର୍ଣ୍ଣ । ସାଧାରଣ ଲୋକ ବି ଚୁପ୍ ।
ଆଜି ସେଇଠି ଶୌଚାଳୟ ଉଦ୍ ଘାଟନ । କାଲି ପାଚେରୀ, ଠିପି ବନ୍ଦ ମଦଦୋକାନ ନାଲି ଫିତା କାଟିବାକୁ ଚେଲା ମାନଙ୍କ ଗହଳରେ ତତ୍ପର ।ପେଁ ପାଁ ଗାଡି ଶବ୍ଦ ।ରାଜରାସ୍ତା ଖାଲି କରିବା ପାଇଁ ଆରକ୍ଷୀ ବାହିନୀ ଭାଟ ସାଜିବାକୁ ବାଧ୍ୟ । ବିଜ୍ଞାପନ ଜାରି ପରେ ଧଳା ଘୋଡା ଦୌଡର ଆତୁରତା । ରାଜରାସ୍ତା ପାର୍ଶ୍ଵରେ ପ୍ରତୀକ୍ଷାଳୟର ପ୍ରତୀକ୍ଷା ।
ବିଶ୍ରାମ ନେବା ତଥା ପ୍ରତୀକ୍ଷା କରିବା ପାଇଁ ପ୍ରକୃଷ୍ଟ ସ୍ଥାନ ଭାବି ଯାତ୍ରୀ ଟିଏ ଆଶାକଲା ବେଳେ ବୁଲାକୁକୁର ଆଉ ଷଣ୍ଢ ମାନଙ୍କ ଆଧିପତ୍ଯ ସେଇଠି ଅଧିକ ।ହଁ ତାହା ବି ହେବା କଥା ।ସେମାନଙ୍କର ବି ତ ସ୍ବତନ୍ତ୍ରତା ଅଛି ।ଅବ୍ଯବସ୍ଥିତ ପ୍ରତୀକ୍ଷାଳୟ ରେ ଯଦି ଖାଲି ମଦବୋତଲ, ପାନ / ପୁଡିଆ ଛେପ ପ୍ରଜ୍ଞାଶୀଳ ମାନେ ଅହମିକାର ପରିଚୟ ଦିଅନ୍ତି ତେବେ ପଶୁଜନ୍ତୁ ସେମାନଙ୍କ ମଳତ୍ଯାଗ କରିବାରେ ବାଧାଦେଲେ ସେମାନେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ ।
ହଠାତ୍ ଦଲକାଏ ପବନ ।ସତେ ଯେପରି କାନ୍ଥଟା ତଳେ ପଡି ତା’ ଅସ୍ତିତ୍ବ ହରାଇ ଦେବ ।ଅପମିଶ୍ରଣର ଗନ୍ଧ ସଂପୂର୍ଣ୍ଣ ବାରିହୋଇଯାଉ ଥିଲା ।ସ୍ବାର୍ଥପରତା ଓ କଞ୍ଜୁସତା ଜାତୀୟତାଭାବ ପ୍ରତି କୁଠାରଘାତ ।ନିର୍ମାଣ ଉପାଦାନର ଯଦି କଥା କହିବା ଶକ୍ତି ଥାଆନ୍ତା ସେମାନେ ବି ପ୍ରତିବାଦ କରିଥାଆନ୍ତେ ।ଲାଭଟାଣି ନେଇ ଚାଲିଗଲା ପରେ ଅନାଦରର ସ୍ବର ଆଜି ଏଠି ପ୍ରତିଧ୍ବନିତ ହୁଏ ।
