ଭିକାରି

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)

ମୁଁ ମନା କରିଥିଲିନା ଭିକାରି ଘରୁ ବାହାରକୁ ଯିବା ପାଇଁ ।ବାପାଙ୍କ ହାଲୁକା ତାଗିଦରେ ସାମାନ୍ଯ ସଂକୋଚ କରି ନମ୍ରତାର ସହିତ ସେ କହିଲା ନାଇଁ ବାପା ମୁଁ ପୁରା ସାବଧାନ ରେ ଯାଇଥିଲି ।ଘରକୁ ଫେରିବା ବେଳକୁ ଆମ ସାହିର ଚାରି ପାଞ୍ଚ ଜଣ ଟୋକା ରାସ୍ତା କଡର ଅପନ୍ତରାରେ ବସି ଥିବା ଜଣେ ଲୋକ ଚାରି ପଟେ ଘେରି ରହି ତାକୁ ହଇରାଣ ହରକତ କରି ଇଆଡୁ ସିଆଡୁ ଖରାପ କଥା ସବୁ କହୁଥିଲେ ।ବିଚରା ସେ ନିଜକୁ ଅସହାୟ ମନେକରି ଚୁପ୍ ଚାପ୍ ବସି କାନ୍ଦୁଥିବା ଛଡା ଅନ୍ଯ ଗତି ନଥିଲା ।ସେଇଠି ଟିକେ ଅଟକି ଯାଇଥିଲି ବାପା ।ଦେଖିଲି ଲୋକଟି କ’ଣ ସବୁ ତା’ ଚିରାଫଟା ମଇଳା ଲୁଗା କାନିରେ ବାନ୍ଧି ଛାତିରେ ଜାବୁଡି ଧରିଛି ।ଅନୁମାନ କଲି ଏମାନେ ବୋଧେ ବଳପ୍ରୟୋଗ କରି ସେ ଧରିଥିବା ଜିନିଷକୁ ନେବାକୁ ଚେଷ୍ଟା କରିଛନ୍ତି ?ମୋର ଉପସ୍ଥିତି ଦେଖି ସେ ବଦମାସ ଟୋକା ମାନଙ୍କୁ ଅସୁବିଧା ହେଲା ବୋଧେ ତେଣୁ ସେମାନେ ମୋତେ ଧମକ ଦେଇ ଚାଲିଯିବାକୁ କହିଲେ ।ମୋର ସନ୍ଦେହ ଦୁଇ ଗୁଣ ବଢିଗଲା ।ସେମାନଙ୍କ ସହ କଥା କଟାକଟି ହେଲାପରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ଚାଲିଗଲେ ।
ତଳକୁ ମୁହଁ କରି ବସିଥିବା ସେ ନିରୀହ ଦୁର୍ବଳ ଲୋକ ପାଖରେ ବସି କାରଣ ଖୋଜୁ ଖୋଜୁ ସେ ହଠାତ୍ ମୋର ହାତ ଧରି ପକାଇ ଆଶୀର୍ବାଦର ଫୁଲହାର ସବୁ ମୋତେ ପିନ୍ଧାଇ ଦେଇ କହିଲା ତୁମେ ମୋତେ ଚିହ୍ନିନ? ମୁଁ ପରା ସବୁ ଦିନ ତୁମ ଦୁଆର ପାଖରେ ବସି ତୁମ ବାପା ଦେଉଥିବା ମନ ଚିହ୍ନି ପେଟପୁରା ଖାଦ୍ଯ ଖାଇ ସେଠାରେ ଘୁମାଏ ।ତୁମ ବାପା ମୋତେ କୁହନ୍ତି ଏବେ ଯାଅ।ପର ଦୁଆରେ ଠିଆହେଲେ କେଉଁ ଦୟାବାନ କିଛି ଦେଇ ପାରନ୍ତି ।ସତେ ଯେପରି ତୁମ ବାପା ମୋର ଗତ ଜନ୍ମର ଅତି ଆପଣାର ଥିଲେ।ମୁଁ ପଚାରିଲି ତୁମକୁ ବାପା ଦଇଆ ବୋଲି ଡାକୁଥିଲେନା ? ହଁ ହଁ ଠିକ୍ ସେଇ ନାଁ ରେ ।ଆଛା ତୁମକୁ ସେ ଦୁଷ୍ଟ ପିଲାମାନେ କାହିଁକି ଘେରି ରହିଥିଲେ ? ତୁମେ ସେ ଲୁଗାରେ କ'ଣ ବାନ୍ଧି ରଖିଛ?

