*_ପର୍ଯ୍ୟଟନ କ୍ଷେତ୍ରର ପ୍ରଗତି ପଥେ ନବରଙ୍ଗପୁର ଜିଲ୍ଲା_*

ରିପୋର୍ଟ :-ମୋହନଲାଲ ସୁନାନୀ

ନବରଙ୍ଗପୁର -ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା । ଶିଳ୍ପ,କଳକାରଖାନା ନଥିବା ଏହି ଜିଲ୍ଲାର ଅନେକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ମକା ଚାଷ ପାଇଁ ଏହି ଜିଲ୍ଲାର ସ୍ଵତନ୍ତ୍ର ନାମ ରହିଛି। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଅଛି । ଜିଲ୍ଲାରେ ଅନେକ ପ୍ରସିଦ୍ଧ ଶୈବପୀଠ ଓ ପର୍ଯ୍ୟଟନ ସ୍ଥଳୀ ରହିଛି ହେଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଭିତ୍ତିଭୂମିର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସେତେଟା ହେଇ ପାରିନଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ ୧୮ ତାରିଖରେ 5T ସଚିବ ଭି.କେ.ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲାରେ ଥିବା ପୁରାତନ କୀର୍ତ୍ତିରାଜି ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବୁଲି ଦେଖିଥିଲେ।

ଏଥିରେ ନବରଙ୍ଗପୁର ବ୍ଲକର  ମାଣ୍ଡାଡଙ୍ଗରୀ , ଝରିଗାଁ ବ୍ଲକର ଚନ୍ଦନଧାରା ଜଳ ପ୍ରପାତ, ବିଡ୍ରି ମନ୍ଦିର ଉମରକୋଟ ବ୍ଲକର ଐତିହାସିକ ପୀଠ ପୋଡାଗଡ, ଭାସ୍କେଲ ଡ୍ୟାମ, ପେଣ୍ଡରାଣୀ ମନ୍ଦିର, ଚନ୍ଦାହାଣ୍ଡି ବ୍ଲକର ଭଇଁରାଘୁମର ଜଳପ୍ରପାତ, ଇତ୍ୟାଦି ପରିଦର୍ଶନ କରିବା ସହିତ ଶୈବପୀଠ ତଥା ଟ୍ରଷ୍ଟର କର୍ମକର୍ତ୍ତା, ଲୋକ ପ୍ରତିନିଧି, ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ଅଧିକାରୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏସବୁ ଶୈବପୀଠ ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ସବିଶେଷ ତଥ୍ୟ ପ୍ରସ୍ତୁତ କରି ଆର୍ଥିକ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ତୁରନ୍ତ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଲୋକଙ୍କର ଆପତ୍ତି, ଅଭିଯୋଗ ଓ ପରାମର୍ଶ କୁ ଆଧାରକରି  ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତି କରିଥିବା ସବିଶେଷ ଯୋଜନାର ତଥ୍ୟ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା । ଏହାକୁ ଆଧାର କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଚନ୍ଦନଧାରା, ପୋଡାଗଡ, ଭଇଁରାଘୁମର, ମାଣ୍ଡାଡଙ୍ଗରୀ,ଭାସ୍କେଲ ଡ୍ୟାମ, ମଙ୍ଗରଦୋରା ଓ ବିଡ୍ରି ମନ୍ଦିରର ଉନ୍ନତିକରଣ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୨୧.୮୮କୋଟି ଟଙ୍କା ମଞ୍ଜୁର କରାଯାଇଅଛି । ଏଥିରେ ଚନ୍ଦନଧାରା ଜଳପ୍ରପାତ ପାଇଁ ୩.୭୩କୋଟି ଟଙ୍କା, ପୋଡାଗଡ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୨.୯୬କୋଟି ଟଙ୍କା, ଶୈବପୀଠ ମାଣ୍ଡାଡଙ୍ଗରୀ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୨.୨୦କୋଟି ଟଙ୍କା, ଭାସ୍କେଲ ଡ୍ୟାମ ପାଇଁ ୫.୬୭କୋଟି ଟଙ୍କା, ଭଇଁରାଘୁମର ଜଳପ୍ରପାତ ପାଇଁ ୩.୨୪କୋଟି ଟଙ୍କା, ବିଡ୍ରି ମନ୍ଦିର ପାଇଁ ୦.୮୮ ଲକ୍ଷ୍ୟ ଟଙ୍କା, ମଙ୍ଗରଦୋରା ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୩.୨୦କୋଟି ଟଙ୍କା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ମଞ୍ଜୁର କରାଯାଇଅଛି । ଇତି ମଧ୍ୟରେ ଜିଲ୍ଲାପାଳ ଡଃ.କମଳ ଲୋଚନ ମିଶ୍ର ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି ବ୍ଲକର  ପର୍ଯ୍ୟଟନ ସ୍ଥଳୀ ଗସ୍ତ କରି ସରକାରଙ୍କ ଦ୍ଵାରା ମଞ୍ଜୁରୀ ପାଇଥିବା ଏସବୁ ପର୍ଯ୍ୟଟନ ସ୍ଥଳୀଗୁଡିକର  ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ମୁତବକ ସରକାରଙ୍କ ଦ୍ଵାରା ପ୍ରାପ୍ତ ଅର୍ଥ କିପରି  ବିନିଯୋଗ କରାଯାଇ ସମ୍ପୂର୍ଣ ରୁପରେଖ ସହିତ କାର୍ଯ୍ୟକାରୀ ହେବ ସେନେଇ ଏଥି ସମ୍ପୃକ୍ତ ପଦାଧିକାରୀ, ଜନ ପ୍ରତିନିଧି, ମନ୍ଦିର ତଥା ଟ୍ରଷ୍ଟର କର୍ମକର୍ତ୍ତା, ସଭ୍ୟ ଓ ସ୍ଥାନୀୟ ବାସିନ୍ଦା ଙ୍କ ସହିତ ବିଶେଷ ଭାବରେ ଆଲୋଚନା କରିଥିଲେ ଏବଂ ଏଥି ପାଇଁ ଆବଶ୍ୟକ ଡି.ପି.ଆର  ପ୍ରସ୍ତୁତ କରାଯାଇଅଛି । ଏସବୁ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପର୍ଯ୍ୟଟକ ମାନଙ୍କ ଆବଶ୍ୟକ ସୁବିଧା ପାଇଁ ପାନୀୟ ଜଳ, ଆଲୋକର ବ୍ୟବସ୍ଥା, ପାର୍କିଂର ସୁବିଧା, ପିକ୍ନିକ ପେଣ୍ଡି, ଶୌଚାଳୟ, ଭେଣ୍ଡିଙ୍ଗ ଜୋନ ଇତ୍ୟାଦିର  ନିର୍ମାଣ କାମ ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦ୍ଵାରା କରାଯିବ । ଏସବୁ କାର୍ଯ୍ୟର ସଂପୂର୍ଣ୍ଣ ରୂପରେଖ କିପରି କରାଯିବ ସେ ସମ୍ପର୍କରେ ଅଧିକ୍ଷଣ ଯନ୍ତ୍ରି, ପୂର୍ତ୍ତ ବିଭାଗ, ନବରଙ୍ଗପୁର ସମସ୍ତଙ୍କୁ ବୈଠକରେ ସୂଚନା ଦେଇଥିଲେ ।

ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହେଲେ ପର୍ଯ୍ୟଟକଙ୍କ ଆଗମନରେ ସ୍ଥାନୀୟ ଅଞ୍ଚଳବାସୀଙ୍କର ଉନ୍ନତି ହୋଇପାରିବ ।ବିଶେଷ କରି ସମ୍ପୃକ୍ତ ଅଞ୍ଚଳର ମହିଳା ସ୍ଵୟଂ  ସହାୟିକା ଗୋଷ୍ଠୀ ସମ୍ପୃକ୍ତ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ନିଜ ଦ୍ଵାରା ପ୍ରସ୍ତୁତି ସାମଗ୍ରୀ  ବିକ୍ରୟ କରି ଏହା ଦ୍ଵାରା ଲାଭବାନ ହୋଇପାରିବେ। ଜିଲ୍ଲାପାଳ ଡଃ.ମିଶ୍ର ଏହି ସବୁ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତ୍ୱରାନିତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନବରଙ୍ଗପୁର, ଅନ୍ୟା ଦାସ, ଅଧିକ୍ଷଣ ଯନ୍ତ୍ରି, ପୂର୍ତ୍ତ ବିଭାଗ, ପ୍ରଫୁଲ୍ଲ କୁମାର ମିଶ୍ର ସମ୍ପୃକ୍ତ ବ୍ଲକର ଅଧ୍ୟକ୍ଷ, ଜନପ୍ରତିନିଧି, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଶୈବପୀଠ ଟ୍ରଷ୍ଟ ର କର୍ମକର୍ତ୍ତା, ସଭ୍ୟ ଓ ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।_

error: Content is protected !!