ଦୂର ଯାଗାକୁ ଗାଡି ମଟରରେ ଯିବା ପାଇଁ ଅବା ପ୍ରିୟଜନଙ୍କୁ ଅପେକ୍ଷା କରି ରହିବାର ଆଶ୍ରୟସ୍ଥଳ ଟିଏ । ଯାତ୍ରୀ ବି ନିଜର ସଂକୋଚତା ପ୍ରକାଶ କରେ ।କାଁ ଭାଁ କିଏ କେମିତି ଜଣେ ଅଧେ ପ୍ରତୀକ୍ଷା କରିବା ଜଣାଯାଏ ।ଗାନ୍ଧିଜୀଙ୍କ ସ୍ବପ୍ନ ପାଇଁ ସେଠାକୁ ରାତି ଆସେନା । ଖଜୁରୀ ଗଛର ଗୁଣ ଗାଇବା ଏକ ବେସୁରା ଇଙ୍ଗିତ । ସେଇଠି ଦୁର୍ବାସ ନିଜର ସାଥୀ ମାନଙ୍କୁ ଧରି ଏମିତି ଆଖଡା ଜମେଇଛି ଯେ ସେଇ ସ୍ଥାନ ରେ ଅକସ୍ମାତ୍ ପହଞ୍ଚି ଗଲେ ଯଦି ମୁଖା ନାକରୂ ଖସିପଡେ ତେବେ ବାନ୍ତି ସୁନିଶ୍ଚିତ ।
ତଥାପି ସେ ପ୍ରତୀକ୍ଷାଳୟ ଭିତରକୁ କେତେବେଳେ କେମିତି ନିଜର ଅନୁଭବ ଖୋଜିବା ପାଇଁ କି ସମୟ ସାଥେ ବାର୍ତ୍ତାଳପ କରିବାପାଇଁ ନିଜର ପରିଣତ ବୟସରେ ପ୍ରତିକ୍ରିୟା ଦାଶ ବାବୁ ତା’ ଭିତରେ ଚୁପ୍ ଚାପ୍ ବସି ଭାବନାର ଦିଗ୍ ବଳୟକୁ ଛୁଇଁବା ପରି ଜଣା ପଡନ୍ତି ।

ପରିବେଶ ଯଦିଓ ସ୍ବାସ୍ଥ୍ୟ ପକ୍ଷେ ଅହିତକର ତଥାପି ପ୍ରତୀକ୍ଷାଳୟ ପାଖରେ ଚାରି/ ପାଞ୍ଚଟା ଉଠାଦୋକାନ । ଚା,ପାନଦୋକାନ, ଜଳଖିଆ, ଫଳ ଇତ୍ୟାଦି ।ରାତି ପାହିଲେ ପୃଥିବୀଟା ଚଳ ଚଞ୍ଚଳ ଜଣାପଡେ ।ବ୍ଯସ୍ତତା ଭିତରେ ଜୀବନ ଖୋଜିବାକୁ ମଣିଷ ଆଉଟୁ ପାଉଟୁ ହୁଏ ।ରାସ୍ତାରେ ଯାଉ ଯାଉ ମନ, ଆଖି, ଜିଭର ଅସହ୍ୟ ଆକ୍ରମଣ ।ସ୍ବାଭାବିକ ଢଙ୍ଗରେ ପାଦ ଅଟକି ଯାଏ ।
ପ୍ରତୀକ୍ଷାଳୟ ଭିତରେ ନିରବରେ କିଛି ସମୟ ବସି ନିଜ ଚିନ୍ତାର ଅନୁଶୀଳନ କରିଚାଲିଛନ୍ତି

ସକାଳୁ ସକାଳୁ ଚା ପିଇବା ଅଭ୍ୟାସକୁ ତୁଟାଇ ଆଶ୍ବାସନା ରାୟ ବାବୁ ପ୍ରତୀକ୍ଷାଳୟ ଠାରୁ କିଛି ଦୂରରେ ଲଘୁସଂଖ୍ଯା ପରେ ହଠାତ୍ ତାଙ୍କର ନଜର ପଡିଲି କେହିଜଣେ ସେ ଅସୁରକ୍ଷିତ ପ୍ରତୀକ୍ଷାଳୟ ଭିତରେ ବସିଛନ୍ତି ।ମୁହଁଟି ଅଳ୍ପ ଅଳ୍ପ ଚିହ୍ନା ଚିହ୍ନା ଲାଗୁଛି । ମନରେ ଅନେକ ଆବେଗ ଓ ଉତ୍କଣ୍ଠା ନେଇ ଆଶ୍ବାସନା ବାବୁ ପ୍ରତୀକ୍ଷାଳୟ ଭିତରକୁ ଯାଇ ଉପରପଡା ଢଙ୍ଗରେ ପଚାରିଲେ ଆପଣଙ୍କୁ ମୁଁ କେଉଁଠି ଦେଖିଲା ପରି ଲାଗୁଛି ।