କାମ ସରୁ ସରୁ ଉଠୁଛି ପିଚୁ, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ
ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡିଶା ଖବର): ଗାଁ ଠୁ ସହର ସଂଯୋଗ କରିବାକୁ ବିଭିନ୍ନ ରାସ୍ତା କାମ ପାଇଁ ସରକାର ମହତ ଉଧ୍ୟେଶ୍ୟ ରଖି କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି | ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମଧ୍ୟରେ ପିସି କାରବାର ଓ ଲାଭଖୋର ନୀତି ଯୋଗୁଁ ରାସ୍ତା କାର୍ଯ୍ୟ ନିମ୍ନମାନ ର ହେବା ସହ ସରକାରଙ୍କ କୋଟି କୋଟି ଅର୍ଥ ପାଣିରେ ପଡୁଛି | ଏଭଳି ଘଟଣା କୋଦଳା ଗ୍ରାମ୍ୟ ଉନ୍ନୟନ ବିଭାଗରେ ବାରମ୍ବାର ଘଟୁଥିଲେ ମଧ୍ୟ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଦୁର୍ନୀତି ବଢିବାରେ ଲାଗିଛି | ସୂଚନା ଅନୁଯାୟୀ କୋଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ଦେଓଗାଁ ଠାରୁ ଢଉମାଳ ପର୍ଯ୍ୟନ୍ତ ପାଖାପାଖି ତିନି କିଲୋମିଟର ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ପିସି କାରବାର ହୋଇଥିବା ଅଭିଯୋଗ ଆସିଛି | ସରକାରୀ ନିୟମ ଅନୁଯାଇ କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟର ସୂଚନା ଫଳକ ଲଗେଇବାରେ ବ୍ୟବସ୍ଥା ଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି | ଦୁଇ କୋଟି ରୁ ଉର୍ଦ୍ଧ ଟଙ୍କାର ନିର୍ମିତ ଏହି ରାସ୍ତା କାମ ପାଇଁ ଠିକାଦାର କିଏ ଓ ଏସ୍ଟିମେଟ ର ସୂଚନା ପାଇବା ତ ଦୂରର କଥା ରାସ୍ତା କାର୍ଯ୍ୟ ସରିବାର କେଇଟା ଦିନ ନପୂରୁଣୁ ରାସ୍ତାରୁ ପିଚୁ ଉଠିବାକୁ ବସିଲାଣି | ଏପରିକି ନବ ନିର୍ମିତ ରାସ୍ତା କାର୍ଯ୍ୟକୁ ବିଲ କରାଇ ଦେବାକୁ କିଛି ସ୍ଥାନରେ ପ୍ୟାଚ ପଡ଼ିଥିବା ମଧ୍ୟ ଦେଖା ଦେଇଛି | ରାସ୍ତା କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିବା ନେଇ ପ୍ରାବଧାନ ଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଅନେକ ସମୟରେ କାର୍ଯ୍ୟସ୍ଥଳ ପରିଦର୍ଶନକୁ ଯାଉ ନଥିବା ଅଭିଯୋଗ ହୋଇଛି | ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟାଳୟକୁ ଆସୁନଥିବା ମଧ୍ୟ ଆଲୋଚନା ହେଉଛି | ତେବେ ରାସ୍ତା କାର୍ଯ୍ୟ ରୁ ପିଚୁ ରୁ ଗୁଡ଼ି ବାହାରି ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜିର ରହିଛି | ତୁରନ୍ତ ଏହି କାର୍ଯ୍ୟକୁ ଅନୁଧ୍ୟାନ କରି ଏହି ରାସ୍ତା କାର୍ଯ୍ୟ ପାଇଁ ଆସିଥିବା କୋଟି କୋଟି ଟଙ୍କା ଅର୍ଥକୁ କିଭଳି ବିନିଯୋଗ କରାଯାଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି |
More Stories
ଶ୍ରୀ ଶ୍ରୀ ଅଗ୍ନିଶ୍ୱର ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ
ବିଦ୍ୟୁତ ବିଭାଗର ଅବହେଳାରୁ ଅଘଟଣ ଆଶଙ୍କା
ଦୋଳ ପୁର୍ଣିମା ଉପଲକ୍ଷେ ପୌରାଣିକ ନାଟକ ମଞ୍ଚସ୍ଥ