ବିଶ୍ଵ ତମାଖୁ ନିଷେଧ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ।

ଯାଜପୁର / ଆମ ଓଡିଶା ଖବର , (ସ୍ମୃତିରେଖା ମଲ୍ଲିକ): ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଷାକ୍ତ, ଅପମିଶ୍ରିତ ମଦ ଓ ତମାଖୁ ନିଷେଧ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଭାରତରେ ପ୍ରାୟ ବର୍ଷକୁ ୧୪ ଲକ୍ଷ ଲୋକ ତମାଖୁ ସେବନ ଯୋଗୁ ଜୀବନ ହରାଉଛନ୍ତି। ଜନସାଧାରଣ ବିଶେଷକରି ଯୁବ ସମାଜ ଏଥିରୁ କିପରି ମୁକ୍ତି ପାଇ ପାରିବେ ସେ ବିଷୟ ଗମ୍ଭୀରତାର ସହିତ ନେବାର ସମୟ ଆସିଛି। ସୂଚନାଯୋଗ୍ୟ ଯେ ତମାଖୁ, ବିଷାକ୍ତ ମଦ ଓ ଡ୍ରଗସ ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ବିଶ୍ଵ ତମାଖୁ ନିଷେଧ ଦିବସ ମଇ ୩୧ ତାରିଖ ଠାରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ସଚେତନତା ଅଭିଯାନ ଜାରୀ ରହିବ। ତମାଖୁ ସେବନର ଅପକରିତା ଏବଂ ସ୍ଵାସ୍ଥ୍ୟଗତ ଭୟାବହତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସଚେତନତା ଅଭିଯାନକୁ ଘରେ ଘରେ ପହଞ୍ଚାଇବାକୁ ପଡ଼ିବ। ଯାଜପୁର ଜିଲ୍ଲାରେ ଏହି ସଚେତନତା ଅଭିଯାନ ବିଭିନ୍ନ ବିଭାଗର ସହଭାଗିତାରେ ଆରମ୍ଭ ହୋଇଛି। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ୍ କଳା ସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘ ଦ୍ଵାରା ପାଲା ଓ ଦାସକାଠିଆ ମାଧ୍ୟମରେ ତୃଣମୂଳ ସ୍ତରରେ ସଚେତନତା ବାର୍ତ୍ତା ପହଞ୍ଚାଇବେ। ଏହି ଅଭିଯାନ ସମୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସମସ୍ତ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତିଙ୍କୁ ଅନ୍ତର୍ଭୁକ୍ତ କରି ସଚେତନତା ବାର୍ତ୍ତା ପହଞ୍ଚାଇବେ। ଏସ.ଏଚ୍.ଜି ଗ୍ରୁପ ମାଧ୍ୟମରେ ମଦମୁକ୍ତ ପଞ୍ଚାୟତ ମନୋନୀତ କରିବେ। ଏଫ୍.ଏମ୍ ଚ୍ୟାନେଲ ଓ ଲୋକାଲ ଟିଭି ଚ୍ୟାନେଲ ମାଧ୍ୟମରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ରେଡ଼ିଓ ଜିଙ୍ଗଲ ଓ ଅଡିଓ ଭିଜୁଆଲ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବେ। ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ବ୍ୟାପକ ସଚେତନତା ଅଭିଯାନ ମାଧ୍ୟମରେ ମଦପିଇ ଗାଡ଼ି ଚଳାଇବା କୁ ରୋକି ପାରିବେ। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏନ୍.ଜି.ଓଙ୍କ ଦ୍ବାରା ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ସଚେତନ କରାଇବେ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା ଓ ସମ୍ମିଳନୀ ମାଧ୍ୟମରେ ସ୍ଵତନ୍ତ୍ର ସଚେତନତା ଅଭିଯାନ କରିବେ। ଜଙ୍ଗଲ ବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସରେ ବ୍ୟାପକ ବୃକ୍ଷ ରୋପଣ କରିବେ। କ୍ରୀଡା ବିଭାଗ ପକ୍ଷରୁ ଗଣଦୌଡ ଅଭିଯାନ କରିବେ।ମିଶନଶକ୍ତି ବିଭାଗ ଏସ.ଏଚ.ଜି ଦଳ ମାନଙ୍କୁ ଅନ୍ତର୍ଭୁକ୍ତ କରାଇ ଜନ ସଚେତନ କରାଇବେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା କରାଇ ଜିଲ୍ଲାରୁ ୫ ଜଣ କୃତି ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରକୁ ପଠାଇବେ। ଏହି ବୈଠକରେ ଅବକାରୀ ଅଧିକ୍ଷକ ଶ୍ରୀ ଡ଼ି. କେ ଟାଣ୍ଡେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ବଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜଗବନ୍ଧୁ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକିର ମୋହନ ଟୁଡୁ, ଡେପୁଟି ସୁପରିଣ୍ଟେଡେଣ୍ଟ ଅବକାରୀ ଅନିତା ଓଝା, ରେଞ୍ଜ ଇନ୍ସପେକ୍ଟର, କାଳନ୍ଦୀ ବେହେରା, ମିଶନ ଶକ୍ତି ଡି.ପି.ସି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

error: Content is protected !!