ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ) ଅପେକ୍ଷା କରି କରି ପୁରା ବିରକ୍ତ ହୋଇ ସାରିଥିଲା ସ୍ନେହା, ଇଏ କି କଥା ଲୋ, ପୁରା ଅଢେଇ ଘଣ୍ଟା ହେଲା, ପାର୍କର ଗୋଟାଏ ପାଖରେ ବସିଛି। କଣ ଦୁଇ କିଲୋମିଟର ବାଟ ପୁଣି ସ୍କୁଟିରେ ଆସିବାକୁ ଅଜୁକୁ ଏତେ ସମୟ ଲାଗୁଛି। ଏମାନେ ପୁଅଗୁଡ଼ା ଖାଣ୍ଟି ଅଳସୁଆ, ମାଆ ମାନେ ଗେଲ କରିକି ମୁଣ୍ଡରେ ବସେଇଥା’ନ୍ତି। ତିନିଟାରେ ପହଂଚିବାକୁ କହିଲେ, ନିଦ ଭାଙ୍ଗିବ ସାଢେ ତିନିରେ। ଆଉ କଣ ନା ଆସୁ ଆସୁ ଆଉ ସାଢେ ତିନି ଘଣ୍ଟା ଦରକାର। ଝିଅଠୁଁ ଅଧିକା ତିଆରି ହେବେ, ହଁ ସେ ଜାଣିଛି। ଆଉ ଅଧଘଣ୍ଟାଏ ଅପେକ୍ଷା କରି ଫେରି ଯିବାକୁ ନିଷ୍ପତି ନେଲା ସ୍ନେହା। କାରଣ ସେ ସମୟର ସଦୁପଯୋଗ କରେ।ଆଜି କେବଳ ଅଜୁର ବାରମ୍ବାର ଅନୁରୋଧକୁ ଏଡାଇ ନପାରି ସେ ଆସି ଯାଇଛି, ପୁଣି ଅଜୁର ଜନ୍ମଦିନ। ଏଭଳି ଏକ ଦିନରେ ସେ ଅଜୁର ମନ ଦୁଃଖ କିପରି କରିବ।ସେ ଏ ସହରକୁ ଆସିଲା ପରଠୁଁ ଅଜୁ ହିଁ ତ ତା’ର ଏକମାତ୍ର ବନ୍ଧୁ। ଭଲମନ୍ଦ କଥାବାର୍ତ୍ତା ହେଉ କିମ୍ବା କିଛି ସମସ୍ୟାର ସମାଧାନ ହେଉ ଅଜୁ ସହ ବିଚାର କରି ହିଁ ସେ ଆଗକୁ ବଢ଼େ।ଭାବନା ରାଜ୍ୟରେ ବୁଡ଼ିଥିବା ବେଳେ ଅଜୁର ମାଡାମ ସରି କଥାରେ ଚିହିଁକି ଉଠିଲା ସ୍ନେହା। ଓଃ ଆସିଗଲ ତୁମେ, ଯାହାହେଉ ପରମ ଅଳସୁଆଟିଏ। ଆହୁରି ଅନେକ କଥା କହିବା ବେଳେ ସ୍ନେହାର ଓଠରେ ହାତ ରଖି ଅଜୁ କହିଲା, ପ୍ରଥମେ ଜନ୍ମଦିନର ଶୁଭେଚ୍ଛାଟି ତ ଦିଅ, ତା’ ପରେ ଗାଳି। ଫିକ୍ କରି ହସି ଦେଲା ସ୍ନେହା, ସମୁଦ୍ରେ ଶୁଭେଚ୍ଛା, ଆକାଶେ ସ୍ନେହ ଓ ପାହାଡ଼େ ଶୁଭ କାମନା ତୁମ ପାଇଁ ଅଜୁ, ଦୀର୍ଘଜୀବି ହୁଅ, ତୁମର ଉତ୍ତରତ୍ତୋର ଉନ୍ନତି ହେଉ। ଅଜୁ ସେମିତି ଚାହିଁ ରହିଲା ସ୍ନେହା ମୁହଁକୁ,