ଦହି ମୋହିଁବାରୁ ଯେପରି ଲହୁଣୀ ବାହାରେ ସେପରି ଦୁହିଁଙ୍କ ବାର୍ତ୍ତାଳପ ମଧ୍ୟରୁ ଉଭୟେ ବାଲ୍ଯବନ୍ଧୁ ପରିସ୍ଥିତି ଜଣାଇଲା ।
ପ୍ରାଥମିକ ଶିକ୍ଷା ପରେ ଉଭୟେ ପରସ୍ପର ଠାରୁ ଦୂରେଇ ରହିବା ।ଉଚ୍ଚ ଶିକ୍ଷା, ଚାକିରି, ବୈବାହିକ ଜୀବନ, ପରିବାରର ଦାୟିତ୍ବ, ସ୍ତ୍ରୀ, ପିଲାଙ୍କ ଜଞ୍ଜାଳ ।ହସ ଖୁସିର ଏକ ଅମୃତ ବେଳା । ଆନନ୍ଦରେ କୋଳାକୋଳି ହୋଇ ଆଖି ପୋଛିବାକୁ ଯେତେ ଚେଷ୍ଟା କଲେ ବି ବିତିଯାଇଥିବା ମଧୁମୁହୂର୍ତ୍ତ ଏ ପ୍ରତୀକ୍ଷାଳୟ ହିଁ ଦେଖୁଥିଲା ସତେ ଯେମିତି ସେ କହୁଥିଲା ସାଂସଦ ଓ ବିଧାୟକଙ୍କ ବଡିମାର ଅନ୍ତ ଘଟିଛି ।ଦ୍ବାପରର ଏକ ମହାମିଳନର ଦୃଷ୍ଟାନ୍ତ ସତେ ।
ଆଲୋଚନା କ୍ରମେ ଉପସଂହାର ଆଡକୁ ଗତି କରୁଥାଏ ।ପିଲମାନେ ଯୁଆଡେ—–। ଆଉ ବା ଉପାୟ କ’ଣ? ପୁଅ/ ବୋହୁ, ନାତି ନାତୁଣୀ ଙ୍କ ସ୍ନେହ ଆପଣାର ଭାବ ଭିତରେ ବନ୍ଧା ଏକ ପ୍ରକାର । ଝିଅ ଜ୍ବାଇଁ ଙ୍କ ଜଞାଳ ଭିତରେ ସେମାନେ ବ୍ଯସ୍ତ । ସମସ୍ତଙ୍କ ଆଦର ପାଇ ଜୀବନ ରଥକୁ ଗଡେଇ ଚାଲିଛି ।ଏକ ତୁଳନାତ୍ମକ ଅନୁଚ୍ଛେଦ ପଢୁ ପଢୁ ବେଳେ ବେଳେ ମନ କାହିଁକି ଗାଁ ଆଡେ ଧାଏଁ । ସାଙ୍ଗ ହୋଇ ଚା ପିଇବାରେ ଏକ ନିଆରା ଆନନ୍ଦ ଥାଏ ।ଦୁହେଁ ଚା ପିଇବା ଅଭିପ୍ରାୟ ନେଇ ପ୍ରତୀକ୍ଷାଳୟ ଛାଡି ଦୋକାନ ମୁହାଁ ହୋଇ ଅଳ୍ପ ଦୂରରେ ଅଟକି ଯାଇ ପୁଣି ଗପସପରେ ମଜ୍ଜିଗଲେ ।ଅନେକ ଦିନର ଇତିହାସ ପୃଷ୍ଠା ଖେଳେଇ ଚାଲିଥାନ୍ତି ଦୁହେଁ ।ପ୍ରତିକ୍ରିୟା ତୁ ଛୋଟବେଳେ ଯାହାଥିଲୁ କିଛି ବଦଳିନାହୁଁ।କଥାରେ କାମରେ ହଠାତ୍ ପ୍ରତିକ୍ରିୟା ।

ଆରେ ହେବିନି କିପରି କହୁନୁ?