ତୁମକୁ ସତ କହୁଛି ବାବୁ ।ବାର ଦୁଆର ବୁଲି ଭିକ ମାଗିବା ମୋର କାମ ।କିଏ କେଉଁଠି କ’ଣ ଗଣ୍ଡେ ଦେଲେ ଖାଇଦେଇ ଗାଁ ମୁଣ୍ଡ ଚଉତରା ଉପରେ ଈଶ୍ବରଙ୍କୁ ସୁମରଣା କରି ଶୋଇଯାଏ ।କେତୋଟି ବୁଲା କୁକୁରଙ୍କ ବିଶ୍ବାସ ମୋତେ ଘୁଙ୍ଗୁଡି ମାରିବାରେ ସହାୟତା କରନ୍ତି । ରାତି ପାହିଲେ ସେମାନେ ଦିନ ତମାମ ବୁଲାବୁଲି କରି ରାତି ଆସିଲେ ମୋ ଆସିବା ବାଟକୁ ଚାହିଁ ଭୁକି ସ୍ବାଗତ କରିବା ଅନୁଭବ କରେ ।ଏୟା ମୋର ନିତି ଦିନିଆ ଚାଲିଚଳନ । ମୁଁ ତ ସିଲଟ ଖଡିକୁ ଦୁଃଖ ଦେଇନି ବାବୁ ।ନିପଟ ମୁରୁଖ ଟାଏ ।ବାର ଦୁଆର ବୁଲି ଭିକ ମାଗିବା ବେଳେ ଏଇ କେତେ ଦିନ ହେଲା ଶୁଣୁଛି ବାବୁ ଆମ ରାଇଜକୁ କ’ଣ ଗୋଟାଏ ବଡ ବିପତ୍ତି ମାଡି ଆସିଛି ।କାଲି ଜଣେ ବାବୁଙ୍କ ଦୁଆରେ ଭିକ ମାଗଲା ବେଳେ କେତେ ଜଣ ମାଆ ତାଙ୍କ ଲୁଗା କାନିରେ ମୁହଁ ଘୋଡେଇ ପରସ୍ପର ଠାରୁ ଦୂରରେ ରହି କଥାବାର୍ତ୍ତା ହେଉ ଥିଲେ କି କରୋନା ମହାମାରୀ ଆସିଲା ଯେ ତା’ ଲାଗି ହଜାର ହଜାର ଲୋକ ମଲେଣି ।ତା’ ଲାଗି ରୋଗୀ ମାନଙ୍କ ରହିବା, ଖାଇବା, ଏପରିକି ଗରିବ, ମଜୁରିଆ ମାନଙ୍କ ଦୈନନ୍ଦିନ ଚଳଣି ବ୍ଯବସ୍ଥାରେ ଦେଶର ତଥା ସରକାରଙ୍କ ଟଙ୍କା ପଇସା ଶୂନ୍ଯ ହୋଇଯିବ ।

ଆମେ ମଧ୍ୟବିତ୍ତ ନା ଏପଟ । ନା ସେପଟ ।ସରକାର କାହାକୁ ବା କେତେ ସାହାଯ୍ୟ କରିବେ ?

ଧାର୍ମିକ ଅନୁଷ୍ଠାନ, ବ୍ଯବସାୟୀକ ପ୍ରତିଷ୍ଠାନ, ବଦାନ୍ଯ ବ୍ଯକ୍ତି, ସରକାରୀ କର୍ମଚାରୀ, ଡାକ୍ତର, ନର୍ସ,କୃଷକ,ଶ୍ରମିକ, ସୈନିକ, ଆରକ୍ଷୀ, ଦେଶର ସମସ୍ତ ଲୋକ ମିଶି ଦେଶକୁ ମହାମାରୀ ବିପଦରୁ ରକ୍ଷା ପାଇବି ପାଇଁ ଅଣ୍ଟା ଭିଡିଛନ୍ତି ।
ସେମାନେ ମଧ୍ୟ ସେବା କରିବା ପାଇଁ
ଗୋଡକାଢିଛନ୍ତି ।

ଏ ସବୁ ଶୁଣି ମୁଁ ଟିକିଏ ଡରି ଯାଇଛି ବାବୁ ।ସତରେ କ’ଣ ଏ ଦୁନିଆ ଜନଶୂନ୍ଯ ହୋଇଯିବ? ମୋ ଅଜ୍ଞାନ ଭାବନାରେ ମୁଁ କେତେ କ’ଣ ଭବିଦେଉଛି ବାବୁ । ଝଡା ପତର ଟାଏ ମୁଁ । ଯିବା ସମୟ ଆସିଲା ଆସିଲା ପରି ଲାଗୁଛି ।ଜୀବନ ଯାକ ଭିକମାଗି ଯାହା ସବୁ ଗାଁ ମୁଣ୍ଡ ବରଗଛ କୋରଡରେ ଲୁଚେଇ ସାଇତି ରଖିଛି ସେ ସବୁ କାହାକୁ ଦେବି? ଏମିତି ଭାବି ବାବୁ କାନିରେ ବାନ୍ଧି ବୁଲୁଥିଲା ବେଳେ ତୁମ ସାହି ଅସଭ୍ଯ ଟୋକା ମାନେ ମୋ ଠାରୁ ଜବରଦସ୍ତ ଛଡେଇ ନେବାକୁ ବସିଥିଲେ ।