କହିଲା, ମନ୍ଦିରରେ ପରା ସଂକ୍ରାନ୍ତି ପାଇଁ ଭିଡ଼, ନଡ଼ିଆ ଭୋଗ ନ ଆଣିଲେ ହେବନି, ମାଆ ତେଣେ ଅନେଇ ବସିଛି। ହଉ ବାବା ହେଲା କହି ଦୁହେଁ ହସି ଉଠିଲେ।
ଅଜୁର ପରିବାର କହିଲେ କେବଳ ବାପା ମାଆ, ଦି ପ୍ରାଣୀ। ହଁ ବଡ଼ ଭାଇନା ଭାଉଜ ଅଛନ୍ତି କିନ୍ତୁ ନଥିଲା ସମାନ। ଯାହା ଅଜୁ ପାଖରୁ ଶୁଣିଛି, କିନ୍ତୁ ତା’ ବାପା ମାଆଙ୍କୁ କିଛି ବି ପଚାରିନି ସ୍ନେହା। ଅଜୁ ର ବାପା ସ୍ୱଳ୍ପ ଆଦାୟରେ ପିଲାଙ୍କୁ ମଣିଷ କରିଥିଲେ। ବେଳେବେଳେ ଅଜୁ ଘର କଥା, ଭାଉଜଙ୍କ ଅମାନବିକତା କଥା କହି ଆଖି ଛଳ ଛଳ କରି ପକାଏ, ସ୍ନେହା ତା’କୁ ବୁଝାଏ।ନିଜକୁ ନିଜର ବୋଲି ଭାବିବା ପୂର୍ଵରୁ ତୁମେ ତମ ବାପାମାଆଙ୍କର ବୋଲି ଭାବ ଅଜୁ, କିଏ କଣ କଲା ନକଲା ସେକଥା ଛାଡ଼, ତମେ ତାଙ୍କ ପାଇଁ କଣ କରିପାରିବ ସେ କଥା ଭାବ, ଆଉ ସେମାନେ ଯେପରି ନିଜ ସୁଖକୁ ଜଳାଞ୍ଜଳି ଦେଇ ତୁମମାନଙ୍କୁ ସବୁ ସୁଖ ଦେଇଛନ୍ତି, ତମେ ମଧ୍ୟ ନିଜ କଥା ପଛରେ ରଖି ସେମାନଙ୍କ ମୁହଁରେ ହସ ଦିଅ।ଏଇ ଶତ ସାହସର କଥା ପଦିକ ହେଉ ବା ମନ ଭୁଲଣିଆ ହସ ଟିକକ ହେଉ, ଅଜୁ ମନରେ ସ୍ନେହା ପାଇଁ ପ୍ରେମର ସଂଚାର କରେ। ସେ ଭିଜିଯାଏ ପ୍ରେମ ମନ୍ଦାକିନୀର ସେଇ ପୁଣ୍ୟ ବାରିଧାରାରେ, ହଜିଯାଏ ସ୍ୱପ୍ନିଳ ଦେଶର ସେଇ ଅପହଞ୍ଚ ଇଲାକାରେ। ସୁନେଲି ସ୍ବପ୍ନର ଦୁନିଆରେ ଘୁରି ବୁଲେ, କିନ୍ତୁ ଯେତେବେଳେ ପ୍ରକୃତିସ୍ଥ ହୁଏ ନିଜକୁ ଏକା ପାଏ କେଉଁ ଏକ ଶୁଷ୍କ ମରୁଭୂମିର ତତଲା ବାଲି ଉପରେ।
ସ୍ନେହା ଏକ ଉଚ୍ଚ ଶିକ୍ଷିତା,ସ୍ୱାବଲମ୍ବୀ ଝିଅ। ଓଡିଶା ଛାଡ଼ି ଜୀବିକା ଅନ୍ୱେଷଣରେ ଚାଲି ଆସିଲା ନୂଆ ଦିଲ୍ଲୀ। ସେ ଏକ ଅନାଥ ଆଶ୍ରମରେ ବୁଦ୍ଧି ଜାଣିଲା ସମୟରୁ ରହି ପାଠ ପଢୁଥିଲା। ପରିବାର ସ୍ନେହ ତା’ ଭାଗ୍ୟରେ ନଥିଲା।