ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ଟଳି ପଡ଼ୁଥିବା
ଗଛ କ୍ଷଣେ ଲୋଡ଼େ
ଢିରା ହେଉ ତା’ ଆଶ୍ରୟ
ଢିରା ମୂଳ ଯଦି
ମଜଭୁତ ନାହିଁ
ଗଛ ଟଳିବ ନିଶ୍ଚୟ।
ଥିରି ପବନ ବି
ଦୋହଲାଇ ଦେବ
ଗଛର ଦୁର୍ଦ୍ଦଶା ଦେଖି
ବତୁରା ମାଟି ବା
କେତେ ଜାବୁଡ଼ିବ
ଚେର ମୂଳ ଗଲେ ଶୁଖି।
ଜବାବ ସୁଆଲ
ଦେବାକୁ ସେ ଜଡ଼
କାଠୁରିଆ ଜାବେ କାବୁ
ଫଟା ତନୁରୁ ତା’
ବକ୍କଳ ଛାଡ଼ଇ
ଶିଠାଯୁକ୍ତ ଘନ ଆବୁ।
ଧୋତରା ଯେତିକି
କୋତରା ସେତିକି
ଜୈବିକ ସାର ବିହୁନେ
ହାପୁରିବା ଶବ୍ଦ
ହାବୁକା ନେଇଛି
ସୁପାତି ଲୋଡ଼ିନି ଦିନେ।
ଦମ୍ଭଥିଲା ବେଳେ
ତା’ ଡାଳ ପତର
ଭାଂଗିବା ଦୁଃଖ ସହିଛି
ଫୁଲ ଫଳ ଆଦି
ଯେ ଯେତେ ଟାଣିଲେ
ନିରବରେ ଆଦରିଛି।
ଚଲାବାଟ କଡେ
ତା’ ପରି ଅନେକ
ଢିରାର ଆଶ୍ରୟ ଲୋଡ଼ି
ଉପାଦାନ ବିନା
ଆୟୂଷ ସରିଛି
ଅକାଳେ ଉପୁଡ଼ି ପଡ଼ି।
ଚଇତି, ଫଗୁଣ
ଯଦି ଆଡ଼ମୁହାଁ
ନଶୁଭିବ ପିକ ସ୍ବନ
ଟଳି ପଡ଼ୁଥିବା
ଗଛର ବାହୁନା
ଉଡାଇ ନେବ ପବନ।
ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।