ମୁଁ ଟିକେ ମଜାରେ କହିଲି ମୋତେ ଦେଇ ଦିଅ।ନିଅ ବାବୁ ।ଅନାବିଳ ସ୍ନେହର ପାହାଡଟାଏ ପରି ଅନୁଭବିଲି ।ଭାରିହୃଦୟବାନ୍ ଟିଏ।

ତା’ଠାରୁ ବିଦାୟ ନେବକୁ ବାହାରିଲା ବେଳକୁ ସେ ହଠାତ୍ ମୋର ହାତ ଧରି ପକାଇ କହିଲା ମୋତେ ଟିକେ ସାହାଯ୍ୟକର ବାବୁ । ଏ ଟଙ୍କା ସବୁ ତୁମେ ସତରେ ନେଇ ଯାଅ।ମୁଁ ବଡ ଅଡୁଆରେ ପଡିଗଲି ବାପା ।ଟିକେ ଥଣ୍ଡା ମିଜିଜରେ ପ୍ରକୃତିସ୍ଥ ହୋଇ ଚିନ୍ତା କରି ପଚାରିଲି ତୁମର ଏ ଟଙ୍କା ଦେଶସେବାରେ ଲଗାଇ ଦେବା ।ସେଥିପାଇଁ ସରକାରୀ ବ୍ଯବସ୍ଥା ଅଛି ।ତୁମେ ଖୁସି ତ ?ମୁଁ କ’ଣ କହିବି ବାବୁ ?କ’ଣ କରୁଛ କର।ମୋ ଠାରୁ ନେଇଯାଅ ।ଚୋର,ଠକ,ସଇତାନ ମାନେ ନେଇଗଲେ ମୋତେ ଭାରି ବାଧିବ ।ଅସହାୟ ମାନଙ୍କ ସେବାରେ ଠିକ୍ ବାଟରେ ଲାଗିଲେ ମୁଁ ଭାବନ୍ତି ପ୍ରଭୁଙ୍କ ତିନି ଗାର ମୋ ପିଠିରେ ପଡି ମୁଁ ଗୁଣ୍ଡୁଚି ମୂଷା ପାଲଟି ଯାଇଛି । ଭିକାରି ହେଲେ ବି ତା’ର ବ୍ଯବହାର, ସେବା ମନୋବୃତ୍ତି, ସଂସ୍କାର ମୋତେ ତା’ ନିକଟରେ ଅବଧୂତ, ଏକଲବ୍ଯ,ଧ୍ରୁବ, ପ୍ରହ୍ଲାଦ, ନଚିକେତା ପରି ମୁଁ ନିଜକୁ ମନେ କରୁଥିଲି ।

ଏ ସବୁର ସାରାଂଶରେ ଉପନୀତ ହେବାପାଇଁ ମୋତେ ତାକୁ ଜିଲ୍ଲାପାଳ ମହାଶୟଙ୍କ କାର୍ଯ୍ଯାଳୟକୁ ନେଇ ତା’ର ସଞ୍ଚିତ ଟଙ୍କା କୋଡିଏ ହଜାର କରୋନା ପ୍ରପୀଡିତ ତଥା ବିପନ୍ନ ଲୋକମାନଙ୍କ ସାହାଯ୍ଯାର୍ଥେ ଦେଲାବେଳେ ଜିଲ୍ଲାପାଳଙ୍କ କଣ୍ଠ ବାଷ୍ପାରୁଦ୍ଧ ହେଲାପରି ଲକ୍ଷ୍ଯ କରିଛି ।ସେ ମହାଶୟ ଆଚମ୍ବିତ ହୋଇ ବଦାନ୍ଯ ବ୍ଯକ୍ତିକୁ ଚାହିଁ ରହିଥିଲେ ।କକ୍ଷରେ ସାଧୁ ସାଧୁ ଶବ୍ଦ ଗୁଞ୍ଜରୀତ ହେଉଥିଲା ।କିଏ କହେ ୟେ ଭିକାରି?ଦଇଆ ନାଁର ସାର୍ଥକତା ଜଗତ ପାଇଁ ଉଦାହରଣ ।ତୁମକୁ କୋଟି କୋଟି ନମନ ।
ଦଇଆ ଆଖିରୁ ଖୁସିର ଲୁହ ତା’ ଚିବୁକ ଦେଇ ଓଠ ଛୁଁଉ ଥିଲାବେଳେ ମୁଁ ନିଜକୁ ସମ୍ଭାଳି ପାରିଲିନି ବାପା ।

ତେଣୁ ଫେରୁ ଫେରୁ ଟିକେ ଡେରି ହୋଇଗଲା ।ବାପା ପୁଅ ମୁହଁକୁ ଅବାକ୍ ହୋଇ ଚାହିଁ ରହିବା ପଡୋଶୀ ଓ ବାଟରେ ଯାଉଥିବା ଲୋକ ଲକ୍ଷ୍ଯ କରୁଥିଲେ ।

ଜୟଦେବ ସିଠ । ରାଣୀଗୁଡା ଫାର୍ମ, ରାୟଗଡ ।ଅବସର ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ।୯୪୩୭୫୨୭୩୪୯।

error: Content is protected !!