ସେ ଯୋଉ କମ୍ପାନୀରେ କାମ କରେ ଅଜୁ ବି ସେଇଠି କାମ କରେ, ଦୁହେଁ ଓଡ଼ିଆ ହୋଇ ଥିବାରୁ ବନ୍ଧୁତାର ସୂତ୍ରପାତ ହୋଇ ଧିରେ ଧିରେ ନିବିଡ଼ ହୋଇଥିଲା, କିନ୍ତୁ ଅଜୁର ଭଲ ପାଇବା ଥିଲା ଏକ ତରଫା।ଅଜୁର ମାଆ ଥିଲେ ଭାରି ଧାର୍ମିକ ଓ ଜାତିବାଦୀ ଆଉ ସ୍ନେହାର ଜାତି ଥିଲା ଛୋଟ।ଏପଟେ ଅଜୁର ବାପାମାଆ ବଡ଼ ପୁଅବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ଅଜୁ ଉପରେ ହିଁ ଭରସା ବାନ୍ଧିଥିଲେ।ଯେମିତି ହେଉ ସେମାନଙ୍କୁ ସୁଖରେ ରଖିବାକୁ ଏକ ପ୍ରକାର ପଣ କରିଥିଲା ଅଜୁ। ବାରମ୍ବାର ବିବାହ ପାଇଁ ଘରେ କହୁଥିଲେ ମଧ୍ୟ ଟାଳି ଦେଉଥିଲା ସେମାନଙ୍କ କଥା। ଏପଟେ ସ୍ନେହାକୁ ମନକଥା କହିବାକୁ ସାହସ ନଥିଲା, ସେପଟେ ଭବିଷ୍ୟ ଉପରେ ଭରସା ବି ପାଉ ନଥିଲା।
କମ୍ପାନୀର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାମରେ ପନ୍ଦରଦିନ ପାଇଁ ଅଜୁ ବିଦେଶ ଗଲା। ଇତି ମଧ୍ୟରେ କାମର ଚାପରେ ତା’କୁ ଅଧିକା ଦିନ ରହିବାକୁ ପଡିଲା।ବେଳେବେଳେ ସ୍ନେହା ଅଜୁ ଘରକୁ ଯାଇ ଭଲମାନ୍ଦ ବୁଝି ଆସେ। ହଠାତ୍ ଦିନେ ଅଜୁର ବାପା ସୁଗାର ବଢ଼ିବା ଯୋଗୁଁ ଭୀଷଣ ଅସୁସ୍ଥ ହୋଇ ପଡିଲେ। ଖବର ଶୁଣି ସ୍ନେହା ତାଙ୍କୁ ମେଡିକାଲ ନେଇ ଭର୍ତ୍ତି କରାଇଲା, ଉଚିତ ସେବା ଯତ୍ନ କଲା, ଅଜୁ ମାଆଙ୍କ ଅବସ୍ଥା ମଧ୍ୟ କାନ୍ଦି କାନ୍ଦି ବେହାଲ। ଏକମାତ୍ର ସ୍ନେହା ହିଁ ସେମାନଙ୍କ ଭରସା। ସୁନା ଝିଅଟିଏ ଭଳି ଅଜୁର ଅନୁପସ୍ଥିତରେ ସବୁ କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲା ସ୍ନେହା। କିଛି ଦିନ ଭିତରେ ଅଜୁର ବାପା ସୁସ୍ଥ ହୋଇ ଉଠିଲେ। ପିତୃମାତୃହୀନ ସ୍ନେହାକୁ ଅଜୁର ମାତାପିତା କେଇଟା ଦିନ ଭିତରେ ନିଜର କରି ସାରିଥିଲେ, ସେମାନଙ୍କ ସ୍ନେହ ଆଦର ପାଇ ସ୍ନେହା ମଧ୍ୟ ନିଜକୁ ଭାଗ୍ୟବତୀ ମନେ କରୁଥିଲା। ଅଜୁ ଘରେ ପହଁଞ୍ଚିଲା ଓ ସବୁ ଜାଣି ସ୍ନେହା ପ୍ରତି ତା’ର ଭଲ ପାଇବା ଆହୁରି ଦ୍ବିଗୁଣ ହେଲା, ଜାତି ଝିଅ ନ ହୋଇ ଥିବାରୁ ନା ସ୍ନେହାକୁ କହି ପାରୁଥିଲା ନା ଘରେ। ଇତି ମଧ୍ୟରେ ଅଜୁର ବାପା ଅଜୁର ବିବାହ ସ୍ଥିର କରିଦେଇଥିଲେ। କିନ୍ତୁ, ଅଜୁକୁ ସରପ୍ରାଇଜ ଦେବା ପାଇଁ କିଛି କହିନଥିଲେ। ସିଧା ବର ବେଶ ପୋଷାକ ଆଣି ଅଜୁକୁ ବାହାଘର ପାଇଁ ଶୀଘ୍ର ରେଡ଼ି ହେବା ପାଇଁ ଆଦେଶ ଢଙ୍ଗରେ କହିଲେ। ଅଜୁ ଆଶ୍ଚର୍ଯ୍ୟ ହୋଇ ମାଆ ପାଖକୁ ଦୌଡ଼ି ଗଲା, ମାଆ ବୁଝେଇ କହିଲେ ଦେଖେ ବାପା ଆମର ବୟସ ହେଲାଣି, କେତେବେଳେ କୋଉ କଥା, ତୁ ତୋ ଆମ ପସନ୍ଦରେ ଆଉ ଅରାଜି ହେବୁନି, ଚାଲ ଶୀଘ୍ର, ମୁହୂର୍ତ୍ତ ବିତିଯିବ ଯେ! ଅଜୁ ବାଧ୍ୟ ଶିଶୁଟି ପରି ଅନିଚ୍ଛା ସତ୍ତ୍ୱେ ମନ୍ଦିରକୁ ବାହାରିଗଲା। ମନ୍ଦିରରେ ପହଂଚି ଦେଖେ ତ ବୋହୂ ବେଶରେ ସ୍ନେହା ବସି ଅପେକ୍ଷା କରିଛି ଅଜୁକୁ। ଅଜୁ ବାପାମାଆଙ୍କୁ ଚାହିଁଲା, ବାପାମାଆ ଦୁହେଁ ହସି ଉଠିଲେ, ଅଜୁ ଜାଣିଗଲା ସଭିଏଁ ମିଶି ତା’କୁ ଭକୁଆ ବନେଇଛନ୍ତି। ମାଆ ଦୁହିଁଙ୍କ ପାଖକୁ ଆସି କହିଲେ ବାବୁରେ, ମୁଁ ଦୁନିଆ ଦେଖିଛି ଆଉ ବୁଝିଛି ତୋର ନୀରବତା ଭିତରେ ଥିବା ଅନେକ କଥା, ସେଥିପାଇଁ ଏ ନିଷ୍ପତି ଆମେ ନେଇଛୁ, ତୁ ଖୁସି ତ!ସ୍ନେହାର ଜାତି ହେଉଛି ମାନବିକତା, ଯାହା ଏ ବୃଦ୍ଧ ମାତାପିତା ପାଇଁ ନିହାତି ଆବଶ୍ୟକ।ବାପା ମଧ୍ୟ ଦୁହିଁଙ୍କୁ ଆଶୀର୍ବାଦ ଦେଇ ମାଆଙ୍କ କଥାରେ ସମର୍ଥନ କଲେ।
ମହାଶ୍ଵେତା ପାଣିଗ୍ରାହୀ
ସାଇ ପ୍ରିୟା ନଗର
ରାୟଗଡ଼
7008192453
More Stories
ବିକାଶ ମେଳା ୨୦୨୫ ଉପଲକ୍ଷେ ଗଣ ଦୌଡ଼ ଅନୁଷ୍ଠିତ।
” ମାନବତା”
ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ।