ତୁଣ୍ଡି

ଏକାନ୍ତରେ ବସି ପିଲା ଦିନର ଅନେକ  ସ୍ମୃତି ଆଉ ଅନୁଭୂତି ସାଉଣ୍ଟୁ ସାଉଣ୍ଟୁ ମନେ ପଡିଯାଏ ବିଦ୍ୟାଳୟ ଛୁଟିଦିନ ମାନଙ୍କରେ ବାପା ପୁଷ ଓ ମାଘ ମାସରେ ଡାକି ନିଅନ୍ତି ଖଳାକୁ ଧାନ ବେଙ୍ଗଳା କାର୍ଯ୍ଯରେ ସାହାଯ୍ୟ କରିବାକୁ। ମନରେ ଉତ୍କଣ୍ଠା ଓ କୌତୂହଳ ଦେଖାଦିଏ।
  ମୋର କାମଥାଏ ବଳଦ ମାନଙ୍କୁ ବାଡି ଧରି ଓଡେଇବା ଓ ସେମାନେ ମଳ ତ୍ଯାଗ  କରିବା ସମୟରେ ତାହାକୁ ଏକ ନିର୍ଦ୍ଧିଷ୍ଟ ଯାଗାରେ ରଖିବା। ବଳଦ ମାନଙ୍କ ଦ୍ଵାରା ଧାନ ଅମଳ କରାଯାଏ। ବଳଦ ମାନଙ୍କ ଖୁରା ବାଜି ଧାନ ସିସାରୁ ଖସିଥାଏ। ବେଙ୍ଗଳା ସମୟରେ ସୁବିଧା ସୁଯୋଗ ଦେଖି ବଳଦମାନେ ଧାନ ଖାଇ ଯାଆନ୍ତି ତେଣୁ ବାପା ସେମାନଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଥାନ୍ତି ଯେପରି ବଳଦମାନେ ଆଉ ଖାଇ ପାରିବେ ନାହିଁ।
    ଗାଁ ମନ୍ଦିରରେ ଦେଖି ମୋର ଠିକ୍ ମନେ ଅଛି ମନ୍ଦିରରେ ପୂଜକ ପୂଜା କଲାବେଳେ ଅର୍ଥାତ୍ ଭୋଗ ଲଗାଇବା ବେଳେ ମୁହଁରେ ଗାମୁଛା ବାନ୍ଧିଥାନ୍ତି କାଳେ ହଠାତ୍ ଖାସ କି ଛିଙ୍କ ଆସିଗଲେ ଭୋଗ ତା’ର ପବିତ୍ରତା ହରାଇ ଅଶୁଦ୍ଧ ହୋଇଯିବ।
     ଦେଖିନି କିନ୍ତୁ ଶୁଣିଛି ପୁରୀ ବଡଦେଉଳରେ ଜଗତର ନାଥ ଜଗନ୍ନାଥଙ୍କ ରୋଷେୟାମାନେ ରୋଷେଇ କାର୍ଯ୍ଯ ସମୟରେ ମୁହଁରେ ଗାମୁଛା ବାନ୍ଧି ମୁହଁକୁ ପୂରା ଆବୃତ କରି ରଖନ୍ତି। ପୂଜକ ମାନେ ଭୋଗ ଲଗାଇବା ବେଳେ ମୁହଁରେ ଗାମୁଛା ବାନ୍ଧିଥାନ୍ତି ଯାହାକି ଏବେର ତୁଣ୍ଡି ବା ମୁଖା ତା’ର ଉଜ୍ଜଳ ଦୃଷ୍ଟାନ୍ତ।
     ଗାଁ ର କଲେଜ ପଢୁଆ ଝିଅମାନେ ସାଇକେଲରେ ଗଲାବେଳେ ଦେଖୀଛି ସେମାନେ ମଧ୍ୟ ପୁରା ମୁହଁକୁ ବଡ ରୁମାଲ ଦ୍ବାରା ଘୋଡେଇ ଯାଆନ୍ତି। କାହାର ଝିଅ ଚିହ୍ନିବା କଷ୍ଟକର। ବୋଧେ ସେମାନେ ଖରା ଦାଉରୁ ମୁହଁକୁ ରକ୍ଷା କରିବା ଅବା ଧୁଳି ଧୂଆଁ ନାକରେ ମୁହଁରେ ନପଶିବା ପାଇଁ ସାବଧାନତା ବି ହୋଇପାରେ। ଏପରି ବି ହୋଇପାରେ ସେମାନଙ୍କ ତ୍ବଚାର ସୁନ୍ଦରତାରେ ମଳିନତା ନଆସୁ। କ୍ରମେ ତାହା ଏକ ଫେସନ ପରି ଅନୁଭବ ହେଉଥିଲା କିନ୍ତୁ ତାହା ସେପରି ନଥିଲା। ବୋଧେ ସେମାନଙ୍କୁ କିଏ ପରାମର୍ଶ ଦେଇଥିଲା କି? ଏବେଠାରୁ ମୁହଁ/ ନାକକୁ ଆବୃତ କରି ବାହାରକୁ ଯିବାପାଇଁ। ଯଦି ସେପରି ହୋଇଥାଏ ସେ ଝିଅ ମାନଙ୍କ ବୁଦ୍ଧି ଓ ସାବଧାନତାକୁ ପ୍ରଶଂସା କରାଯାଇପାରେ।
     ଆଜି ସେ ତୁଣ୍ଡି/ ମୁଖା ସମସ୍ତଙ୍କ ସଖା ପାଲଟିଯାଇଛି। ଏମିତି ଏକ ମହାମାରୀ ଭୁତାଣୂ ପୃଥିବୀ ପୃଷ୍ଠରେ ତା କାୟା ବିସ୍ତାର କଲା ଯେ ବିନା ତୁଣ୍ଡିରେ ଘରୁ ବାହାରକୁ ଗଲେ ସେ ଭୁତାଣୂ ବାଟ ଖୋଜେ କିପରି ଦେହରେ ପ୍ରବେଶ କରି ପ୍ରାଣ ଘାତକ ସାଜିବ।
     ତା’ ସହିତ ଲଢେଇ କରିବାର ଶକ୍ତି ପାଖରେ ଦେହର ଅଣୁକଣିକାମାନେ ପରାଜିତ ହୋଇଯାଆନ୍ତି। ଯଦ୍ବାରା ଜଣେ ଆକ୍ରାନ୍ତ ବ୍ଯକ୍ତି ପାଇଁ ଦୁନିଆ ଶେଷ ହୋଇଯାଏ। ରାମାୟଣ ତଥା ଅତୀତର ଦୈତ୍ୟ ଦାନବମାନଙ୍କ ଠାରୁ ଏ ଅଦୃଶ୍ୟ ଦୈତ୍ୟ ଅଧିକ ପରାକ୍ରମଶାଳୀ। ଅତୀତର ଯୁଦ୍ଧ ସମୟରେ ଢାଲ , ଖଣ୍ଡା, ସାଞ୍ଜୁ ଇତ୍ୟାଦି ଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସହାୟକ ହୋଇଥାଏ କିନ୍ତୁ ଏ ଯେଉଁ ଯୁଦ୍ଧ ଭୁତାଣୂ ଭିଆଇଛି ତା ଦାଉରୁ ରକ୍ଷା ପାଇବା ପାଇଁ ବିବିଧ ଉପଚାର ଓ ନୀତି ନିୟମ ପାଳନ ସହ ତୁଣ୍ଡି ବ୍ଯବହାର ଆବଶ୍ଯକ ଅଧିକ।
     ଏହା ଆବିଷ୍କାର କି ଉଦ୍ଭାବନ ସେ ନିୟତି ବିନା ଏହାର ଉତ୍ତର ମଣିଷ ପକ୍ଷେ କଷ୍ଟ ଦାୟକ। ଯାହା ମାଳିକା ଓ ଜ୍ଯୋତିଷ ଶାସ୍ତ୍ର କହେ ଅଧର୍ମ ଓ ଅନୀତି ବୃଦ୍ଧି ହେତୁ ପୃଥିବୀ କ୍ରମେ ଧ୍ବଂସ ଆଡକୁ ଅଗ୍ରସର ହେଲା ବେଳେ ଏପରି ମହାମାରୀ ସବୁ ପୃଥିବୀରେ ଦେଖାଦେବ ଏପରିକି ପ୍ରକୃତି ହଲଚଲ ହୋଇ ନିଜର ସତ୍ତା ହରାଇବ ।