ଏଇ ଦେଖୁନୁ ।ସେ ଠେଲା ଚା ଦୋକାନର ପାଖରେ କାଗଜ/ ପ୍ଲାଷ୍ଟିକ୍ କପ୍ ପକାଇବା ପାଇଁ ନିର୍ଦ୍ଦିଷ୍ଟ ଡବାଟିଏ ଥିବାବେଳେ କିପରି ଚା ପିଇ ଦେଇ କପ୍ ସବୁ ରାଜରାସ୍ତାକୁ ପକେଇ ଦେଇ ପରସ୍ପର ମଧ୍ୟରେ ଭାଷୁକୁଟି ଗପରେ ମଜ୍ଜି ଯାଇଛନ୍ତି ।
ପଇଡ ଦୋକାନୀଟି ବ୍ଯବହାର ହୋଇ
ସାରାଥିବା ପଇଡକୁ ରାସ୍ତକୁ ଗଡେଇ ଦେଇ ଗରାଖ ମାନଙ୍କ ସହିତ କଥାବାର୍ତ୍ତା କରି ପେଡିଖୋଲି ମୁରୁକି ହସ ହସୁଛି ।ଫଳ ଦୋକାନ ଆଡକୁ ଭଲକରି ନଜର ପକା ।ଦି ଜଣ ଲଫଙ୍ଗା ଟୋକା କିପରି ପାଚିଲା କଦଳୀ ଖାଇ ତା ଚୋପା ରାସ୍ତା ଉପରକୁ ଫୋପାଡି ଚାଲଗଲେ ।ଦେଖ୍ ଦେଖ୍ ତିନିଜଣ ଯୁବକ ବେଢଙ୍ଗ ପୋଷାକ ରେ ଗଞ୍ଜା କୁକୁଡା ପରି କେଶ ବିନ୍ଯାଶ କରି ଟ୍ରାଫିକ୍ ନିୟମକୁ ନମାନି ବେଖାତିର ଭାବରେ ବିନା ଶିରସ୍ତ୍ରାଣରେ ମୋଟର ସାଇକେଲରେ ଦ୍ରୁତ ଗତିରେ ଚାଲିଗଲେ ।ଅଧାପୋଡା ସିଗାରେଟ୍ ଖଣ୍ଡ, ବର୍ଜ୍ଯ ପାନୀୟ ଖାଲି ପ୍ଲାଷ୍ଟିକ୍ ବୋତଲରୁ ବଳକା ରଙ୍ଗ ପାଣି ଓ ପାନ ପୁଡିଆ ଛେପ ପଡି ପିଚୁ ରଙ୍ଗ ବଦଳିଯାଉଛି ।
ଆଉ ଟିକେ ଆଗକୁ ଅନା ।ଶିକ୍ଷିତ ପରି ଜଣା ପଡୁଛନ୍ତି ।ନିଜ ପୋଷା କୁକୁର ର କାନ୍ଧ ଫିତାକୁ ଟାଣି ଚାରି ଆଡକୁ ଚାହୁଁଛନ୍ତି ।