ଯିଏ ଯାହା କଥା
କହନ୍ତି ଏଠାରେ
କିଏ କାହା କଥା ଶୁଣନ୍ତି ନାହିଁ
ମୁଁ ସବୁ ଜାଣିଛି
କହିବାର ଢଙ୍ଗ
ନିଜ ବଡିମାକୁ ଦିଏ ବଢ଼ାଇ।
ଆଘାତର କଣ୍ଟା
ପିଟି ଅନ୍ୟ ମନେ
କୁଟିଳ ହସରେ ବିଭୋର ହୋଇ
ନିଜେ ଜିଣିବାର
ଖୁସିକୁ ନିଜର
କେତେ ସୁନ୍ଦରେ ବସି ବଖାଣଇ।
ସବୁ ଜାଣି ଶୁଣି
ଥାଏ ଯେ ନୀରବ
ତା’ ଆଡେ କାହାର ନଜର ନାହିଁ
କୁହାଳିଆ ପାଏ
ତାଳି ଧନ୍ଯବାଦ
ସଭିଙ୍କ ଆଦର ତାକୁ ମିଳଇ।
ମୋ କଥା କହନ୍ତୁ
ମୋ ଆଡେ ଚାହାଁନ୍ତୁ
ମାରନ୍ତୁ ତାଳି ମୋ ଆଗରେ ଥାଇ
ମୁଁ, ମୋର, ମୋତେ
ଛଡା କଥା ବିନା
ଆନ କଥା କିଛି କହନ୍ତୁ ନାଇଁ।
ଅସରପା ପରି
ବୁଲେ ଘରଯାକ
ବିହଙ୍ଗ ହେବାର ସ୍ବପ୍ନ ଦେଖଇ
ପୁଷ୍ପକ ଯାନର
ଆକଳନ କରେ
ଶୂନ୍ଯ ଆକାଶରେ ବୁଲିବା ପାଇଁ।
ପାଦରେ ନୂପୁର
ନିଜେ ବାନ୍ଧି ହୋଇ
ନିଭ୍ରୂତ କୁଟୀରେ ନାଚ କରଇ
ସେ ନୂପୁର ଶଦ୍ଦ
ବହୁ କଳଙ୍କିତ
ବେସୁରା ରାଗରେ ଖାଲି କଂପଇ।
ଚାନ୍ଦ୍ରାୟଣ ବ୍ରତ
ମାର୍ଜାର କରିବ
ଶୁଣିବା ଲୋକ ସନ୍ଦେହେ ପଡ଼ଇ
ଶକୁନ କରିବ
ତା’ ଛାତି ଛବିଳ
ଶିଖୀପରକୁ ତୂଳୀ ସଜେଇ?
ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।