     ଏହାର ସମାଧାନ ଖୋଜିବାକୁ ରାସ୍ତା କିଏ ବତେଇବ? ନିଜେ ପରମସତ୍ତା କାଳର ଅଧିନ। ଛାର ଭୂତାଣୁ ଦେବ ମନ୍ଦିର, ମଠ , ଆଶ୍ରମ ବନ୍ଦ କରିଦେଲା। ଆଧ୍ଯାତ୍ମିକ ଭାବନା ଥାଇ ବି ଚୁପ୍ ଚାପ୍ ର ପରିବେଶ ରାଜୁତି କଲା।
    ପ୍ରକୃତି ହାରିବା ସ୍ବର ଶୁଣାଗଲା। ବିଜ୍ଞାନ ପରାଜୟ ହୋଇ ବି ବିଜୟ ପାଇଁ ଚେଷ୍ଟା କରିଚାଲିଛି।
    ସମୟ ବଡ ବଳବାନ୍।
ତୁଣ୍ଡି ଏବେ ବ୍ଯବସାୟରେ ଏକ ଅର୍ଥକାରୀ ଫସଲଠାରୁ ଅଧିକ ଅମଳକ୍ଷମ ବସ୍ତୁ। ଅସାଧୁ ବ୍ଯବସାୟୀ ଓ ଦଲାଲ ମାନେ ଆଜୁବାଜୁ ତୁଣ୍ଡି ତିଆରି କରି ବଜାରକୁ ବିକ୍ରି ପାଇଁ ଛାଡୁଛନ୍ତି ଯଦ୍ବାରା ଲୋକେ ସେଗୁଡିକୁ କିଣି ପିନ୍ଧିବା ଦ୍ବାରା ଅଣନିଶ୍ବାସୀ ହୋଇ ଅଧିକ  ରୋଗାକ୍ରାନ୍ତ ହେଉଛନ୍ତି। ତୁଣ୍ଡି ପ୍ରାଣ ରକ୍ଷକ ହେବା ବଦଳରେ ପ୍ରାଣ ଘାତକ ହେଉଛି।
     ଔଷଧୀୟ/ ବୈଜ୍ଞାନିକ ପ୍ରଣାଳୀରେ ତୁଣ୍ଡି ନିର୍ମାଣ ଓ ତା’ ର ପ୍ରଚାର/ ପ୍ରସାର/ ବ୍ଯବହାର ସାମାଜିକ ଆଦୃତ ହେଲେ ତଥା ଯୁଗ ଯେଉଁଠି ଅଛି ସେଇଠି ଥାଇ ପ୍ରଜ୍ଞାଶୀଳ ମାନଙ୍କ ମାନସିକତା ପରିବର୍ତନ ହେଲେ ବୋଧେ ମହାମାରୀ ବାଟ ହୁଡିପାରେ ନଚେତ୍ ବିନାଶର ଦ୍ବାର ଖୋଲିବାକୁ ସମୟ ନିକଟରୁ ନିକଟତମ ହେବ ଆଉ ଚିତ୍ରଗୁପ୍ତ ପାଞ୍ଜି ପୃଷ୍ଠା ଆଡେଇ ଆଡେଇ ଆକ୍ତାମାକ୍ତା ହୋଇ ଜନ୍ତୁପତିଙ୍କୁ କହିବେ ଖୁଚୁରା ହିସାବ ରଖିବା ସମୟ ସାପେକ୍ଷ ଏଥର ପାଇକାରି ହିସାବ ରଖବାକୁ ବ୍ଯବସ୍ଥା କର ନଚେତ୍ ମୁଁ ହିସାବ ରକ୍ଷକ ପଦରୁ ଇସ୍ତଫା  ଦେବି।
     ତା’ ପରେ——–।
ଜୟଦେବ ସିଠ। ରାୟଗଡ।

error: Content is protected !!