କାଳେ କୁକୁରଟି ରାସ୍ତା ଉପରେ ମଇଳା ତ୍ଯାଗ କରିବା କିଏ ଦେଖିନେବ? କୁକୁର ଶାଳର ପରିଚ୍ଛନ୍ନତା ପାଇଁ ଚେଷ୍ଟିତ ବାହାର ପରିବେଶକୁ କଳୁଷିତ ପାଇଁ ଅବିବେକତାର ପରିଚୟ ଦେଉଛନ୍ତି ।ଦେଖୁନୁ କୁକୁରଟା ମାଲିକ ହାତକୁ ଟାଣି ରାସ୍ତା ଉପରେ ଥିବା ମଟର ସାଇକେଲ ଉପରକୁ ତା’ ଢଙ୍ଗରେ ପଛପାର୍ଶ୍ବ ଡାହାଣ ଗୋଡକୁ ଟେକି——। ଦାନ୍ତିକବାଟର ସେବା ଆଗରେ ବୃଦ୍ଧ ପିତାମାତା ଙ୍କ ସେବା ନଗଣ୍ୟ ହୋଇ ପଡେ ।
ଦୁର୍ଭାଗ୍ୟ ।ଆଜି ଗୋରୁ ଗୁହାଳ ବଦଳରେ ଅନ୍ଯ ଗୁହାଳ ସବୁ ନେତା ମନ୍ତ୍ରୀ ଙ୍କ ଦ୍ବାରା ଉଦ୍ଘାଟନ କରାଯାଉଛି ।ଶେଷରେ ଯେଉଁଠି ତାହା ଏଇ ପ୍ରତୀକ୍ଷାଳୟ ପରି କୁକୁର ଶାଳରେ ରୂପାନ୍ତରିତ ହେଉଛି। ହେବା ବି ଉଚିତ କାରଣ ମଣିଷ ଅପେକ୍ଷା ଅଧିକ ବିଶ୍ବାସି।।
ଏଇ ଦେଖୁନୁ ମେଞ୍ଚେ ପଲିଥିନ୍ କୁଆଡୁ ଆସି ରାସ୍ତା ଉପରେ ପଡିଲାଣି ।
ଆଛା ପ୍ରତିକ୍ରିୟା ତୁ କାହିଁକି ଏଥିପାଇଁ ପ୍ରତିକ୍ରୀୟା ଶୀଳ ହୋଇପଡୁଛୁ? ଆରେ ଏ ତ ନିତି ଦିନିଆ ଘଟଣା ।ରକ୍ତଚାପ ଓ ମଧୁମେହ ରୋଗଧରି ଏ ଅସ୍ବାସ୍ଥ୍ଯକର ପ୍ରତୀକ୍ଷାଳୟ ଭିତରେ ବସି ସଂସ୍କାର / ରାମରାଜ୍ଯକୁ ଆହ୍ବାନ କରୁଛୁ ?
ସେଇୟା ଭାବୁଛି ।ଆଉ ତ ଆଦିମ ଯୁଗ ନାହିଁ ।ଆଧୁନିକ ସଭ୍ଯତା ତା’ ପ୍ରଭାବ ବିସ୍ତାର କରି ଚାଲିଛି ।ଗାଁ ହେଉ ବା ସହର ଏ କଥାକୁହା ଚତୁର ପ୍ରାଣୀମାନେ ଏତେ ବେପରୁଆ କାହିଁକି?
ଏଇ ପଢୁନୁ ।କ’ଣ ଲେଖାଯାଇଛି ସେ ଫଳକ ଖୁଣ୍ଟିରେ ।ରକ୍ତ ଦାନ କର କିନ୍ତୁ ରାସ୍ତା ଉପରେ ନୁହଁ ।
ହଠାତ୍ ହୋ ହଲ୍ଲା ।କୋଳାହଳ ।ଲୋକଭିଡ ।ଧର ଧର ।ଉଠାଅ ଉଠାଅ।ଶହେ ଆଠକୁ ଫୋନ୍ କର ।
ଦୁହେଁ ସେ ଆଡକୁ ମୁହାଁଇଲେ ।ଟୁପୁରୁ ଟାପର ।ନିଶାଗ୍ରସ୍ତ ଚାରିଜଣ ବେନିୟମ ମଟର ସାଇକେଲ ଦ୍ରୁତଗତି ବେଳ ବିପରୀତ ମୁଖି ଟ୍ରକ୍ ରାସ୍ତାର ବିରାଟ ଗର୍ତ୍ତକୁ ଅତିକ୍ରମ କରିବା ସମୟରେ ସାମନା ସାମନି ଓ ମର୍ମନ୍ତୁଦ ଦୁର୍ଘଟଣା ।
ସାଙ୍ଗେ ସାଙ୍ଗେ ପରିଚୟ ପତ୍ର ଖୋଜା ।ମୋବାଇଲ ପର୍ଯ୍ଯବେକ୍ଷଣ ।ରାସ୍ତା ରୋକ୍ ।ଟାୟାର ଜଳା ।ହରତାଳ ।ଦୂରରୁ ଶହେ ଆଠ ସଂଖ୍ଯା ସୂଚିତ ଗାଡି ଆସିବା ସତର୍କ ଶବ୍ଦ ।
ରାଜକୋଷ ବାଟ ମାରଣା ହେବାର ସ୍ପଷ୍ଟ ସଂକେତ । ତା' ପର ଦିନ ।

ଖବର କାଗଜ ପ୍ରଥମ ପୃଷ୍ଠାରେ ମୁଦ୍ରିତ ହେବ ଗତକାଲି ପ୍ରତୀକ୍ଷାଳୟ ନିକଟରେ ଓ ତା’ ପାଖାପାଖି ରାସ୍ତାରେ ଥିବା ବିରାଟ ଖାଲ ସବୁ ପୋତାହୋଇଯାଇଛି ଆଉ ମୃତ ଚାରିଜଣଙ୍କ ପରିବାରକୁ ଶାନ୍ତ୍ବନା ଦେବାପାଇଁ ପ୍ରଶାସନ/ ରାଜନୀତି ଦୁଆର ଖଟଖଟ କରିଛି।
ଦୁହେଁ ଘର ମୁହାଁ ହେଉଥିଲେ ।ସିମେଣ୍ଟ, ବାଲି ଗୋଡି, ଇଟା ନିର୍ମିତ ପ୍ରତୀକ୍ଷାଳୟ ପାଇଁ ମନସ୍ତତ୍ବକୁ ଦୁର୍ବଳ ନକରି ନିଜ ପ୍ରତୀକ୍ଷାଳୟ କଥା ଚିନ୍ତା କର ।ତା’ର ଉପାଦାନ ସବୁ କ୍ରମେ ନିସ୍ତେଜ ନିସ୍ତେଜ ପରି ଜଣା ପଡିଲେଣି ।ତାକୁ ଛାଡି ଅସଲ ଘରକୁ ଯିବାପାଇଁ ଯାହା ଯାହା ଉପାଦେୟ ପନ୍ଥା ଯେତେ ଅବଲମ୍ବନ ନକରି ଅଯଥାରେ ପାର୍ଥିବ ମୋହରେ ଛନ୍ଦି ହୋଇ ଆକ୍ତାମାକ୍ତା ହେଉଛୁ ।
ଆଶ୍ବାସନା ବାବୁଙ୍କ ଆଶ୍ବାସନା ପବନ ବୋହିନେଉଥିବା ଜଣାପଡୁଥିଲା ଆଉ ପ୍ରତିକ୍ରିୟା ବାବୁଙ୍କ ହୁଁ ହାଁ ର ଶବ୍ଦ ପ୍ରତୀକ୍ଷା ଳୟ ଫଟା କାନ୍ଥ ଛୁଇଁ ଫେରୁଥିଲା ।

ଜୟଦେବ ସିଠ ।୯୪୩୭୫୨୭୩୪୯ ।

error: Content is protected !!