*ଜୁଲାଇ ୯ରୁ ଅଗଷ୍ଟ ୨୭ ତାରିଖ ଯାଏଁ ଚାଲିବ ମେଳା*
ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା: ୧ /୭/ ୨୦୨୩: ରାଉରକେଲାର ବେଦବ୍ୟାସ ଶୈବପୀଠ ରେ ପ୍ରସିଦ୍ଧ ଶ୍ରାବଣୀ ମେଳା ଚଳିତ ବର୍ଷ ଜୁଲାଇ ୯ତାରିଖରୁ ଆରମ୍ଭ ହେବ । ଏନେଇ ଶନିବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନି କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ଅଧ୍ଯକ୍ଷତା କରିଥିଲେ ଏବଂ ଏହି ମେଳାର ସଫଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଅଧିକ ସଂଖ୍ୟାରେ କାଉଡ଼ିଆଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି। କାଉଡ଼ିଆ ଏବଂ ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ବିଭାଗକୁ ଆବଶ୍ଯକ ଦାୟିତ୍ୱ ଦିଆଯାଇଛି। ଆଶା କରାଯାଉଛି ସମସ୍ତ ଙ୍କ ମିଳିତ ସହଯୋଗ ରେ ଶାନ୍ତି ଶ୍ରୁଙ୍ଖଳାର ସହିତ ଶ୍ରାବଣୀ ମେଳା ସଂପନ୍ନ ହେବ ।
ରାଉରକେଲାର ବେଦବ୍ୟାସ ପୀଠରେ ଜୁଲାଇ ୯ରୁ ଏହି ଶ୍ରାବଣୀ ମେଳା ଆୟୋଜନ କରାଯିବ। ଅଗଷ୍ଟ ୨୭ ତାରିଖ ଯାଏଁ ମେଳା ଚାଲିବ। ଆଖପାଖ ଅଞ୍ଚଳର ବହୁ ମାନସିକବ୍ରତଧାରୀମାନେ ବେଦବ୍ୟାସ ପୀଠରୁ ପାଣି ଉଠାଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ଯାତ୍ରା କରିଥାନ୍ତି। ତା’ଛଡ଼ା ବେଦବ୍ୟାସସ୍ଥିତ ଶିବ ମନ୍ଦିରକୁ ମଧ୍ୟ ବିଭିନ୍ନ ସ୍ଥାନରୁ ବିଶେଷ କରି ପଡୋଶୀ ରାଜ୍ଯ ଝାରଖଣ୍ଡ, ପଶ୍ଚିମବଙ୍ଗ ରୁ କାଉଡ଼ିଆମାନେ ପାଣି ଭାର ନେଇ ଆସିଥାନ୍ତି। ସପ୍ତାହର ପ୍ରତ୍ୟେକ ରବିବାର ଏବଂ ସୋମବାର ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଲାଗି ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ମୁତାବକ ମହିଳା ପୋଲିସ ଏବଂ ସ୍ୱେଚ୍ଛାସେବୀ ମୁତୟନ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବେଦବ୍ୟାସଠାରେ ମୁଖ୍ଯ ରାସ୍ତା ର୍ ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରିବା ସହିତ ମୁଖ୍ଯ ମାର୍ଗରେ ଗାଡି ପାର୍କିଂ କୁ ନିଷେଧ କରାଯିବ। ଏହା ସହ ନିକଟରେ ଥିବା ରେଳ ଧାରଣାରେ ଲୋକମାନଙ୍କ ଯାତାୟାତକୁ ମଧ୍ଯ ନିଷେଧ କରାଯିବ।
ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାନପୋଷ ଉପ ଜିଲ୍ଲାପାଳ ଅଭିମନ୍ୟୁ ମାଝି, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ଓ ସୀତାଦେବୀ ମାଝି ସମେତ ୱାଟକୋ, ପୂର୍ତ୍ତ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଓଏଫଡିସି, ସିଭିଲ ଡିଫେନ୍ସ, ଟିପିଡବ୍ଲୁଓଡିଏଲ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ର ଅଧିକାରୀ ଓ ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ।
ଲୋକଙ୍କ ସମାଗମକୁ ଲକ୍ଷ୍ୟ କରି ବିଭିନ୍ନ ନଦୀ ଘାଟରେ ବ୍ୟାରିକେଡ୍ ନିର୍ମାଣ କରାଯିବ। ଏହାସହ ବେଦବ୍ୟାସ ପୀଠରେ ଆଲୋକୀକରଣ ବ୍ୟବସ୍ଥା , ବିଦ୍ୟୁତ ସରବରାହ କରିବା ଲାଗି ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଜରୁରୀକାଳୀନ ପରିସ୍ଥିତି ପାଇଁ ୩ଟି ଆମ୍ବୁଲାନ୍ସ ସେବା , ମୋବାଇଲ ସ୍ବାସ୍ଥ୍ଯ କ୍ଲିନିକ କରାଯାଇ ଜଣେ ଡାକ୍ତର ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ଓଡ୍ରାଫ୍ଟ ଓ ଅଗ୍ନିଶମ କର୍ମଚାରୀମାନେ ଉପସ୍ଥିତ ରହିବା ଲାଗି ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବେଦବ୍ୟାସ ପୀଠରେ ନିୟମିତ ସଫେଇ ଉପରେ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ନିଆଯାଇଛି।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.